FeaturedLatestNews

ଓଏଏସ୍, ଓଆର୍‌ଏସ୍, ଓଟି‌ଏସ୍ ଭଳି କ୍ୟାଡରରେ ପଦବୀ ପୂରଣ ପାଇଁ ନିର୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର (ସଂକେତ ଟିଭି): ନିକଟରେ ଓଡ଼ିଶା ଲୋକସେବା ଆୟୋଗ ପକ୍ଷରୁ ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା ୨୦୨୫ ପାଇଁ ପ୍ରକାଶିତ ବିଜ୍ଞପ୍ତିରେ ଓଏଏସ୍, ଓଆର୍‌ଏସ୍, ଓଟି‌ଏସ୍ ଓ ଓଡବ୍ଲୁଏସ୍ ଭଳି ପ୍ରମୁଖ କ୍ୟାଡରରେ ପଦବୀ ନଥିବାରୁ ଆଶାୟୀ ଯୁବପିଢ଼ି ମଧ୍ୟରେ ତୀବ୍ର ଅସନ୍ତୋଷ ଓ ହତାଶା ଦେଖାଦେଇଥିଲା।

ଏହି ପରିସ୍ଥିତିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତୁରନ୍ତ ହସ୍ତକ୍ଷେପ କରି ସମ୍ବନ୍ଧିତ ବିଭାଗଗୁଡ଼ିକୁ ଖାଲି ପଦବୀଗୁଡିକର ସମୀକ୍ଷା କରି ପୂରଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ ଅନୁସାରେ ବିଭାଗଗୁଡିକ ରାଜ୍ୟ ଲୋକସେବା ଆୟୋଗକୁ ଅତିରିକ୍ତ ପଦବୀ ପୂରଣ ପାଇଁ ଅନୁରୋଧ ପଠାଇଛନ୍ତି। ଏଥିରେ ଓଡ଼ିଶା ପ୍ରଶାସନିକ ସେବା (OAS) ପାଇଁ ୧୪ଟି, ଓଡ଼ିଶା ରାଜସ୍ୱ ସେବା (ORS) ପାଇଁ ୧୧୩ଟି, ଓଡ଼ିଶା ପରିବହନ ସେବା (OTS) ପାଇଁ ୧୬ଟି ଏବଂ ଓଡ଼ିଶା ମଙ୍ଗଳ ସେବା (OWS) ପାଇଁ ୮ଟି ପଦବୀ ଅନ୍ତର୍ଭୁକ୍ତ ହୋଇଛି। ଏହି ଚାରି କ୍ୟାଡରରେ ସମୁଦାୟ ୧୫୧ଟି ଅତିରିକ୍ତ ପଦବୀ ଯୋଡ଼ାଯିବ।

ଏହି ନିଷ୍ପତ୍ତି ଫଳରେ ଏହି ପଦବୀଗୁଡିକ ପାଇଁ ପ୍ରତିଯୋଗିତା କରୁଥିବା ହଜାର ହଜାର ଯୁବକ-ଯୁବତୀଙ୍କ ମଧ୍ୟରେ ନୂଆ ଆଶା ଜାଗ୍ରତ ହୋଇଛି। ମୁଖ୍ୟମନ୍ତ୍ରୀ ମାଝୀ ଜଣାଇଛନ୍ତି ଯେ ରାଜ୍ୟ ସରକାର ନିଯୁକ୍ତି କ୍ଷେତ୍ରକୁ ସର୍ବୋଚ୍ଚ ପ୍ରାଥମିକତା ଦେଉଛନ୍ତି ଏବଂ ଗତ ୧୮ ମାସରେ ପ୍ରାୟ ୪୦,୦୦୦ ସରକାରୀ ଚାକିରି ପୂରଣ କରାଯାଇସାରିଛି।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ଯେ ଭବିଷ୍ୟତରେ ବିଭିନ୍ନ ଆୟୋଗଦ୍ୱାରା ଆୟୋଜିତ ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ ବେଳକୁ ସମ୍ବନ୍ଧିତ ବିଭାଗରେ ଯେତେ ପଦବୀ ଖାଲି ରହିବ, ସମସ୍ତଙ୍କୁ ପୂରଣ କରିବା ପାଇଁ ଆୟୋଗକୁ ଅନୁରୋଧ ପଠାଇବାକୁ ହେବ। ଏହାଦ୍ୱାରା ଯୁବଶକ୍ତିର ଆଶା ଓ ଆକାଂକ୍ଷାକୁ ରାଜ୍ୟର ବିକାଶ ସହିତ ସମ୍ପୃକ୍ତ କରିବାର ରାଜ୍ୟ ସରକାରଙ୍କ ପ୍ରତିଶ୍ରୁତି ପୁନରାବୃତ୍ତି ହୋଇଛି।