FeaturedGeneralLatestPolitics

୨୦ ବର୍ଷର ବିଚ୍ଛେଦ ପରେ ହେଲା ଶିବସେନା (ୟୁବିଟି)-ଏମ୍.ଏନ୍.ଏସ୍. ମେଣ୍ଟ

ମୁମ୍ବାଇ(ସଂକେତ ଟିଭି) : ପ୍ରାୟ ୨୦ ବର୍ଷ ପରେ ଶିବସେନା (ୟୁବିଟି) ଏବଂ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମ୍.ଏନ୍.ଏସ୍.) ମଧ୍ୟରେ ଐତିହାସିକ ମେଣ୍ଟ ଘୋଷଣା ହୋଇଛି। ବାଲାସାହେବ ଠାକରେଙ୍କ ଶିବସେନା ମହାରାଷ୍ଟ୍ରରେ ପୁଣି ଥରେ ଶକ୍ତିଶାଳୀ ହେଉଥିବା ଦେଖାଯାଉଛି। ତାଙ୍କ ପୁଅ ଉଦ୍ଧବ ଠାକରେ ଏବଂ ପୁତୁରା ରାଜ ଠାକରେ ଦୀର୍ଘ ୨୦ ବର୍ଷ ପରେ ପୁନର୍ବାର ଏକାଠି ହୋଇଛନ୍ତି। ୨୦୨୬ ବିଏମସି ନିର୍ବାଚନ ପୂର୍ବରୁ ଏହି ମେଣ୍ଟ ଘୋଷିତ ହେବା ଉଭୟ ଦଳର ନେତା ଓ କର୍ମୀଙ୍କ ପକ୍ଷେ ଏକ ଦୀର୍ଘପ୍ରତୀକ୍ଷିତ ଘଟଣା। ଘୋଷଣା ପରେ ସମର୍ଥକଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।

ଉଦ୍ଧବ ଠାକରେ ଏବଂ ରାଜ ଠାକରେ ଶିବତୀର୍ଥରେ ଏକ ମିଳିତ ସାମ୍ବାଦିକ ସମ୍ମିଳନୀ କରି ଏହି ମେଣ୍ଟ ଘୋଷଣା କରିଛନ୍ତି। ଉଭୟ ଦଳର ନେତା ଏହାକୁ ଏକ ଐତିହାସିକ ଅଧ୍ୟାୟର ଆରମ୍ଭ ବୋଲି ବିଶ୍ୱାସ କରୁଛନ୍ତି। ମେଣ୍ଟ ଘୋଷଣା ସମୟରେ ଏକ ପୋଷ୍ଟର ବିଶେଷ ଦୃଷ୍ଟି ଆକର୍ଷଣ କରିଥିଲା, ଯେଉଁଥିରେ ଉଦ୍ଧବ ବା ରାଜ ନଥାଇ କେବଳ ବାଲାସାହେବ ଠାକରେଙ୍କ ଫଟୋ ଦଳୀୟ ଚିହ୍ନ ସହିତ ପ୍ରଦର୍ଶିତ ହୋଇଥିଲା।

ଶିବସେନା (ୟୁବିଟି) ସାଂସଦ ସଞ୍ଜୟ ରାଉତ ଖୁସି ବ୍ୟକ୍ତ କରି କହିଛନ୍ତି, “ଆଜି ମରାଠୀ ଲୋକଙ୍କ ପାଇଁ ଏକ ଶୁଭ ଦିନ। ମୁଁ ସେହି ଦିନକୁ ମନେ ରଖିଛି ଯେତେବେଳେ ସଂଯୁକ୍ତ ମହାରାଷ୍ଟ୍ରର ଶୁଭ କଳସ ଆସିଥିଲା। ଆଜି ମଧ୍ୟ, ରାଜ ଏବଂ ଉଦ୍ଧବ ମରାଠୀ ଲୋକଙ୍କ ପାଇଁ ଶୁଭ କଳସ ଆଣୁଛନ୍ତି।”

ମେଣ୍ଟ ଘୋଷଣା ସମୟରେ ଉଦ୍ଧବ ଠାକରେ କହିଥିଲେ, “କେବଳ ଠାକରେ ମହାରାଷ୍ଟ୍ରର ନେତୃତ୍ୱ ନେଇପାରିବେ। ୧୦୭ ଜଣ ସହିଦ ହେବା ପରେ ଆମେ ମହାରାଷ୍ଟ୍ର ପାଇଥିଲୁ। ସେତେବେଳେ ଆମର ଜେଜେବାପା ସେହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ। ମୋ ବାପା ଏବଂ ରାଜ ଠାକରେଙ୍କ ବାପା ମଧ୍ୟ ଏହି ଆନ୍ଦୋଳନରେ ସାମିଲ ଥିଲେ। ମହାରାଷ୍ଟ୍ର ମିଳିବାର ବର୍ଷ ବର୍ଷ ପରେ, ମରାଠୀ ଲୋକଙ୍କ ଅଧିକାରକୁ ରକ୍ଷା କରିବା ପାଇଁ ଶିବସେନା ପ୍ରତିଷ୍ଠିତ ହୋଇଥିଲା। ଯେଉଁମାନେ ମୂଳତଃ ମହାରାଷ୍ଟ୍ର ଚାହୁଁଥିଲେ ସେମାନେ ଏବେ ନୂତନ ପ୍ରୟାସ ଆରମ୍ଭ କରୁଛନ୍ତି। ଆମେ ଦିଲ୍ଲୀରେ ବସିଥିବା ଦୁଇ ଜଣଙ୍କୁ ରୋକିବାକୁ ଆସିଛୁ। ଆମେ ଏକାଠି ରହିବା ପାଇଁ ଏକାଠି ହୋଇଛୁ। ଆମର ଚିନ୍ତାଧାରା ସମାନ।”