FeaturedLatest

ଭାରତ ସମେତ ୧୬ଟି ଦେଶକୁ ଯିବା ଉପରେ ନିଷେଧାଦେଶ ଜାରି କଲା ସାଉଦୀ ଆରବ

ଜେଦ୍ଦା (ସଂକେତ୍ ଟିଭି) : : ଭାରତ ସମେତ ୧୬ଟି ଦେଶ ଭ୍ରମଣରୁ ବିରତ ରହିବା ଲାଗି ସାଉଦୀ ଆରବ ତା’ର ନାଗରିକମାନଙ୍କ ପ୍ରତି ନିଷେଧାଜ୍ଞା ଜାରି କରିଛି। ଗତ ଅଳ୍ପ କେତେ ସପ୍ତାହ ହେବ କୋଭିଡ୍-୧୯ ପୁନଃ ସଂକ୍ରମଣ ଆରମ୍ଭ ଏବଂ ଦୈନିକ କୋଭିଡ୍‌ ସଂକ୍ରମଣରେ ଦ୍ରୁତ ବୃଦ୍ଧି ହେବାରୁ ସାଉଦୀ ଆରବ ଏଭଳି ନିଶେଧାଦେଶ ଜାରି କରିଛି ।

ସାଉଦୀ ଆରବ ନିଷେଧାଜ୍ଞା ଜାରି କରିଥିବା ୧୬ ଦେଶ ମଧ୍ୟରେ ଭାରତ, ଲେବାନନ୍‌, ସିରିୟା, ତୁର୍କୀ, ଇରାନ୍‌, ଆଫଗାନିସ୍ତାନ, ୟେମେନ୍‌, ସୋମାଲିଆ, ଇଥିଓପିଆ, କଙ୍ଗୋ ଗଣତାନ୍ତ୍ରିକ ସାଧାରଣତନ୍ତ୍ର, ଲିବିୟା, ଇଣ୍ଡୋନେସିଆ, ଭିଏତ୍‌ନାମ, ଆର୍ମେନିଆ, ବେଲାରୁଷ୍‌ ଏବଂ ଭେନିଜୁଏଲା ଥିବା କଥା ‘ଗଲଫ୍‌ ନିଉଜ୍‌’ ରିପୋର୍ଟ କରିଛି।

ଏହାଛଡ଼ା, ‘ମଙ୍କିପକ୍ସ’ ସଂକ୍ରମଣ ବିଷୟରେ ସାଉଦୀ ଆରବର ସ୍ବାସ୍ଥ୍ୟମନ୍ତ୍ରାଳୟ ଜନସାଧାରଣଙ୍କୁ ଭରସା ଦେଇ କହିଛି ଯେ, ଦେଶରେ ଆଦୌ ‘ମଙ୍କିପକ୍ସ୍‌’ ମାମଲା ନାହିଁ।

ଉଲ୍ଲେଖଯୋଗ୍ୟ, ୧୧ଟି ଦେଶରେ ସମୁଦାୟ ୮୦ଟି ‘ମଙ୍କିପକ୍ସ୍‌’ ସଂକ୍ରମଣ ଚିହ୍ନଟ ହୋଇଥିବା କଥା ‘ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ’ ସୁନିଶ୍ଚିତ କରି କହିଛି। ଏହି ସଂକ୍ରମଣର ବ୍ୟାପ୍ତି ଓ କାରଣ ସଂକ୍ରାନ୍ତରେ ଅଧିକ ବୁଝିବା ଲାଗି ଉଦ୍ୟମ ଚାଲିଛି ବୋଲି ସେମାନେ କହିଛନ୍ତି।