FeaturedLatestNewsPolitics

ଚାନ୍ଦବାଲି ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣାରେ ବିଜେଡି ଓ କଂଗ୍ରେସର ବନ୍ଦ ଡାକରା

ଭଦ୍ରକ (ସଂକେତ ଟିଭି): ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅଞ୍ଚଳରେ ୧୧ ବର୍ଷୀୟା ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟା ଅଭିଯୋଗରେ ଉତ୍ତେଜିତ ହୋଇ ବିଜେଡି ଦଳ ଓ କଂଗ୍ରେସ ଗୁରୁବାର ଚାନ୍ଦବାଲିରେ ବନ୍ଦ ଡାକରା ଦେଇଛନ୍ତି। ସକାଳ ୬ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ଚାନ୍ଦବାଲି ବନ୍ଦ ରହିବ ବୋଲି ଘୋଷଣା କରାଯାଇଛି ଏବଂ ଏହି ଦିନକୁ କଳା ଦିବସ ଭାବେ ପାଳନ କରାଯିବ।

ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ଏହି ଘଟଣାକୁ ଲଜ୍ଜାଜନକ ବୋଲି କହି ଚୋରା ନିଶା ବେପାର ପଛରେ ଏଭଳି ଘଟଣା ଘଟିବା ଆଶ୍ଚର୍ଯ୍ୟଜନକ ବୋଲି ମତ ଦେଇଛନ୍ତି। ସେ ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି। ଘଟଣାରେ ତ୍ୱରିତ ଗିରଫକାରୀ ଓ ନ୍ୟାୟ ପ୍ରଦାନ ପ୍ରତି ଲୋକଙ୍କ ଆକ୍ରୋଶ ଏହି ବନ୍ଦ ଡାକରାର ମୁଖ୍ୟ କାରଣ ବୋଲି କୁହାଯାଉଛି।

ଏହି ଘଟଣା ପ୍ରତିକ୍ରିୟା ସ୍ୱରୂପ ରାଜଧାନୀ ଭୁବନେଶ୍ୱରରେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଆନ୍ଦୋଳନକାରୀମାନେ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଘେରାଓ କରିବା ପରେ ପୋଲିସ ପକ୍ଷରୁ ସେମାନଙ୍କୁ ଗିରଫ କରାଯାଇଥିଲା।

ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀ ଏହି ଅଭାବନୀୟ ଘଟଣା ପ୍ରତି ଗଭୀର ଦୁଃଖ ପ୍ରକାଶ କରି ଦିବଙ୍ଗତ ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରିଛନ୍ତି। ସମ୍ପୃକ୍ତ ଘଟଣାର ଉପଯୁକ୍ତ ତଦନ୍ତ କରି ଦୋଷୀଙ୍କୁ ଆଇନ ଅନୁଯାୟୀ କଠୋରରୁ ଅତି କଠୋର ଦଣ୍ଡ ବିଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସେ ପୀଡ଼ିତାଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୧୦ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରିବା ମଧ୍ୟ ଘୋଷଣା କରିଛନ୍ତି।

ଏହି ଘଟଣା ଉପରେ ପ୍ରତିକ୍ରିୟା ପ୍ରକାଶ କରି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହାକୁ ଏକ ଲଜ୍ଜାଜନକ ଘଟଣା ବୋଲି କହିଛନ୍ତି। ସେ ଦୋଷୀ ବିରୋଧରେ କଡ଼ାରୁ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଘୋଷଣା କରିଛନ୍ତି ଏବଂ ମହିଳା କମିଶନର ସଦସ୍ୟାଙ୍କୁ ନ୍ୟାୟିକ ତଦନ୍ତ କରିବାକୁ ନିର୍ଦେଶ ଦିଆଯାଇଛି।