ନାବାଳିକା ଉପରେ ଦୁଷ୍କର୍ମ ଓ ହତ୍ୟା: ମୁଖ୍ୟ ଅଭିଯୁକ୍ତ ଗିରଫ
ଭଦ୍ରକ (ସଂକେତ ଟିଭି): ଭଦ୍ରକ ଜିଲ୍ଲାର ଚାନ୍ଦବାଳି ଅଞ୍ଚଳରେ ଏକ ଘୃଣ୍ୟ ଘଟଣା ଘଟିଛି । ମଙ୍ଗଳବାର ଦିନ ଚାନ୍ଦବାଳି ଏନଏସି ଅନ୍ତର୍ଗତ ବାଲିଗାଁ ସମବାୟ ସମିତି କାର୍ଯ୍ୟାଳୟ ପଛର ବଣ ଭିତରୁ ଜଣେ ୧୧ ବର୍ଷ ବୟସ୍କା ନାବାଳିକାର ମୃତଦେହ ଉଦ୍ଧାର ହୋଇଛି । ତାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ।
ଘଟନାରେ ପୁଲିସ ମୁଖ୍ୟ ଅଭିଯୁକ୍ତ ବାବୁଲା ଦାସଙ୍କୁ ଗିରଫ କରିଛି । ଘଟନାସ୍ଥଳରେ ସନ୍ଧାନୀ କୁକୁର ଏବଂ ଫରେନ୍ସିକ୍ ଟିମ୍ ପହଞ୍ଚି ଛାନବିନ୍ କାର୍ଯ୍ୟ ଜାରି ରଖିଛନ୍ତି । ଭଦ୍ରକ ଏସ୍ପି ମନୋଜ ରାଉତ ଗିରଫର ସୂଚନା ଦେଇ କହିଛନ୍ତି ଯେ ଗାଁରେ ଏକ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ରଖାଯିବ ଏବଂ ଡିଆଇଜି ଘଟଣାସ୍ଥଳକୁ ଯାଇ ସମୀକ୍ଷା କରିବେ । ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ଛାନବିନ କାର୍ଯ୍ୟ ଆରମ୍ଭ କରିସାରିଛି ଏବଂ ପୋଲିସ ଫୋର୍ସ ମୁତୟନ ରହିଛି ।
ମୃତକ ପରିବାର ସଦସ୍ୟଙ୍କ କହିବା ଅନୁସାରେ, ନାବାଳିକା ଗତକାଲି ସକାଳୁ ନିଖୋଜ ହୋଇଥିଲେ ଏବଂ ସନ୍ଧ୍ୟା ବେଳକୁ ଥାନାକୁ ଗହଣ ଦିଆଯାଇଥିଲା । ରାତି ୭ଟା ୩୦ ମିନିଟ୍ ସମୟରେ ସ୍ଥାନୀୟ ଲୋକେ ଏକ ନିଛାଟିଆ ବନାଞ୍ଚଳରେ ତାଙ୍କ ମୃତଦେହ ଦେଖିବାକୁ ପାଇଥିଲେ ।
ଏହି ଘଟଣାରେ ଅଞ୍ଚଳରେ ତୀବ୍ର ଉତ୍ତେଜନା ଦେଖାଦେଇଛି । ଉତ୍ତେଜିତ ଲୋକଙ୍କ ଦଳ ହାଟପଟି, ମଧୁବାବୁ ଛକ ଓ ବସ୍ଷ୍ଟାଣ୍ଡରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ । ଅଭିଯୁକ୍ତଙ୍କ ଘରକୁ ଭାଙ୍ଗିଦେବା ସହ ମୃତକଙ୍କୁ ନ୍ୟାୟ ଦାବିରେ ସେମାନେ ପ୍ରଦର୍ଶନ କରିଛନ୍ତି ।
ଏହି ସମ୍ବେଦନଶୀଳ ମାମଲାରେ ଓଡ଼ିଶା ଏନପିଏଲପି ସଭାପତି ସୁବ୍ରତ କୁମାର ଦାଶ ଜାତୀୟ ମାନବ ଅଧିକାର କମିସନ (ଏନଏଚଆରସି) ନିକଟରେ ଏକ ଯୋଚିତା ଦାଖଲ କରିଛନ୍ତି । ଯୋଚିତା ନମ୍ବର ୨୯୩୩୭/୨୦୨୫ ଅଧୀନରେ ତଦନ୍ତ କମିଶନଙ୍କୁ ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ଏବଂ ମୃତକଙ୍କ ପରିବାରକୁ ପଚାଶ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ପାଇଁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରାଯାଇଛି ।
ଏହି ମାମଲାରେ ଭଦ୍ରକ ଜିଲ୍ଲାର ପୋଲିସ୍ ଅଧୀକ୍ଷକ (ଏସପି), ଓଡ଼ିଶା ପୋଲିସର ମୁଖ୍ୟ (ଡିଜିପି), ଗୃହ ବିଭାଗର ସଚିବ ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ପକ୍ଷଭୁକ୍ତ କରାଯାଇଛି । ଘଟଣାର ସଠିକ୍ କାରଣ ଏବଂ ଅନ୍ୟାନ୍ୟ ସମ୍ଭାବ୍ୟ ଅଭିଯୁକ୍ତଙ୍କୁ ଚିହ୍ନଟ କରିବା ପାଇଁ ପୁଲିସ ତଦନ୍ତ ଚଳାଇଛି ।
