ମଦ୍ୟପ ପୁଅକୁ କୁରାଢ଼ିରେ ହାଣି ହତ୍ୟା କରି ଆତ୍ମସମର୍ପଣ କଲେ ବାପା
ବାରିପଦା (ସଂକେତ ଟିଭି): ବାରିପଦାର ଠାକୁରମୁଣ୍ଡା ଥାନା ଅଧୀନରେ ପଡ଼ିଥିବା ଭରାଣ୍ଡିଆ ଗାଁରେ ଏକ ମର୍ମାନ୍ତକ ହତ୍ୟାକାଣ୍ଡ ଘଟିଛି । ଏକ ପିତା ନିଜ ମଦ୍ୟପ ପୁଅକୁ କୁରାଢ଼ିରେ ହାଣି ହତ୍ୟା କରିଥିବା ବେଳେ ଘଟଣା ସ୍ଥଳରେ ଆତ୍ମସମର୍ପଣ କରିଛନ୍ତି ।
ସୂଚନା ଅନୁଯାୟୀ, ଗତକାଲି ରାତି ୯ଟା ବେଳେ ଉକ୍ତ ବାପା ଅନାମ ବାଉଁଶିଆ ରୋଷେଇ କରୁଥିବା ସମୟରେ ତାଙ୍କ ପୁଅ ତପନ ମଦ୍ୟପାନ ସ୍ଥିତିରେ ଘରକୁ ଫେରିଥିଲେ । ମଦ୍ୟପାନ କରି ଆସିଥିବା ତପନ ବାପାଙ୍କ ସହ ଉଚ୍ଚ ସ୍ୱରରେ କଳିହୁଡ଼ି କରିବା ଆରମ୍ଭ କରିଥିଲେ ଏବଂ ପରିସ୍ଥିତି ଏତେ ଉତ୍ତେଜିତ ହୋଇଯାଇଥିଲା ଯେ ସେ ବାପାଙ୍କ ଉପରେ ଗୋଇଠା ମାରିଥିଲେ ।
ଏହି ଆକ୍ରମଣରେ କ୍ରୋଧାନ୍ୱିତ ହୋଇ ଅନାମ ବାଉଁଶିଆ ନିକଟରେ ଥିବା ଏକ କୁରାଢ଼ି ଆଣି ପୁଅ ତପନଙ୍କ ଉପରେ ଆଘାତ କରିଥିଲେ । ଏହି ଆଘାତରେ ତପନ ସ୍ଥାନୀୟରେ ମୃତ୍ୟୁବରଣ କରିଥିଲେ । ହତ୍ୟା କରିବା ପରେ ଅନାମ ତାଙ୍କ କୃତ୍ୟ ନିମନ୍ତେ ଠାକୁରମୁଣ୍ଡା ଥାନାରେ ଯାଇ ଆତ୍ମସମର୍ପଣ କରିଛନ୍ତି ।
ଘଟଣାର ବିଭତ୍ସତା ଦେଖି ପୋଲିସ ମାମଲା ରୁଜୁ କରିଛନ୍ତି । ଠାକୁରମୁଣ୍ଡା ଥାନା ପୋଲିସ ଘଟଣାର ଗଭୀର ତଦନ୍ତ ପାଇଁ ବାରିପଦାରୁ ଆସିଥିବା ଏକ ବୈଜ୍ଞାନିକ ଦଳ (ସାଇଣ୍ଟିଫିକ ଟିମ) ସହ ମିଶି ଆଜି ଘଟଣାସ୍ଥଳରେ ତଦନ୍ତ ଚଳାଇଛି । ଆଉ କେଉଁଠି କାରଣ ନିହିତ ଅଛି ତାହା ଜାଣିବା ପାଇଁ ପୋଲିସ ଅନୁସନ୍ଧାନ ଜାରି ରଖିଛନ୍ତି ।
