ଆଗାମୀ ୧୮ ତାରିଖ ମଧ୍ୟରେ ମିଳିବ ‘ସୁଭଦ୍ରା’ର ଚତୁର୍ଥ କିସ୍ତି ଟଙ୍କା : ପ୍ରଭାତୀ ପରିଡା
ଭୁବନେଶ୍ୱର (ସଂକେତ ଟିଭି) : ମହିଳାଙ୍କ ଅର୍ଥ ସହାୟତା ଯୋଜନା ‘ସୁଭଦ୍ରା’ର ଚତୁର୍ଥ କିସ୍ତି ଆଗାମୀ ୧୮ ତାରିଖ ମଧ୍ୟରେ ହିତାଧିକାରୀଙ୍କ ଖାତାକୁ ଯିବ। ମହିଳାଙ୍କୁ ଆର୍ଥିକ ଭାବରେ ସଶକ୍ତ କରିବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିବା ଏହି ଯୋଜନା ଅନ୍ତର୍ଗତ ପ୍ରତ୍ୟେକ ହିତାଧିକାରୀକୁ ବର୍ଷକୁ ୧୦ ହଜାର ଟଙ୍କା ଦୁଇ କିସ୍ତିରେ (ବର୍ଷକରେ ୫ ହଜାର ଲେଖାଏଁ) ପ୍ରଦାନ କରାଯାଉଛି। ଏହି ହିସାବରେ ପାଞ୍ଚ ବର୍ଷରେ ମୋଟ ୫୦ ହଜାର ଟଙ୍କା ମିଳିବ। ଏଯାଏଁ ହିତାଧିକାରୀ ମହିଳାମାନେ ତିନୋଟି କିସ୍ତି ପାଇ ସାରିଛନ୍ତି । ‘ସୁଭଦ୍ରା’ର ଚତୁର୍ଥ କିସ୍ତି ଆଗାମୀ ୧୮ ତାରିଖ ମଧ୍ୟରେ ହିତାଧିକାରୀଙ୍କ ଖାତାକୁ ଯିବ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା କହିଛନ୍ତି।।
ଉଲ୍ଲେଖଯୋଗ୍ୟ ଯେ, ଗତ ୨୦୨୪ ସେପ୍ଟେମ୍ବର ୧୭ ତାରିଖରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବଟନ ଟିପି ଏହି ଯୋଜନାର ଶୁଭାରମ୍ଭ କରିଥିଲେ। ସେତେବେଳେ ପ୍ରଥମ କିସ୍ତି ଭାବରେ ୫ ହଜାର ଟଙ୍କା ହିତାଧିକାରୀଙ୍କ ଖାତାକୁ ସିଧାସଳଖ ଯାଇଥିଲା।
ସେହି ଶୁଭାରମ୍ଭ ଅବସରରେ ରାଜ୍ୟପାଳ ଶ୍ରୀ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀଗଣ ଶ୍ରୀମତୀ ପ୍ରଭାତୀ ପରିଡ଼ା ଓ ଶ୍ରୀ କେ.ଭି ସିଂହଦେଓ ଏବଂ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଶ୍ରୀ ଜୁଏଲ୍ ଓରାମ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ହିତାଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।
