ବିକାଶ ପ୍ରକଳ୍ପର ଅଗ୍ରଗତି, ବଜେଟ ଖର୍ଚ୍ଚ ଏବଂ ଖାଲି ପଦବୀ ପୂରଣ ପାଇଁ ଉଚ୍ଚସ୍ତରୀୟ ବୈଠକ
ଭୁବନେଶ୍ୱର (ସଂକେତ ଟିଭି): ଆକ୍ସନରେ ରାଜ୍ୟ ସରକାର ଏବଂ ଖାଲି ପଦବୀ ପୂରଣ ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ନେଇ ଆଜି ଖାରବେଳ ଭବନରେ ଏକ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି । ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସମସ୍ତ ବିଭାଗର ସଚିବମାନେ ଉପସ୍ଥିତ ଥିଲେ । ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଅଗ୍ରଗତି, ବଜେଟ ଖର୍ଚ୍ଚ ଏବଂ ଖାଲି ପଦବୀ ପୂରଣ ବିଷୟରେ ବିସ୍ତୃତ ଆଲୋଚନା ହୋଇଛି ।
ବୈଠକ ପରେ ମୁଖ୍ୟ ଶାସନ ସଚିବ ଜଣାଇଛନ୍ତି ଯେ ପ୍ରତି ଶନିବାର ଭିତ୍ତିଭୂମି ସ୍ତରରେ ସମୀକ୍ଷା ବୈଠକ ହେବ । ସାମ୍ପ୍ରତିକ ସମୟ ପର୍ଯ୍ୟନ୍ତ ବଜେଟର କେବଳ ୫୦ ପ୍ରତିଶତ ଖର୍ଚ୍ଚ ହୋଇଥିବାରୁ, ଆଉ ଆଢେଇ ମାସ ଭିତରେ ବାକି ଅର୍ଥକୁ ଦ୍ରୁତ ଗତିରେ ଖର୍ଚ୍ଚ କରିବାକୁ ଗୁରୁତ୍ୱ ଦିଆଯାଇଛି । ରାଜସ୍ୱ ଆହରଣ ବୃଦ୍ଧି ପାଇଁ ବିଭିନ୍ନ ଉତ୍ସ ଆବିଷ୍କାର କରିବାର ଦାୟିତ୍ୱ ବିଭାଗଗୁଡିକୁ ଦିଆଯାଇଛି ।
ପ୍ରତି ମାସର ୧୬ ତାରିଖରେ ଜିଲ୍ଲାପାଳମାନଙ୍କ ସହ ଆଲୋଚନା କରାଯିବ ବୋଲି ନିଷ୍ପତ୍ତି ହୋଇଛି । ଜିଲ୍ଲାର ସର୍ବାଙ୍ଗୀନ ପରିସ୍ଥିତି ଉପରେ ମଧ୍ୟ ଏହି ସଭାରେ ଆଲୋଚନା ହେବ । ସମସ୍ତ ବିଭାଗର ସଚିବମାନେ ଅନ୍ୟ କୌଣସି ବୈଠକ ନ ରଖି ସେହି ଦିନ ଜିଲ୍ଲାପାଳମାନଙ୍କ ସହ କାମ କରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି ।
ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପ୍ରଦତ୍ତ ୧୫ସୂତ୍ରୀ କାର୍ଯ୍ୟକ୍ରମର ପ୍ରଗତି ଉପରେ ମଧ୍ୟ ଆଲୋଚନା ହୋଇଛି । ବିଭିନ୍ନ ବିଭାଗ କି ପ୍ରସ୍ତୁତି କରିଛନ୍ତି ତାହା ପରୀକ୍ଷା କରାଯାଇଛି । ପାନୀୟ ଜଳ ପ୍ରକଳ୍ପଗୁଡିକ କାର୍ଯ୍ୟକାରୀ କରିବା ଏକ ପ୍ରମୁଖ ଲକ୍ଷ୍ୟ ଭାବରେ ଚିହ୍ନିତ ହୋଇଛି । ସଚିବମାନଙ୍କୁ କ୍ଷେତ ଭ୍ରମଣ ସମୟରେ ମେଗା ପାନୀୟ ଜଳ ପ୍ରକଳ୍ପଗୁଡିକର ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଏହା ସହିତ ଆସନ୍ତା ପୂର୍ଣ୍ଣାଙ୍ଗ ବଜେଟ ପାଇଁ ବିଭିନ୍ନ ବିଭାଗ ଦ୍ୱାରା ଦାଖଲ କରାଯାଇଥିବା ପ୍ରସ୍ତାବଗୁଡିକ ଉପରେ ମଧ୍ୟ ଏହି ବୈଠକରେ ଆଲୋଚନା ହୋଇସାରିଛି ।
