ତୃତୀୟ ଲିଙ୍ଗୀଙ୍କ ନିଯୁକ୍ତି: ୧% ସଂରକ୍ଷଣ ଓ ଓପିଏସସି ଆବେଦନ ସମୟ ବୃଦ୍ଧିର ଆଦେଶ
ଭୁବନେଶ୍ୱର(ସଂକେତ ଟିଭି): ତୃତୀୟ ଲିଙ୍ଗୀଙ୍କ ଅଧିକାର ଓ ସମ୍ମାନକୁ ନେଇ ରାଜ୍ୟ ମାନବାଧିକାର କମିଶନ (ଓଏଚ୍ଆରସି) ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ସାଧାରଣ ସେବାରେ ନିଯୁକ୍ତି ନିମିତ୍ତ ତୃତୀୟ ଲିଙ୍ଗୀ ଆଶାୟୀଙ୍କ ପାଇଁ ସ୍ୱତନ୍ତ୍ର ଲିଙ୍ଗଗତ ବ୍ୟବସ୍ଥା କରିବାକୁ ରାଜ୍ୟ ସରକାରଙ୍କୁ କମିଶନ୍ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଚାକିରି କ୍ଷେତ୍ରରେ ସେମାନଙ୍କ ପାଇଁ ଅତି କମ ୧ ପ୍ରତିଶତ ସଂରକ୍ଷଣ ରଖିବାକୁ ମଧ୍ୟ ଆଦେଶ ଦିଆଯାଇଛି।
ଆୟୋଗ ଅଧ୍ୟକ୍ଷ ଜଷ୍ଟିସ୍ ଶତ୍ରୁଘ୍ନ ପୂଜାହାରୀଙ୍କ ଏକଜଣିଆ ଖଣ୍ଡପୀଠ ଏହି ଆଦେଶ ଦେଇଛନ୍ତି। ୨୦୧୪ର ସୁପ୍ରିମକୋର୍ଟଙ୍କ ରାୟ, ତୃତୀୟ ଲିଙ୍ଗୀ ଅଧିକାର ସୁରକ୍ଷା ଆଇନ୍-୨୦୧୯ ଏବଂ ୨୦୨୦ର ନିୟମାବଳୀକୁ ଏଥିପାଇଁ ଆଧାର ଭାବରେ ଗ୍ରହଣ କରାଯାଇଛି। ଆଗାମୀ ୬୦ ଦିନ ମଧ୍ୟରେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ସାଧାରଣ ପ୍ରଶାସନ ବିଭାଗ ଏବଂ ସାମାଜିକ ସୁରକ୍ଷା ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି।
ଏହି ଆଦେଶରେ ଓଡ଼ିଶା ଲୋକ ସେବା ଆୟୋଗ (ଓପିଏସସି) ପରୀକ୍ଷା ପାଇଁ ତୃତୀୟ ଲିଙ୍ଗୀ ଆଶାୟୀଙ୍କ ଆବେଦନ ଶେଷ ତାରିଖ ୧୫ ଦିନ ବଢ଼ାଇବାକୁ ମଧ୍ୟ କୁହାଯାଇଛି। କାରଣ, ଓପିଏସସି ପ୍ରକାଶିତ ନିଯୁକ୍ତି ବିଜ୍ଞପ୍ତିରେ କେବଳ ପୁରୁଷ ଓ ମହିଳା ବିକଳ୍ପ ଥିବା ବେଳେ ତୃତୀୟ ଲିଙ୍ଗୀଙ୍କ ପାଇଁ କୌଣସି ବିକଳ୍ପ ବ୍ୟବସ୍ଥା ନଥିଲା। ତେଣୁ, ସେମାନଙ୍କ ପାଇଁ ମଧ୍ୟ ଏକ ସ୍ୱତନ୍ତ୍ର ବିକଳ୍ପ ରଖିବା ଏବଂ ଆବେଦନ ସମୟ ସୀମା ବୃଦ୍ଧି କରିବାକୁ କମିଶନ୍ କହିଛନ୍ତି।
ଗତ ୨୮ ଜାନୁଆରୀରେ ଓପିଏସସି ନିଯୁକ୍ତି ଲାଗି ଅନଲାଇନ୍ ଆବେଦନ କରିନପାରି ତୃତୀୟ ଲିଙ୍ଗୀ ସୋନି ସିଲ୍ କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ। ତାଙ୍କ ଅଭିଯୋଗ ଥିଲା ଯେ, ତୃତୀୟ ଲିଙ୍ଗୀ ଭାବେ ଆବେଦନ କରିବାର ବିକଳ୍ପ ନଥିବାରୁ ସେ ତାଙ୍କର ଅଧିକାରରୁ ବଞ୍ଚିତ ହୋଇଛନ୍ତି। ସୋନିଙ୍କ ଏହି ଆବେଦନକୁ ବିଚାରକୁ ନେଇ କମିଶନ୍ ଏହି ରାୟ ଦେଇଛନ୍ତି ଯେ, ସାଧାରଣ ସେବା କ୍ଷେତ୍ରରେ ତୃତୀୟ ଲିଙ୍ଗୀମାନେ ମଧ୍ୟ ପୁରୁଷ ଓ ମହିଳାଙ୍କ ଭଳି ନିଜ ଲିଙ୍ଗଗତ ପରିଚୟ ଚୟନ କରିବାର ହକଦାର।
ବୁଦ୍ଧିଜୀବୀମାନେ କମିଶନଙ୍କ ଏହି ଆଦେଶକୁ ରାଜ୍ୟରେ ତୃତୀୟ ଲିଙ୍ଗୀଙ୍କ ବିକାଶ ଓ ସମ୍ମାନ ଦିଗରେ ଏକ ମାଇଲଖୁଣ୍ଟ ବୋଲି ମତ ଦେଇଛନ୍ତି।
