ଟ୍ରେନ୍ ଟଏଲେଟ୍ ପାଖରେ ବସି ଫେରିଲେ ଓଡିଆ କୁସ୍ତି ଯୋଦ୍ଧା; ତଦନ୍ତ ନିର୍ଦେଶ
ଭୁବନେଶ୍ୱର(ସଂକେତ ଟିଭି): ଜାତୀୟ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଭାଗ ନେଇ ଫେରିବା ବେଳେ ଟ୍ରେନ୍ ଟିକେଟ୍ କନଫର୍ମ୍ ନହୋଇଥିବାରୁ ରାଜ୍ୟର ସ୍କୁଲ କୁସ୍ତିଯୋଦ୍ଧାମାନେ ଟ୍ରେନ୍ ଟଏଲେଟ୍ ପାଖରେ ବସି ଦୟନୀୟ ଯାତ୍ରା କରିଥିଲେ । ସୋସିଆଲ୍ ମିଡ଼ିଆରେ ଏହି ଘଟଣାର ଭିଡିଓ ଭାଇରାଲ୍ ହେବା ପରେ ରାଜ୍ୟର କ୍ରୀଡ଼ା ଭବିଷ୍ୟତର ସୁରକ୍ଷା ନେଇ ପ୍ରଶ୍ନ ଉଠିଛି ।
୬୯ତମ ଜାତୀୟ କୁସ୍ତି ଚାମ୍ପିଅନସିପ୍ ପ୍ରତିଯୋଗିତାରେ ସାମିଲ ହେବାକୁ ରାଜ୍ୟର ୧୮ ଜଣ ସ୍କୁଲ କୁସ୍ତିଯୋଦ୍ଧା ଉତ୍ତରପ୍ରଦେଶ ଯାତ୍ରା କରିଥିଲେ । ଯାତ୍ରା ଓ ଫେରିବା ସମୟରେ ଟ୍ରେନ୍ ଟିକେଟ୍ କନଫର୍ମ୍ ନହୋଇଥିବାରୁ ସେମାନେ ଟ୍ରେନ୍ ଟଏଲେଟ୍ ପାଖରେ ବସି ଯାତ୍ରା କରିବା ବିଧି ହୋଇଥିଲେ । ଫେରିବା ଯାତ୍ରାର ଏକ ଭିଡିଓ ଭାଇରାଲ୍ ହୋଇଛି, ଯେଉଁଥିରେ ଖେଳାଳିମାନେ ଟଏଲେଟ୍ ପାଖରେ ଆଣ୍ଠୁମାଡ଼ି ବସିବା, ଠିଆ ହେବା, ଶୋଇପଡ଼ିବା ଏବଂ ଥଣ୍ଡାରୁ ରକ୍ଷା ପାଇବା ପାଇଁ ଘୋଡ଼େଇ ହୋଇ ରହିବାର ଦୃଶ୍ୟ ରହିଛି ।
ଏହି ଘଟଣା ଉପରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ତଦନ୍ତ ହେବା ବୋଲି ଘୋଷଣା କରିଛନ୍ତି । ତାଙ୍କ ମତରେ, “ଏ ବିଷୟରେ ଆମେ ଖବର ପାଇଛୁ । ଏହାର ସତ୍ୟାସତ୍ୟ ଉପରେ ସରକାର ଅନୁଧ୍ୟାନ କରିବେ । ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।”
ଉଲ୍ଲେଖ୍ୟ, ଡିସେମ୍ବର ୧୨ରୁ ୧୮ ମଧ୍ୟରେ ଉତ୍ତରପ୍ରଦେଶର ବଲିଆରେ ଅନୁଷ୍ଠିତ ହୋଇଥିବା ଜାତୀୟ ଚାମ୍ପିଅନସିପ୍ପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ବିଭିନ୍ନ ସ୍କୁଲରୁ ୧୦ ଜଣ ପୁଅ ଓ ୮ ଜଣ ଝିଅ ପଠାଯାଇଥିଲେ । କିନ୍ତୁ ସମସ୍ତଙ୍କ ଯାତାୟତ ପାଇଁ ଟ୍ରେନ୍ ଟିକେଟ୍ କନଫର୍ମ୍ ହୋଇନଥିବାରୁ ଏହି ଅସୁବିଧା ସୃଷ୍ଟି ହୋଇଥିବା ଅନୁମାନ କରାଯାଉଛି । ରାଜ୍ୟ ସରକାର ଏହି ଘଟଣାକୁ ଗୁରୁତ୍ୱର ସହ ନେଇଛନ୍ତି ଏବଂ ଅନୁଧ୍ୟାନ ପରେ ଆବଶ୍ୟକ ପଦକ୍ଷେପ ନେବେ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । ଏଥିସହିତ ପ୍ରତିଯୋଗିତାରେ ଭାଗ ନେଇଥିବା କୌଣସି ଖେଳାଳିଙ୍କ ପ୍ରତିକ୍ରିୟା ଏପର୍ଯ୍ୟନ୍ତ ମିଳି ନାହିଁ ।
