ପୋଲିସ ଦିବସ ପୂର୍ବରୁ ମେଡାଲ ଘୋଷଣା: ରାଜ୍ୟର ୧୭ ଜଣ ପୁରସ୍କୃତ
ଭୁବନେଶ୍ୱର (ସଂକେତ ଟିଭି): ସାଧାରଣତନ୍ତ୍ର ଦିବସର ଅବ୍ୟହିତ ପୂର୍ବରୁ ପୋଲିସ ଅଗ୍ନିଶମ, ଗୃହ ରକ୍ଷୀ ଓ ଜେଲ ସଂସ୍କାର କ୍ଷେତ୍ରରେ ଉଲ୍ଲେଖନୀୟ ସେବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ମେଡାଲ ଘୋଷଣା କରାଯାଇଛି। ସାରା ଦେଶର ୯୮୨ ଜଣ ପୋଲିସ କର୍ମୀଙ୍କୁ ଏହି ପଦକ ମିଳିବ।
ଏଥିରେ ୧୨୫ ଜଣଙ୍କୁ ସାହସିକତା ପୁରସ୍କାର, ୧୦୧ ଜଣଙ୍କୁ ରାଷ୍ଟ୍ରପତିଙ୍କ ବିଶିଷ୍ଟ ସେବା ପଦକ ଏବଂ ୭୫୬ ଜଣଙ୍କୁ ଉତ୍ସର୍ଗୀକୃତ ସେବା ପଦକ ପ୍ରଦାନ କରାଯିବ। ଓଡ଼ିଶା ରାଜ୍ୟରୁ ମୋଟ ୧୭ ଜଣ ପୋଲିସ କର୍ମୀ ଏହି ସମ୍ମାନରେ ଭୁଷିତ ହେବାର ଘୋଷଣା କରାଯାଇଛି।
ରାଜ୍ୟର ପୁରସ୍କୃତମାନଙ୍କ ମଧ୍ୟରୁ, ଏଡିଜି ପ୍ରତୀକ ମହାନ୍ତି ଏବଂ ଡିସିପି ପ୍ରଫୁଲ୍ଲ କୁମାର ସିଂହଙ୍କୁ ରାଷ୍ଟ୍ରପତିଙ୍କ ବିଶିଷ୍ଟ ସେବା ପଦକ ମିଳିବ। ସାହସିକତା ପାଇଁ ପଦକ ପାଇବାରେ ଡିଏସପି ଅତୁଲକୃଷ୍ଣ ଦାସ, ଏଏସଆଇ ପୂର୍ଣ୍ଣଚନ୍ଦ୍ର ପ୍ରଧାନ, କନେଷ୍ଟବଳ ଘନଶ୍ୟାମ ସାହୁ ଏବଂ କନେଷ୍ଟବଳ ଥବୀର ମାଝୀ ଅନ୍ୟତମ।
ଉତ୍ସର୍ଗୀକୃତ ସେବା ପଦକ ପାଇବେ କ୍ରାଇମ୍ ବ୍ରାଞ୍ଚ ଆଇଜି ସାର୍ଥକ ଷଡ଼ଙ୍ଗୀ, କମାଣ୍ଡାଣ୍ଟ ହରି ପ୍ରସାଦ ତାମଙ୍ଗ, ଅତିରିକ୍ତ ଏସପି ଶୁଭ୍ ନାରାୟଣ ମୁଦୁଲି, ଡିଏସପି ପ୍ରଦୀପ କୁମାର ଆଇଣ୍ଡ, ଡିଏସପି ପ୍ରଣତି ରାୟ, କମାଣ୍ଡାଣ୍ଟ ଅଶୋକ କୁମାର ମହାନ୍ତି, ଇନ୍ସପେକ୍ଟର ଅରୁଣ କୁମାର ନାୟକ, ଇନ୍ସପେକ୍ଟର ମହମ୍ମଦ ହାଫିଜ୍, ହାବିଲଦାର ଲତା ନାୟକ, ଏଏସଆଇ ନିଗମା ନନ୍ଦ ମହାପାତ୍ର ଏବଂ ଇନ୍ସପେକ୍ଟର ଲକ୍ଷ୍ମୀ ନାରାୟଣ ମୁଦୁଲି।
