ଅଫଲାଇନରେ ହେବ ଇ-ଚାଲାଣ ପରିଶୋଧ, ନଗଦ ଟଙ୍କା ଗ୍ରହଣ ପାଇଁ RTOକୁ ନିର୍ଦ୍ଦେଶ
ଭୁବନେଶ୍ୱର (ସଂକେତ ଟିଭି): ଇ-ଚାଲାଣ ପରିଶୋଧ ପ୍ରକ୍ରିୟାକୁ ସରଳ କରି ଜନସାଧାରଣଙ୍କୁ ସୁବିଧା ପ୍ରଦାନ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ଗୁରୁତ୍ୱପୂର୍ଣ୍ଣ ଏକ ନିଷ୍ପତ୍ତି ନେଇଛନ୍ତି। ଏଣିକି ଜନସାଧାରଣ ଅନଲାଇନ୍ ସହିତ ଅଫଲାଇନ୍ ମାଧ୍ୟମରେ ମଧ୍ୟ ଇ-ଚାଲାଣର ଟଙ୍କା ଜମା କରିପାରିବେ। ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଜନସାଧାରଣଙ୍କ ସୁବିଧା ପାଇଁ ନଗଦ ଅର୍ଥ ଗ୍ରହଣ କରିବାକୁ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (RTO) ଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିପାଇଁ ପ୍ରତ୍ୟେକ RTOରେ ସ୍ୱତନ୍ତ୍ର ଭାବେ ଜଣେ ଅଧିକାରୀକୁ ଦାୟିତ୍ୱ ଦିଆଯିବ।
ଏହି ନିଷ୍ପତ୍ତି ବିଶେଷ କରି ଉଭୟ ସେହି ଲୋକଙ୍କ ପାଇଁ ସହାୟକ ହେବ, ଯେଉଁମାନଙ୍କର ମୋବାଇଲ ନମ୍ବର ଅପଡେଟ ନଥିବାରୁ ଅନଲାଇନ୍ ପଦ୍ଧତିରେ OTP ପ୍ରାପ୍ତିରେ ସମସ୍ୟା ହେଉଥିଲା କିମ୍ବା ଯେଉଁ ଅଞ୍ଚଳର ଇଣ୍ଟରନେଟ ସେବା ଦୁର୍ବଳ। ତଥାପି, ଅନଲାଇନ୍ ପଦ୍ଧତି ପୂର୍ବପରି https://echallan.parivahan.gov.in/ ୱେବସାଇଟ୍ରେ ଚାଲୁ ରହିବ।
ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ମୋଟର ଯାନଜନିତ ପ୍ରଦୂଷଣ ନିୟନ୍ତ୍ରଣ। ପରିବେଶକୁ କ୍ଷତି ପହଞ୍ଚୁଥିବା ଅଧିକ ପ୍ରଦୂଷଣ ସୃଷ୍ଟିକାରୀ ଯାନ ଉପରେ କଟକଣା ଲଗାଇବା ଏବଂ ପ୍ରଦୂଷଣ ନିୟନ୍ତ୍ରଣ ସାର୍ଟିଫିକେଟ (PUC) ବାହାର କରାଇବା ଉପରେ ବିଭାଗ ଜୋର ଦେଉଛି। ଏହି ନିୟମ କଡ଼ା କରାଯିବାରୁ ରାଜ୍ୟବ୍ୟାପୀ PUC ଟେଷ୍ଟିଂ କେନ୍ଦ୍ରଗୁଡ଼ିକରେ ଗାଡ଼ିର ଭିଡ଼ ବଢ଼ିଛି, ଯାହା ଲୋକଙ୍କୁ ଅସୁବିଧାରେ ପକାଉଛି।
ଏହି ପୃଷ୍ଠଭୂମିରେ, ‘ବୈଧ PUC ବିନା ଇନ୍ଧନ ମନା’ ନିୟମ ଲାଗୁ କରିବାର ପୂର୍ବତନ ନିଷ୍ପତ୍ତିକୁ ଆଉ ଏକ ମାସ ପାଇଁ ଘୁଞ୍ଚାଇ ଦିଆଯାଇଛି। ଏହା ପୂର୍ବରୁ ଜାନୁଆରୀ ମାସରୁ ଲାଗୁ କରିବା ନିଷ୍ପତ୍ତି ହୋଇଥିଲା। ମାତ୍ର, ଜନସାଧାରଣଙ୍କ ଦାବି ତଥା ସମସ୍ୟା ଦୃଷ୍ଟିରେ ରଖି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ନିର୍ଦ୍ଦେଶକ୍ରମେ ଏହି ନିୟମ ବାସ୍ତବିକରଣ ଫେବୃଆରୀ ୧ ତାରିଖଠାରୁ ଲାଗୁ ହେବ। ଏହି ଅତିରିକ୍ତ ସମୟରେ ବିଭାଗ ପକ୍ଷରୁ ସମସ୍ତ ମୋଟରଚାଳକଙ୍କୁ ଆଇନ ଅନୁଯାୟୀ ବୈଧ PUC ସାର୍ଟିଫିକେଟ ତତ୍କାଳ କରାଇବାକୁ ଅନୁରୋଧ କରାଯାଇଛି।
