FeaturedLatestNewsPolitics

ଲେନିନ କହିଲେ ବିଜେଡିକୁ ଦୁର୍ବଳ ପାଇଁ ହେଉଥିଲା ଷଡ଼ଯନ୍ତ୍ର, ଅରବିନ୍ଦ କହିଲେ ପ୍ରମାଣ ଦିଅ

ଭୁବନେଶ୍ୱର(ସଂକେତ ଟିଭି): ବିଜୁ ଜନତା ଦଳ (ବିଜେଡି)ରୁ ଦୁଇ ଜଣ ବରିଷ୍ଠ ବିଧାୟକ ସନାତନ ମହାକୁଡ଼ ଏବଂ ଅରବିନ୍ଦ ମହାପାତ୍ରଙ୍କୁ ନିଲମ୍ବନ କରିବା ପରେ ରାଜ୍ୟର ରାଜନୈତିକ ପରିବେଶ ଉତ୍ତାପିତ ହୋଇଛି। ଦଳର ମୁଖ୍ୟ ଭୂମିକାରେ ଥିବା କିଛି ଟାଣୁଆ ନେତାଙ୍କୁ ନିଲମ୍ବନ କରାଯାଇଥିବା କଥା କହି ବିଜେଡି ମୁଖପାତ୍ର ଲେନିନ ମହାନ୍ତି ଦଳ ବିରୁଦ୍ଧରେ ‘ମିଡ୍-ଡେ ଅପରେଶନ’ ଚାଲିଥିବା ଅଭିଯୋଗ କରିଛନ୍ତି।

ଲେନିନ ମହାନ୍ତି କହିଛନ୍ତି, “ମିଡ୍-ନାଇଟ୍ ଅପରେଶନ ଫେଲ୍ ହୋଇଥିଲା। ମିଡ୍-ଡେ’ ଅପରେଶନ ବି ଫେଲ୍ ମାରିଲା। ମିଡ୍-ଇଭିନିଂ ଅପରେଶନ ବି ଫେଲ୍ ହେବ। ଦଳକୁ ଦୁର୍ବଳ କରିବାକୁ ଷଡ଼ଯନ୍ତ୍ର କରାଯାଇଥିଲା।” ତାଙ୍କ ମତରେ, ଏହି ଷଡ଼ଯନ୍ତ୍ରରେ ବିଜୟ ମହାପାତ୍ର, ଅରବିନ୍ଦ ମହାପାତ୍ର ଏବଂ ସନାତନ ମହାକୁଡଙ୍କର ମୁଖ୍ୟ ଭୂମିକା ରହିଛି। ଲେନିନ ଦାବି କରିଛନ୍ତି ଯେ ଗତ କିଛି ମାସ ହେଲା ଏମାନେ ଏହି ଷଡ଼ଯନ୍ତ୍ରରେ ସାମିଲ ଥିଲେ ଏବଂ ବିଜୟ ମହାପାତ୍ର ସେମାନଙ୍କୁ ବ୍ୟାକଅପ୍ ଦେଉଥିଲେ।

ତେବେ, ଅରବିନ୍ଦ ମହାପାତ୍ର ଏହି ଅଭିଯୋଗକୁ ସପଟେ ଖାର୍ଜ କରି ଲେନିନ ମହାନ୍ତିଙ୍କୁ କଠୋର ଚ୍ୟାଲେଞ୍ଜ ଦେଇଛନ୍ତି। ନିଲମ୍ବନ କାରଣ ସ୍ପଷ୍ଟ ନହେବା କଥା କହି ସେ ଦଳ ନେତୃତ୍ଵକୁ ପ୍ରମାଣ ଦେବାକୁ କହିଛନ୍ତି। ଅରବିନ୍ଦ ମହାପାତ୍ର କହିଛନ୍ତି, “ଭୁଲ ଭୁଲେୟା କାହାଣୀ ନ କହି, ଅଭିଯୋଗର ପ୍ରମାଣ ଦିଅନ୍ତୁ। ଯଦି ଅଭିଯୋଗ ଅଛି ତଥ୍ୟ ସହିତ କୁହନ୍ତୁ। କାହା ସହ କେଉଁଦିନ, କେତେବେଳେ ବସିଥିଲି କହିଲେ ଭଲ ହେବ।”

ସେ ଆହୁରି କହିଛନ୍ତି, “ସଂଗଠିତ କରିବା ଅଭିଯୋଗ ନେଇ ମୁଁ ମାତ୍ର ଦେଢ଼ ବର୍ଷର ବିଧାୟକ। ଅଭିଯୋଗ ଦଳ ଲଗାଇଛି, ଦଳ ପ୍ରମାଣିତ କରିବା ଦରକାର। ସିଙ୍ଗିଲ ୱାର୍ଡ କହି ଖସିଯିବା ଅନୁଚିତ।” ନିଲମ୍ବିତ ଅନ୍ୟ ବିଧାୟକ ସନାତନ ମହାକୁଡଙ୍କ ସମ୍ପର୍କରେ ସେ କହିଛନ୍ତି, “ସନାତନ ବାବୁ ଜଣେ ବରିଷ୍ଠ ନେତା। ବିଧାନସଭାରେ କେବଳ ତାଙ୍କ ସହ ମୋର ଦେଖା ହୋଇଛି। ଲବିରେ ମଧ୍ୟ ତାଙ୍କ ସହ ମୋ ସାକ୍ଷାତ ହୋଇନି।”

ଶେଷରେ ଅରବିନ୍ଦ ମହାପାତ୍ର ନିଜ ସ୍ଥିତି ସ୍ପଷ୍ଟ କରି କହିଛନ୍ତି, “ମୁଁ ଅଲଗା ଦଳ କଥା ଭାବିନି, ୨୦୨୯ ପର୍ଯ୍ୟନ୍ତ ପାଟକୁରା ବିଧାୟକ ରହିବି। ମୋତେ ପାଟକୁରା ବିଧାୟକ ପଦରୁ କେହି ହଟାଇ ପାରିବେନି। ବିକାଶ ପାଇଁ କାର୍ଯ୍ୟ କରିବି।” ଏହି ବିବାଦ ମଧ୍ୟରେ ଦଳ ଭିତରେ ଏବଂ ବାହାରେ ଏହି ନିଲମ୍ବନର ପ୍ରକୃତ କାରଣ ଜାଣିବା ପାଇଁ ଉତ୍ସୁକତା ବଢ଼ିଛି।