FeaturedLatestNewsPolitics

ଇଭିଏମ୍‌ ଭାଙ୍ଗି ଗିରଫ ହେଲେ ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ

ଭୁବନେଶ୍ୱର (ସଂକେତ ଟିଭି) : ବିଜେପିର ଖୋର୍ଦ୍ଧା ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ ଗିରଫ ହୋଇଛନ୍ତି । ବୋଲଗଡ଼-ବେଗୁନିଆ ନିର୍ବାଚନ ମଣ୍ଡଳିର ରାଜସୁନାଖଳା ନିକଟ କାଉଁରିଆ ପାଟଣାର ୧୧୪ ନମ୍ବର ବୁଥରେ ପଶି ଭଙ୍ଗାରୁଜା ଘଟଣାରେ ପ୍ରଶାନ୍ତ ଜଗଦ୍ଦେବଙ୍କୁ ପୋଲିସ ଗିରଫ କରିଛି। ଗିରଫ ପରେ ତାଙ୍କୁ ଖୋର୍ଦ୍ଧା ଜେଲକୁ ପଠାଇ ଦିଆଯାଇଛି।

ପ୍ରିଜାଇଡିଂ ଅଫିସରଙ୍କ ଏତଲା ଆଧାରରେ ପୋଲିସ ତାଙ୍କୁ ଗିରଫ କରିଛି । ଗତକାଲି ଭୋଟିଂ ସମୟରେ ଇଭିଏମ୍ ଭାଙ୍ଗି ଭୁବନେଶ୍ବର ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀଙ୍କ ଗାଡିରେ ଫେରାର ହେଉଥିବା ବେଳେ ପ୍ରଶାନ୍ତଙ୍କୁ ଗୋଡାଇ ଗୋଡ଼ାଇ ପୋଲିସ ଧରିଥିଲା। ହଠାତ ବୁଥ୍ ଭିତରେ ପଶି ଭୋଟରଙ୍କୁ ଖରାପ ବ୍ୟବହାର କରିବା ସହ ପ୍ରିଜାଇଡିଂ ଅଫିସର ଓ ପୋଲିଂ ଅଫିସରଙ୍କୁ ଆକ୍ରମଣ କରିଥିଲେ।

ଏହି ଘଟଣାକୁ ନେଇ ରାଜ୍ୟ ସଭା ସଦସ୍ୟ ସସ୍ମିତ ପାତ୍ରଙ୍କ ନେତୃତ୍ୱରେ ବିଜେଡିର ଏକ ଟିମ୍‌ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ। ପରେ ପ୍ରିଜାଇଡିଂ ଅଫିସର ଜ୍ଞାନରଞ୍ଜନ ତ୍ରିପାଠୀଙ୍କ ଅଭିଯୋଗକ୍ରମେ ବୋଲଗଡ଼ ଥାନାରେ ଏକ ମାମଲା(ନଂ.୧୧୭/୨୦୨୪) ରୁଜୁ କରାଯାଇ ଜଗଦ୍ଦେବଙ୍କୁ ଗିରଫ କରାଯାଇଛି ।