ମନ୍ କି ବାତ୍ ରେ ଓଡ଼ିଆ ବୀରାଙ୍ଗନା ପାର୍ବତୀ ଗିରିଙ୍କୁ ପ୍ରଶଂସା କଲେ ମୋଦି
ନୂଆଦିଲ୍ଲୀ (ସଂକେତ ଟିଭି): ଚଳିତ ବର୍ଷର ଶେଷ ‘ମନ୍ କି ବାତ୍’ ଅନୁଷ୍ଠାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୨୫ର ସଫଳତା ବର୍ଣ୍ଣନା କରିବା ସହ ଓଡ଼ିଶାର ସ୍ବାଧୀନତା ସଂଗ୍ରାମୀ ପାର୍ବତୀ ଗିରିଙ୍କୁ ସ୍ମରଣ କରି ତାଙ୍କୁ ଭୂରିଭୂରି ପ୍ରଶଂସା କରିଛନ୍ତି । ପାର୍ବତୀ ଗିରିଙ୍କୁ ପ୍ରତ୍ୟେକ ପିଢୀ ପାଇଁ ଏକ ଉଦାହରଣ ବୋଲି ମୋଦି କହିଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି, “ଦେଶ ସ୍ବାଧୀନତା ପାଇଁ ଲମ୍ବା ସଂଘର୍ଷରେ ଅନେକ ଲୋକ ସାମିଲ ଥିଲେ, କିନ୍ତୁ ଦୁର୍ଭାଗ୍ୟବଶତଃ ଅନେକ ନାୟକ-ନାୟିକାଙ୍କୁ ଯେଉଁ ସମ୍ମାନ ମିଳିବା କଥା, ତାହା ମିଳିନଥିଲା । ଏହିଭଳି ଜଣେ ସେବାଧର୍ମୀ ସ୍ବାଧୀନତା ସଂଗ୍ରାମୀ ହେଉଛନ୍ତି ଓଡ଼ିଶାର ପାର୍ବତୀ ଗିରି । ଜାନୁଆରୀ ୨୦୨୬ରେ ତାଙ୍କ ଜନ୍ମଶତବାର୍ଷିକୀ ପାଳିତ ହେବ ।”
ସେ ଆହୁରି କହିଛନ୍ତି, “ପାର୍ବତୀ ଗିରି ମାତ୍ର ୧୬ ବର୍ଷ ବୟସରେ ‘ଭାରତ ଛାଡ’ ଆନ୍ଦୋଳନରେ ଅଂଶଗ୍ରହଣ କରିଥିଲେ । ସ୍ବାଧୀନତା ପରେ ସେ ନିଜ ଜୀବନକୁ ସମାଜସେବା ଓ ଆଦିବାସୀ କଲ୍ୟାଣରେ ଉତ୍ସର୍ଗ କରିଦେଇଥିଲେ ଏବଂ ଅନେକ ଅନାଥାଶ୍ରମ ପ୍ରତିଷ୍ଠା କରିଥିଲେ । ତାଙ୍କର ପ୍ରେରଣାଦାୟକ ଜୀବନ ପିଢି ପିଢିଙ୍କୁ ମାର୍ଗଦର୍ଶନ କରିବ । ମୁଁ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ।”
୧୯ ଜାନୁଆରୀ ୧୯୨୬ରେ ବରଗଡ଼ ଜିଲ୍ଲାର ସମଲାଇପଦର ଗ୍ରାମରେ ଜନ୍ମିତ ପାର୍ବତୀ ଗିରିଙ୍କୁ ପଶ୍ଚିମ ଓଡ଼ିଶାର ‘ମଦର ଟେରେସା’ ବୋଲି କୁହାଯାଏ । ମାତ୍ର ୧୦ ବର୍ଷ ବୟସରେ ସେ ସ୍ବାଧୀନତା ସଭାମାନଙ୍କୁ ଯାଉଥିଲେ ଏବଂ ମହାତ୍ମା ଗାନ୍ଧୀଙ୍କ ଡାକରାରେ ପ୍ରଭାବିତ ହୋଇ ଲୋକଙ୍କୁ ସଭାକୁ ଡାକିବା ପାଇଁ ଘରେ ଘରେ ବୁଲୁଥିଲେ ।
୧୯୩୮ ମସିହାରେ ରମା ଦେବୀଙ୍କ ବେରି ଆଶ୍ରମରେ ଯୋଗ ଦେବା ପରେ ସେ ସମ୍ପୂର୍ଣ୍ଣ ଭାବେ ସ୍ବାଧୀନତା ସଂଗ୍ରାମରେ ଯୋଗ ଦେଇଥିଲେ । ଇଂରେଜ ବିରୋଧୀ କାର୍ଯ୍ୟକଳାପ ପାଇଁ ସେ ଦୁଇ ବର୍ଷ କାରାଦଣ୍ଡ ଭୋଗିଥିଲେ । ସ୍ବାଧୀନତା ପରେ ସେ ପାଇକମାଳରେ ଏକ ଅନାଥାଶ୍ରମ ପ୍ରତିଷ୍ଠା କରି ଶେଷ ଜୀବନ ସେଠାରେ ବିତାଇଥିଲେ ।
୧୯୯୮ ମସିହାରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ତାଙ୍କୁ ସମ୍ମାନଜନକ ଡକ୍ଟରେଟ ଉପାଧି ପ୍ରଦାନ କରିଥିଲା । ଓଡ଼ିଶା ସରକାର ମଧ୍ୟ ଡିସେମ୍ବର ୨୦୧୬ରେ ଏକ ବୃହତ ଜଳସେଚନ ଯୋଜନାକୁ ‘ପାର୍ବତୀ ଗିରି ଜଳସେଚନ ପ୍ରକଳ୍ପ’ ଭାବେ ନାମିତ କରି ତାଙ୍କ ସ୍ମୃତିକୁ ସମ୍ମାନିତ କରିଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ଉଲ୍ଲେଖ ଓଡ଼ିଶାର ଏହି ଅଜ୍ଞାତ ନାୟିକାଙ୍କ ବୀରତ୍ଵ ଓ ତ୍ୟାଗକୁ ଜାତୀୟ ସ୍ତରରେ ଆଲୋକିତ କରିଛି ଏବଂ ଆଗାମୀ ଜନ୍ମଶତବାର୍ଷିକୀ ପାଳନ ଆଡକୁ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି ।
