FeaturedLatestNews

ପୁରୀ ଗସ୍ତରେ ମୁଖ୍ୟ ନିର୍ବାଚନ କମିଶନର, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ଓ ଆଶୀର୍ବାଦ ଲାଭ

ପୁରୀ (ସଂକେତ ଟିଭି): ପୁରୀ ଗସ୍ତରେ ଆସି ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଶନିବାର ଶ୍ରୀମନ୍ଦିର ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ଓ ସାନିଧ୍ୟ ଲାଭ କରିଛନ୍ତି। ତାଙ୍କ ତିନି ଦିନିଆ ଓଡ଼ିଶା ଗସ୍ତର ଅନ୍ତର୍ଗତ ଏହି ପୁରୀ ଭ୍ରମଣରେ ତାଙ୍କ ସହିତ ତାଙ୍କ ପତ୍ନୀ ମଧ୍ୟ ଉପସ୍ଥିତ ଥିଲେ।

ଶ୍ରୀମନ୍ଦିର ସିଂହଦ୍ୱାରରେ ମୁଖ୍ୟ ନିର୍ବାଚନ କମିଶନର ଓ ତାଙ୍କ ପତ୍ନୀଙ୍କୁ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ, ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଏସ୍.ପି. ପ୍ରତୀକ ସିଂହ ଏବଂ ମନ୍ଦିର ପରିଚାଳନା କମିଟିର ସେବାୟତମାନେ ସ୍ବାଗତ ଜଣାଇ ଶ୍ରୀମନ୍ଦିର ଭିତରକୁ ପାଛୋଟି ନେଇଥିଲେ।

ମୁଖ୍ୟ ନିର୍ବାଚନ କମିଶନର ଦମ୍ପତି ରତ୍ନ ସିଂହାସନରେ ଚତୁର୍ଧା ମୂର୍ତ୍ତିଙ୍କ ଦର୍ଶନ କରି ଭାବବିହ୍ୱଳ ହୋଇଥିବା ବେଳେ ପରେ ସେମାନେ ମା’ ବିମଳା, ଲକ୍ଷ୍ମୀଙ୍କ ସହିତ ଅନ୍ୟ ପାର୍ଶ୍ୱ ଦେବାଦେବୀଙ୍କ ଦର୍ଶନ କରି ପୂଜାର୍ଚ୍ଚନା କରିଥିଲେ।

ଦର୍ଶନ ପରେ ଗଣମାଧ୍ୟମକୁ ଦିଆଯାଇଥିବା ପ୍ରତିକ୍ରିୟାରେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର କହିଛନ୍ତି, “ମୁଁ ମୋ ପରିବାର ସହିତ ମହାପ୍ରଭୁଙ୍କ ଦର୍ଶନ କରିବାର ସୁଯୋଗ ପାଇଲି। ମହାପ୍ରଭୁଙ୍କ ଆଶୀର୍ବାଦ ଯୋଗୁଁ ଏହା ଆଜି ମୋ ପାଇଁ ଏକ ଶୁଭ ଅବସର ହୋଇପାରିଛି। ଓଡ଼ିଶାର କଳା, ସଂସ୍କୃତି ଓ ଭାଷା ଭାରତର ସବୁଠାରୁ ପ୍ରାଚୀନ ଏବଂ ଏହା ବିଷୟରେ ବୁଝିବା ଓ ଜାଣିବାର ସୁଯୋଗ ମିଳିଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି।”

ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍ତି ଯେ ମୁଖ୍ୟ ନିର୍ବାଚନ କମିଶନର ଭିତର କାଠ ନିକଟରୁ ମହାପ୍ରଭୁଙ୍କ ଦର୍ଶନ କରି ଆଶୀର୍ବାଦ ଲାଭ କରିଛନ୍ତି ଏବଂ ଏଥିରେ ସେମାନେ ବେଶ୍ ଆନନ୍ଦିତ ହୋଇଛନ୍ତି।

ଏହି କାର୍ଯ୍ୟକ୍ରମ ପରେ ମୁଖ୍ୟ ନିର୍ବାଚନ କମିଶନର କୋଣାର୍କ ଯାଇ ସୂର୍ଯ୍ୟମନ୍ଦିର ପରିଦର୍ଶନ କରିଥିଲେ।