ଲୋକପ୍ରିୟ ସଂଗୀତ ନିର୍ଦ୍ଦେଶକ ଅଭିଜିତ୍ ମଜୁମ୍ଦାରଙ୍କ ପରଲୋକ
ଭୁବନେଶ୍ବର (ସଂକେତ ଟିଭି): ଭୁବନେଶ୍ୱରସ୍ଥିତ ଏମ୍ସ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ରବିବାର ସକାଳ ୯ଟା ୨ ମିନିଟ୍ ସମୟରେ ଓଡ଼ିଆ ସଙ୍ଗୀତ ଜଗତର ଲୋକପ୍ରିୟ ସଂଗୀତ ନିର୍ଦ୍ଦେଶକ ଅଭିଜିତ୍ ମଜୁମ୍ଦାର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁବେଳକୁ ତାଙ୍କୁ ୫୪ ବର୍ଷ ବୟସ ହୋଇଥିଲା । ସେ ଲିଭର ସିରୋସିସ୍ ରୋଗରେ ପୀଡ଼ିତ ହୋଇ ଗତ ସେପ୍ଟେମ୍ବର ମାସରୁ ଚିକିତ୍ସା ଚାଲିଥିଲା ।
ପ୍ରଥମେ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହୋଇଥିଲେ ମଧ୍ୟ, ଅବସ୍ଥାରେ ସୁଧାର ନଆସିବାରୁ ତାଙ୍କୁ ଭେଣ୍ଟିଲେଟର ସହାୟତା ସହିତ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତରିତ କରାଯାଇଥିଲା । ଏମ୍ସରେ ଭର୍ତ୍ତି ପରେ ତାଙ୍କ ମସ୍ତିଷ୍କରେ ସୋଡିଅମ୍ ସ୍ତର କମିବା ଏବଂ ଶ୍ୱାସକ୍ରିୟାରେ ସମସ୍ୟା ଦେଖାଦେଇଥିଲା । ଅବଶ୍ୟ, କିଛି ସମୟ ପାଇଁ ତାଙ୍କ ଅବସ୍ଥାରେ ଉନ୍ନତି ମଧ୍ୟ ଆସିଥିଲା ।
୧୯୯୧ରେ ସମ୍ବଲପୁରୀ ଆଲବମ୍ ଜରିଆରେ ସଙ୍ଗୀତ ଜଗତରେ ପ୍ରବେଶ କରିଥିବା ଅଭିଜିତ୍, ୨୦୦୦ ମସିହାରେ ‘କାଶିଆ କପିଳା’ ଚଳଚ୍ଚିତ୍ର ଜରିଆରେ ଓଲିଉଡ୍ରେ ଆତ୍ମପ୍ରକାଶ କରିଥିଲେ । ତାଙ୍କ ନିର୍ଦ୍ଦେଶିତ ପ୍ରାୟ ୭୦୦ରୁ ଅଧିକ ଗୀତ ମଧ୍ୟରେ ୫୦୦ରୁ ଉର୍ଦ୍ଧ୍ୱ ସୁପରହିଟ୍ ହୋଇଛି । ତାଙ୍କର ‘ମାଧବ ହେ ମାଧବ’, ‘ଟ୍ଵିଙ୍କଲ୍ ଟ୍ଵିଙ୍କଲ୍ ଲିଟିଲ୍ ସ୍ଟାର୍’, ‘ତୋର କଞ୍ଚା ହଳଦୀ ଦେହଟା ଗୋରୀ ଲୋ’, ‘ରାତି ସାରା ବାର୍ ଲାଇଟ୍ ଦୁକୁ ଦୁକ’ ଆଦି ଗୀତ ଲୋକପ୍ରିୟତାର ଶିଖର ଛୁଇଁଥିଲା ।
ସେ ପ୍ରାୟ ୬୦ରୁ ଅଧିକ ଚଳଚ୍ଚିତ୍ର ଏବଂ ୧୦୦ରୁ ଊର୍ଦ୍ଧ୍ୱ ଆଲବମ୍ ପାଇଁ ସଂଗୀତ ନିର୍ଦ୍ଦେଶନା ଦେଇଥିଲେ । ‘ତୁ ଥା ମୁଁ ଯାଉଛି ରୁଷି’ (୨୦୧୦) ଏବଂ ‘ତୃଷ୍ଣା’ (୨୦୨୨) ଚଳଚ୍ଚିତ୍ର ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିଲେ । ତାଙ୍କ ଗୀତ କେବଳ ଓଡ଼ିଆ ନୁହେଁ, ସମ୍ବଲପୁରୀ ଚଳଚ୍ଚିତ୍ର ଏବଂ ଆଲବମ୍ ଜଗତକୁ ମଧ୍ୟ ସମୃଦ୍ଧ କରିଥିଲା ।
ଅଭିଜିତ୍ ମଜୁମ୍ଦାରଙ୍କ ଅକାଳ ପରଲୋକ ଓଡ଼ିଆ ସଙ୍ଗୀତ ଜଗତକୁ ଏକ ଗଭୀର ଶୂନ୍ୟତା ଦେଇଗଲା । ତାଙ୍କ ଅମର ସ୍ୱର ସଂଗୀତପ୍ରେମୀ ହୃଦୟରେ ସଦା ବଞ୍ଚିଥିବ ।
