ସ୍କୁଲମାନଙ୍କରେ ମାଗଣା ସାନିଟାରୀ ନାପକିନ୍ ଓ ଛାତ୍ରୀଙ୍କ ପାଇଁ ପୃଥକ ଶୌଚାଳୟ ବାଧ୍ୟତାମୂଳକ
ନୂଆଦିଲ୍ଲୀ(ସଂକେତ ଟିଭି): ଶୁକ୍ରବାରରେ ସୁପ୍ରିମକୋର୍ଟ ଦେଶର ଛାତ୍ରୀମାନଙ୍କ ସ୍ୱାସ୍ଥ୍ୟ, ସୁରକ୍ଷା ଏବଂ ସମ୍ମାନ ଉପରେ ଗୁରୁତ୍ୱାରୋପ କରି ଏକ ଐତିହାସିକ ରାୟ ଦେଇଛନ୍ତି। କୋର୍ଟ ଘୋଷଣା କରିଛନ୍ତି ଯେ ଋତୁସ୍ରାବ ସ୍ୱାସ୍ଥ୍ୟ ବା ମାସିକ ଧର୍ମ ସ୍ୱଚ୍ଛତା ସମ୍ବିଧାନର ‘ଧାରା ୨୧’ ଅଧୀନରେ ‘ଜୀବନର ଅଧିକାର’ର ଏକ ଅବିଚ୍ଛେଦ୍ୟ ଅଙ୍ଗ।
ଜଷ୍ଟିସ୍ ଜେ.ବି. ପାର୍ଦିୱାଲା ଏବଂ ଜଷ୍ଟିସ୍ ଆର. ମହାଦେବନଙ୍କ ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି ଯେ ସମସ୍ତ ସରକାରୀ, ଅନୁଦାନପ୍ରାପ୍ତ ଏବଂ ଘରୋଇ ସ୍କୁଲଗୁଡ଼ିକରେ ଛାତ୍ରୀମାନଙ୍କ ପାଇଁ ମାଗଣା ସାନିଟାରୀ ନାପକିନ୍ ଏବଂ ପୃଥକ ଶୌଚାଳୟ ବ୍ୟବସ୍ଥା କରିବା ଆବଶ୍ୟକ। ଏହି ନିୟମ ସହରାଞ୍ଚଳ ଓ ଗ୍ରାମାଞ୍ଚଳ ଉଭୟ ଅଞ୍ଚଳରେ ଲାଗୁ ହେବ।
କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ସ୍କୁଲ କର୍ତ୍ତୃପକ୍ଷଙ୍କୁ ଛାତ୍ରୀମାନଙ୍କୁ ମାଗଣାରେ ଅକ୍ସୋ-ବାୟୋଡିଗ୍ରେଡେବଲ୍ (ପରିବେଶ ଅନୁକୂଳ) ସାନିଟାରୀ ନାପକିନ୍ ଯୋଗାଇଦେବାକୁ ହେବ। ସ୍କୁଲରେ ପୁଅ ଓ ଝିଅଙ୍କ ପାଇଁ ପୃଥକ ଶୌଚାଳୟ ରହିବା ସହ ସେଥିରେ ନିୟମିତ ପାଣି ଓ ହାତ ଧୋଇବା ପାଇଁ ସାବୁନର ବ୍ୟବସ୍ଥା ରହିବା ବାଧ୍ୟତାମୂଳକ।
ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ ଯଦି କୌଣସି ଘରୋଇ ସ୍କୁଲ ଏହି ନିର୍ଦ୍ଦେଶାବଳୀ ପାଳନ କରିବାରେ ବିଫଳ ହୁଏ, ତେବେ ଶିକ୍ଷା ଅଧିକାର ଆଇନ ଅନୁଯାୟୀ ସେହି ସ୍କୁଲର ସ୍ୱୀକୃତି ବା ମାନ୍ୟତା ରଦ୍ଦ କରାଯିବ। ସେହିପରି ସରକାରୀ ସ୍କୁଲଗୁଡ଼ିକରେ ଏହି ଅବହେଳା ପାଇଁ ସମ୍ପୃକ୍ତ ରାଜ୍ୟ ସରକାରଙ୍କୁ ଦାୟୀ କରାଯିବ।
ଖଣ୍ଡପୀଠ ଉଲ୍ଲେଖ କରିଛନ୍ତି ଯେ ଋତୁସ୍ରାବ ସ୍ୱଚ୍ଛତା ପରିଚାଳନାର ଅଭାବ କେବଳ ଛାତ୍ରୀଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଏ ନାହିଁ, ବରଂ ଏହା ସେମାନଙ୍କ ଶିକ୍ଷା ଅଧିକାର ଏବଂ ସମ୍ମାନଜନକ ଜୀବନ ବଞ୍ଚିବାର ଅଧିକାରକୁ କ୍ଷୁର୍ଣ୍ଣ କରିଥାଏ। ରାୟରେ ଦର୍ଶାଯାଇଛି ଯେ ଉପଯୁକ୍ତ ପରିମଳ ବ୍ୟବସ୍ଥା ଅଭାବରୁ ଅନେକ ଛାତ୍ରୀ ସ୍କୁଲ ଛାଡ଼ିବାକୁ ବାଧ୍ୟ ହୁଅନ୍ତି, ଯାହା ସମ୍ବିଧାନର ଧାରା ୧୪ (ସମାନତା) ଏବଂ ଧାରା ୨୧-କ (ଶିକ୍ଷା ଅଧିକାର)ର ଉଲ୍ଲଂଘନ।
ତେଣୁ କୋର୍ଟ ପ୍ରତ୍ୟେକ ସ୍କୁଲରେ ‘ଋତୁସ୍ରାବ ସ୍ୱଚ୍ଛତା ପରିଚାଳନା କର୍ଣ୍ଣର’ ସ୍ଥାପନ କରିବା ସହ ଛାତ୍ରୀମାନଙ୍କୁ ଏ ସମ୍ପର୍କରେ ସଚେତନ କରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ରାୟ ଶିକ୍ଷା ଅଧିକାରକୁ କେବଳ ପାଠପଢ଼ାରେ ସୀମିତ ନ ରଖି ଏହାକୁ ମାନବିକ ଅଧିକାରର ଏକ ବୃହତ୍ତର ଅଂଶ ଭାବେ ଚିହ୍ନିତ କରିଛି।
