FeaturedLatestNews

୨୪ ଘଣ୍ଟା ୱାଟ୍ସଆପ୍‌ ରାଜସ୍ୱ ସେବା: ଏବେ ଘରେ ବସି ହେବ ଜମି କାମ

ଭୁବନେଶ୍ୱର (ସଂକେତ ଟିଭି): ଓଡ଼ିଶାର ନାଗରିକଙ୍କ ପାଇଁ ରାଜସ୍ୱ ବିଭାଗ ଏକ ଗୁରୁତ୍ୱପୂର୍ଣ୍ଣ ସୁବିଧା ଆରମ୍ଭ କରିବାର ପ୍ରସ୍ତାବ ଦେଇଛି। ଏଣିକି ଜମି ସମ୍ପର୍କିତ ଯେକୌଣସି ଅଭିଯୋଗ, ଆବେଦନ କିମ୍ବା ସେବା ପାଇଁ ବାରମ୍ବାର ତହସିଲ କାର୍ଯ୍ୟାଳୟ ଯିବାକୁ ପଡ଼ିବ ନାହିଁ। ଏହି ସବୁ କାମ ହୋଇପାରିବ ୱାଟ୍ସଆପ୍‌ ଆପ୍ରୁ ମାଧ୍ୟମରେ। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଏହି ନୂଆ ପଦକ୍ଷେପର ସୂଚନା ଦେଇଛନ୍ତି।

ରାଜସ୍ୱ ବିଭାଗ ଏହି ନୂତନ ୱାଟ୍ସଆପ୍‌ ସେବା ମାଧ୍ୟମରେ ୨୪ ଘଣ୍ଟା ସେବା ଯୋଗାଇବ। ଏହି ସେବା ମାଧ୍ୟମରେ ଜମିଜମା ସମ୍ପର୍କିତ ସମସ୍ତ ଅଭିଯୋଗ ଓ ଆବେଦନ ଗ୍ରହଣ କରାଯିବ। କେବଳ ଗ୍ରହଣ କରିବା ନୁହେଁ, ଏକ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ସେଗୁଡିକର ସମାଧାନ ମଧ୍ୟ କରିବାକୁ ବିଭାଗ ପ୍ରତିଶ୍ରୁତିବଦ୍ଧ।

ମନ୍ତ୍ରୀ ପୂଜାରୀ କହିଛନ୍ତି ଯେ ଏହି ପଦକ୍ଷେପ ଫଳରେ ବିଭାଗୀୟ ଦୁର୍ନୀତି ବହୁଳ ଭାବେ କମିଯିବ ଏବଂ ସାଧାରଣ ଲୋକଙ୍କର ସମୟ ଓ ଶ୍ରମ ବଞ୍ଚିବ। ଯଦି କୌଣସି ଅଭିଯୋଗର ସମୟ ସୀମା ମଧ୍ୟରେ ସମାଧାନ ହୋଇପାରେ ନାହିଁ କିମ୍ବା ଦୁର୍ନୀତିର ଅଭିଯୋଗ ରହେ, ତେବେ ସଂପୃକ୍ତ ଅଧିକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଏଥି ସହିତ ଅଭିଯୋଗକାରୀଙ୍କୁ ଅନ୍ୟଏକ ଗୁରୁତ୍ୱପୂର୍ଣ୍ଣ ସୁବିଧା ଦିଆଯିବ। ତଳ ସ୍ତରରେ ସମସ୍ୟାର ସମାଧାନ ନହେଲେ, ସେମାନେ ସିଧାସଳଖ ରାଜସ୍ୱ ମନ୍ତ୍ରୀଙ୍କ ଅଫିସିଆଲ ୱାଟ୍ସଆପ୍‌ ନମ୍ବରରେ ଅଭିଯୋଗ କରିପାରିବେ। ଏହି ନୂତନ ୱାଟ୍ସଆପ୍‌ ସେବାକୁ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଉନ୍ମୋଚନ କରିବେ।

ଏହି ଖବର ସହିତ ମନ୍ତ୍ରୀ ପୂଜାରୀ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ବିଷୟରେ ସୂଚନା ଦେଇଛନ୍ତି। ରାଜ୍ୟର ୫୫ଟି ତହସିଲ କାର୍ଯ୍ୟାଳୟକୁ ରେଜିଷ୍ଟ୍ରି କାର୍ଯ୍ୟାଳୟରେ ରୂପାନ୍ତରିତ କରାଯିବ। ଏହାଦ୍ୱାରା ଜମି ସମ୍ପର୍କିତ କାମକାଜ ଏକୀକୃତ ହୋଇ ସେବା ଦେବାର ଗତି ଆହୁରି ଅଧିକ ତ୍ୱରାନ୍ୱିତ ହେବ ବୋଲି ଆଶା କରାଯାଉଛି।