ଇରାନରେ ଦେଶ ବିରୋଧୀ ଆନ୍ଦୋଳନରେ ସାମିଲ ହେଲେ ମୃତ୍ୟୁଦଣ୍ଡ ନିର୍ଦେଶ
ନୂଆଦିଲ୍ଲୀ (ସଂକେତ ଟିଭି): ଇରାନରେ ଜାରି ରହିଥିବା ସରକାର ବିରୋଧୀ ବିକ୍ଷୋଭ ଭୟଙ୍କର ରୂପ ଧାରଣ କରିଛି। ଆନ୍ଦୋଳନରେ ସାମିଲ ହୋଇଥିବା ପ୍ରାୟ ଅଢେଇ ହଜାର ଲୋକ ମୃତ୍ୟୁ ବରଣ କରିଛନ୍ତି ବୋଲି ମାନବାଧିକାର ସଂଗଠନଗୁଡ଼ିକ ଆଶଙ୍କା ପ୍ରକାଶ କରିଛନ୍ତି। ଏହି ପୃଷ୍ଠଭୂମିରେ ଆନ୍ଦୋଳନରେ ସାମିଲ ହେବା ଅପରାଧରେ ଜଣେ ୨୬ ବର୍ଷୀୟ ଯୁବକ ଇରଫାନ ସୋଲତାନିଙ୍କୁ ଗିରଫ ହେବାର ମାତ୍ର ଏକ ସପ୍ତାହ ମଧ୍ୟରେ ମୃତ୍ୟୁଦଣ୍ଡ ଦିଆଯାଇଛି। ଗିରଫ ପରେ ତାଙ୍କୁ କୌଣସି ଯଥାର୍ଥ ଆଇନୀ ସୁଯୋଗ ଦିଆଯାଇନଥିବା ଓ ପରିବାରକୁ ଶେଷ ଦେଖା ପାଇଁ ମାତ୍ର ୧୦ ମିନିଟ୍ ସମୟ ଦିଆଯାଇଥିବା କୁହାଯାଉଛି।
ଇରାନରେ ମୁଦ୍ରାସ୍ଫୀତି ଏବଂ ଆର୍ଥିକ ସଂକଟକୁ ନେଇ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ ଏବେ ସମ୍ପୂର୍ଣ୍ଣ ରାଜନୈତିକ ରୂପ ନେଇଛି। ରାଜଧାନୀ ତେହେରାନସହ ବିଭିନ୍ନ ସହରରେ ପୋଲିସ୍ ଏବଂ ପ୍ରଦର୍ଶନକାରୀଙ୍କ ମଧ୍ୟରେ ଜୋରଦାର ସଂଘର୍ଷ ଚାଲିଛି। ପ୍ରାୟ ୨୦,୦୦୦ ଲୋକ ଗିରଫ ହୋଇଛନ୍ତି ବୋଲି ଅନୁମାନ କରାଯାଉଛି। ଇରାନୀ ପ୍ରଶାସନ ଅଭିଯୋଗ କରୁଛି ଯେ ଆମେରିକା ଓ ଇସ୍ରାଏଲ ଏହି ଅଶାନ୍ତି ପାଇଁ ଦାୟୀ, କିନ୍ତୁ ସରକାରୀ ଟିଭି ଚ୍ୟାନେଲ୍ ପ୍ରଥମ ଥର ପାଇଁ ବହୁ ଲୋକଙ୍କ ମୃତ୍ୟୁକୁ ସ୍ୱୀକାର କରିଛି।
ଏହି ତୀବ୍ର ବିକ୍ଷୋଭ ଓ ସମ୍ଭାବ୍ୟ ସାମରିକ ଆକ୍ରମଣ ଆଶଙ୍କାର ମଧ୍ୟରେ ଭାରତ ସରକାର ଇରାନରେ ଥିବା ନିଜ ନାଗରିକଙ୍କ ପାଇଁ ଏକ ଜରୁରୀ ପରାମର୍ଶ ଜାରି କରିଛନ୍ତି। ତେହେରାନ୍ ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ଜାରି ଆଡଭାଇଜରୀରେ ଭାରତୀୟ ଛାତ୍ରଛାତ୍ରୀ, ତୀର୍ଥଯାତ୍ରୀ, ବ୍ୟବସାୟୀ ଏବଂ ପର୍ଯ୍ୟଟକଙ୍କୁ ଯଥାଶୀଘ୍ର ଉପଲବ୍ଧ ବାଣିଜ୍ୟିକ ବିମାନ ବା ଅନ୍ୟ ଯାନବାହନରେ ଇରାନ ଛାଡ଼ିବାକୁ କୁହାଯାଇଛି। ସେମାନଙ୍କୁ ଆନ୍ଦୋଳନ କ୍ଷେତ୍ରଠାରୁ ଦୂରେଇ ରହିବା, ଜରୁରୀ କାଗଜପତ୍ର ସାଙ୍ଗରେ ରଖିବା ଏବଂ ଦୂତାବାସ ସହ ସଂପର୍କରେ ରହିବାକୁ ପରାମର୍ଶ ଦିଆଯାଇଛି।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସରକାରଙ୍କୁ କଠୋର ଚେତାବନୀ ଦେଇ କହିଛନ୍ତି ଯେ ପ୍ରଦର୍ଶନକାରୀଙ୍କୁ ଫାଶୀ ଦିଆଗଲେ ଆମେରିକା ଅତ୍ୟନ୍ତ କଠୋର ପଦକ୍ଷେପ ନେବ। ତାଙ୍କର ‘ସାହାଯ୍ୟ ରାସ୍ତାରେ ଅଛି’ ବକ୍ତବ୍ୟ ପରିସ୍ଥିତିକୁ ଆହୁରି ଜଟିଳ କରିଛି। ଆନ୍ଦୋଳନକାରୀ ଯୁବବର୍ଗ ହତାଶ ଥିଲେ ମଧ୍ୟ ଆନ୍ଦୋଳନ ଜାରି ରଖିବାକୁ ନିଷ୍ପତ୍ତି ନେଇଛନ୍ତି, ଯେଉଁଥିରେ ଦେଶ ଛାଡିବା ପାଇଁ ଭାରତୀୟଙ୍କ ପରାମର୍ଶ ପରିସ୍ଥିତିର ଗୁରୁତରତାକୁ ସୂଚିତ କରୁଛି।
