FeaturedLatestLifestyle

ଗୋଟିଏ ବୋତଲ ପାଣିର ଦାମ୍ ୧୨ ହଜାର ଟଙ୍କା

ନୂଆଦିଲ୍ଲୀ ୨୮।୦୨: (ସଂକେତ ଟିଭି) ଗୋଟିଏ ବୋତଲ ପାଣିର ମୂଲ୍ୟ ଅତିକମ୍‌ରେ ୨୦ରୁ ୩୦ ଟଙ୍କା ବଜାରରେ ବିକ୍ରି ହୋଇଥାଏ । କିନ୍ତୁ ବ୍ରିଟେନରେ ଏକ ବୋତଲ ପାଣି ପିଛା ୧୨ ହଜାର ଟଙ୍କାରେ ବିକ୍ରି ହେଉଛି । ବ୍ରିଟେନରେ ଏଭଳି ପ୍ରଥମ ଦୋକାନ ଖୋଲିଛି, ଯେଉଁଠି କେବଳ ପାଣି ବିକ୍ରି ହେଉଛି ।

ଦୋକାନରେ ବିଭିନ୍ନ ପ୍ରକାର ପାଣି ମିଳୁଛି । ସାଧାରଣଠୁ ଆରମ୍ଭ କରି ସ୍ୱତନ୍ତ୍ର ପ୍ରକାର ପାଣି ରହିଛି, ଯାହାକୁ ଖାଇବା ସହିତ ୱାଇନ୍ ଭଳି ପାନ କରାଯାଇପାରେ । ପଶ୍ଚିମ ଲଣ୍ଡନର ଫୁଲହାମ୍‌ରେ ଖୋଲିଥିବା ଏହି ପାଣି ଦୋକାନର ନାଁ ଫାଇନ୍ ଲିକ୍ୱିଡ୍‌ସ । ୪୦ ବର୍ଷୀୟ ମିଲିନ ପଟେଲ ନାମକ ଜଣେ ବ୍ୟବସାୟୀ ଦୋକାନ ଚଳାଉଛନ୍ତି । ଏଠାରେ ଅନେକ ପ୍ରକାର ପାଣି ରହିଛି, କିନ୍ତୁ କୌଣସିଟି ଅନ୍ୟ ସହ ମେଳ ଖାଉନାହିଁ । ପ୍ରତ୍ୟେକ ପ୍ରକାର ପାଣିର ସ୍ୱାଦ ଭିନ୍ନ ।

ଦୋକାନରେ ବିକ୍ରି ହେଉଥିବା ଆପ୍‌ସୁ ନାମକ ପାଣି ବୋତଲର ମୂଲ୍ୟ ୧୨ ହଜାର ଟଙ୍କା । ଏହା ଦକ୍ଷିଣ ଆମେରିକାର ପାଟାଗୋନିୟା ଗ୍ଲାସିୟରର ପ୍ରାକୃତିକ ଜଳ । ମିଲିନ ଏହିଭଳି ଅନେକ ପ୍ରକାର ସ୍ୱତନ୍ତ୍ର ପାଣି ବିକ୍ରି କରନ୍ତି । ସେ ନିଜକୁ ଜଣେ ଉତ୍ତମ ପାଣି ଯାଞ୍ଚ୍‌କର୍ତ୍ତା ବୋଲି କହନ୍ତି । ଜର୍ମାନୀରେ ମଧ୍ୟ ମିଲିନଙ୍କର ଦୁଇଟି ପାଣି ଗୋଦାମ ରହିଛି । ସେଠାରେ ତାଙ୍କର ଜଣେ ବିଜ୍‌ନେସ ପାର୍ଟନର ଅଛନ୍ତି ।

ଯେଉଁ ପାଣି ମିଲିନ ବିକ୍ରି କରନ୍ତି, ତାହା ଝରଣା ଓ ପ୍ରାକୃତିକ ସ୍ରୋତରୁ ସଂଗ୍ରହ କରାଯାଇଥାଏ । ଅଧିକ ଉଚ୍ଚରୁ ସଂଗୃହିତ ପାଣି ଖୁବ୍ କୋମଳ ଓ ଚିକ୍କଣ ହୋଇଥାଏ । ଯେଉଁ ପାଣିରେ ଅଧିକ ମ୍ୟାଗ୍ନେସିୟମ୍ ଥାଏ, ତାହା ଟିକିଏ ମିଠା ଓ ଧାତୁ ଭଳି ସ୍ୱାଦ ଦେଇଥାଏ । ତାଙ୍କ ଦୋକାନରେ ପାଣି କେବଳ କାଚ ବୋତଲରେ ବିକ୍ରି କରାଯାଏ । କାରଣ ପ୍ଲାଷ୍ଟିକ୍‌ରେ ପାଣିର ସ୍ୱାଦ ବଦଳିଯାଏ । ଲୋକେ ଭୋଜି ପାଇଁ ତାଙ୍କ ଦୋକାନରୁ ପାଣି ନିଅନ୍ତି ।