BusinessFeaturedGeneralLatest

୨୦୨୬-୨୭ ବଜେଟ୍: ଟଙ୍କାଟିଏ କେଉଁଠୁ ଆସୁଛି, କେଉଁଠିକୁ ଯାଉଛି?

ନୂଆଦିଲ୍ଲୀ (ସଂକେତ ଟିଭି): ଲୋକସଭାରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଆଗତ ହୋଇଛି। ଏହା ମୋଦି ସରକାରଙ୍କ ତୃତୀୟ ପାଳିର ଦ୍ୱିତୀୟ ପୂର୍ଣ୍ଣାଙ୍ଗ ବଜେଟ୍ ଏବଂ ମୋଦି ସରକାରଙ୍କ ୧୫ତମ ବଜେଟ୍। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲଗାତାର ନବମ ଥର ପାଇଁ ଏହି ବଜେଟ୍ ଉପସ୍ଥାପନ କରିଛନ୍ତି। ସ୍ୱାଧୀନ ଭାରତରେ ପ୍ରଥମ ଥର ପାଇଁ ରବିବାର ଦିନ ସଂସଦରେ ବଜେଟ୍ ଆଗତ କରାଯାଇଛି।

ବଜେଟ୍ ପ୍ରସ୍ତୁତିରେ ‘ବିକସିତ ଭାରତ’ ମିଶନକୁ ଦୃଷ୍ଟିରେ ରଖାଯାଇଥିବା ଅର୍ଥମନ୍ତ୍ରୀ କହିଛନ୍ତି। ଏହି ବଜେଟ୍ରେ କୃଷକ, ଯୁବକ, ମହିଳା, ନିଯୁକ୍ତି ଓ ଦକ୍ଷତା ବିକାଶ ଉପରେ ଗୁରୁତ୍ୱ ଦିଆଯାଇଛି। ମେଡିକାଲ, ମଧ୍ୟବିତ୍ତ ଶ୍ରେଣୀ ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରକୁ ମଧ୍ୟ ପ୍ରାଥମିକତା ଦିଆଯାଇଛି।

ଟଙ୍କାଟିଏ କେଉଁଠୁ ଆସୁଛି?

ଯଦି ମୋଟ ବଜେଟ୍କୁ ୧ ଟଙ୍କା ବିଚାର କରାଯାଏ, ତା’ର ଆୟର ସ୍ରୋତ ହେଉଛି: ଋଣ ଓ ଅନ୍ୟାନ୍ୟ ଦେୟ (୨୪ ପଇସା), ଆୟକର (୨୧ ପଇସା), କର୍ପୋରେଟ୍ ଟିକ୍ସ (୧୮ ପଇସା), ଜିଏସଟି (୧୫ ପଇସା), ଅଣ-ଟିକ୍ସ ରାଜସ୍ୱ (୧୦ ପଇସା), କେନ୍ଦ୍ରୀୟ ଅବକାରୀ ଟିକ୍ସ (୬ ପଇସା), ସୀମା ଶୁଳ୍କ (୪ ପଇସା) ଏବଂ ଅଣ-ଋଣ ପୁଞ୍ଜି ରସିଦ (୨ ପଇସା)।

ଟଙ୍କାଟିଏ କେଉଁଠକୁ ଯାଉଛି?

ସମାନ ଭାବେ ୧ ଟଙ୍କା ବ୍ୟୟର ବିତରଣ ହେଉଛି: ରାଜ୍ୟମାନଙ୍କ ଟିକ୍ସ ଓ ଶୁଳ୍କ ଭାଗ (୨୨ ପଇସା), ସୁଧ ପରିଶୋଧ (୨୦ ପଇସା), କେନ୍ଦ୍ରୀୟ ସ୍କିମ୍ (୧୭ ପଇସା), ପ୍ରତିରକ୍ଷା (୧୧ ପଇସା), କେନ୍ଦ୍ର ପ୍ରୟୋଜିତ ସ୍କିମ୍ (୮ ପଇସା), ଅନ୍ୟାନ୍ୟ ବ୍ୟୟ (୭ ପଇସା), ଅର୍ଥ ଆୟୋଗ ଓ ଅନ୍ୟାନ୍ୟ ବ୍ୟୟ (୭ ପଇସା), ସବସିଡି (୬ ପଇସା) ଏବଂ ପେନସନ୍ (୨ ପଇସା)।

ବିଭିନ୍ନ କ୍ଷେତ୍ରକୁ କୋଟି ଟଙ୍କାର ବିନିଯୋଗ

ବଜେଟ୍ରେ ବିଭିନ୍ନ କ୍ଷେତ୍ର ପାଇଁ ସ୍ପଷ୍ଟ ଆବଣ୍ଟନ କରାଯାଇଛି: ପ୍ରତିରକ୍ଷା (୭,୮୪,୬୭୮ କୋଟି), ଜାତୀୟ ରାଜପଥ (୩,୦୯,୮୭୫ କୋଟି), ରେଳବାଇ (୨,୮୧,୩୭୭ କୋଟି), ଗ୍ରାମୀଣ ବିକାଶ (୧,୯୭,୦୨୩ କୋଟି), ଶିକ୍ଷା (୧,୩୯,୨୮୯ କୋଟି), କୃଷି ଓ ଆନୁଷଙ୍ଗିକ କାର୍ଯ୍ୟ (୧,୪୦,୫୨୮ କୋଟି), ସ୍ୱାସ୍ଥ୍ୟ (୧,୦୬,୫୩୦ କୋଟି), ବିଜ୍ଞାନ କ୍ଷେତ୍ର (୩୮,୨୬୦ କୋଟି) ଏବଂ ମହାକାଶ (୧୩,୭୦୫ କୋଟି)।

ଓଡ଼ିଶାପାଇଁ ଗୁରୁତ୍ୱପୂର୍ଣ୍ଣ ଘୋଷଣା

ଏଥର ବଜେଟ୍ରେ ଓଡ଼ିଶାକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ରାଜ୍ୟରେ ଏକ ‘ରେୟାର ଆର୍ଥ କରିଡର’ ପ୍ରତିଷ୍ଠା କରାଯିବ। ଏହି ପରିଯୋଜନା ଓଡ଼ିଶା ସହିତ ଆନ୍ଧ୍ର ପ୍ରଦେଶ, କେରଳ ଓ ତାମିଲନାଡୁରେ ମଧ୍ୟ କାର୍ଯ୍ୟକାରୀ ହେବ। ପୁଣି, କେନ୍ଦ୍ର ସରକାରଙ୍କ ରାଷ୍ଟ୍ରୀୟ ଜଳମାର୍ଗ-୫ ଯୋଜନାରେ ତାଳଚେର ଓ କଳିଙ୍ଗନଗର ସହିତ ପାରାଦ୍ୱୀପ ଓ ଧାମରା ବନ୍ଦରକୁ ଯୋଡ଼ାଯିବ।