EducationFeaturedLatestNews

ପ୍ରକାଶ ପାଇଲା ଯୁକ୍ତ ଦୁଇ କଳା,ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଫଳ

ଭୁବନେଶ୍ୱର (ସଂକେତ ଟିଭି) : ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ପାଇଛି। ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚଏସଇ) ପକ୍ଷରୁ ଗୋଟିଏ ଦିନରେ କଳା,ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ରେଜଲ୍ଟ ପ୍ରକାଶ କରାଯାଇଛି। ଚଳିତ ବର୍ଷ କଳାରେ ପାସ୍‌ ହାର ୮୦.୯୫ ପ୍ରତିଶତ, ବିଜ୍ଞାନରେ ପାସ୍‌ ହାର ୮୬.୯୩ ପ୍ରତିଶତ, ବାଣିଜ୍ୟରେ ପାସ୍‌ ହାର ୮୨.୨୭ ପ୍ରତିଶତ ଓ ଧନ୍ଦାମୂଳକ ଶିକ୍ଷାରେ ୬୮.୦୨ ପ୍ରତିଶତ ପାସହାର ରହିଛି।

ଚଳିତ ବର୍ଷ ମଧ୍ୟ ଛାତ୍ରଙ୍କଠାରୁ ଛାତ୍ରୀ ଆଗରେ ରହିଛନ୍ତି । କଳାରେ ପୁଅଙ୍କ ଅପେକ୍ଷା ଝିଅଙ୍କ ପାସ୍‌ ହାର ଅଧିକ ରହିଛି । ୧,୦୪,୪୪୭ ପୁଅ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୭୫,୯୧୩ ଉତ୍ତୀର୍ଣ୍ଣ ହୋଇଛନ୍ତି । କଳାରେ ପୁଅଙ୍କ ପାସ୍‌ ହାର ୭୨.୬୮ ପ୍ରତିଶତ ରହିଛି । ୧,୩୦,୭୭୧ ଝିଅ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧,୧୪,୫୧୬ ଉତ୍ତୀର୍ଣ୍ଣ ହୋଇଛନ୍ତି । ଝିଅଙ୍କ ପାସ୍ ହାର ୮୭.୫୬ ପ୍ରତିଶତ ରହିଛି । କଳାରେ ମୋଟ୍ ୨,୩୫,୨୧୮ ଜଣ ପରୀକ୍ଷା ଦେଇଥିଲେ,ଏମାନଙ୍କ ମଧ୍ୟରୁ ପାସ୍ କରିଛନ୍ତି ୧,୯୦,୪୨୯ ଜଣ ଛାତ୍ରଛାତ୍ରୀ।

ସେହିପରି ଚଳିତ ବର୍ଷ ବିଜ୍ଞାନରେ ମଧ୍ୟ ପୁଅଙ୍କୁ ପଛରେ ପକାଇଛନ୍ତି ଝିଅ । ବିଜ୍ଞାନରେ ୧ ଲକ୍ଷ ୧୬ ହଜାର ୬୨୦ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୬୦,୯୭୩ ପୁଅ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୫୨,୫୬୭ ଉତ୍ତୀର୍ଣ୍ଣ କରିଛନ୍ତି। ପୁଅଙ୍କ ପାସ୍‌ ହାର ୮୬. ୨୧ ପ୍ରତିଶତ ରହିଛି। ୫୪,୯୨୨ ଝିଅ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୪୮,୧୯୦ ପାସ୍ କରିଛନ୍ତି। ଝିଅଙ୍କ ପାସ୍ ହାର ୮୭.୭୪ ପ୍ରତିଶତ ରହିଛି। ଏଥି ସହିତ ଯୁକ୍ତ ଦୁଇ କମର୍ସରେ ବି କମାଲ ଦେଖାଇଛନ୍ତି ଝିଅ । ବାଣିଜ୍ୟରେ ୯୪୩୧ ଝିଅ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୮୦୬୯ ପାସ୍ ଓ ୧୬,୪୬୬ ପୁଅ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୩,୨୩୯ ପାସ୍ କରିଛନ୍ତି। ଝିଅଙ୍କ ପାସ୍ ହାର ୮୫.୫୫ ପ୍ରତିଶତ, ପୁଅଙ୍କ ପାସ୍ ହାର ୮୦.୪୦ ପ୍ରତିଶତ ରହିଛି।

ଚଳିତବର୍ଷ ୩ ଲକ୍ଷ ୮୬ ହଜାର ୨୫୦ ଜଣ ପରୀକ୍ଷାର୍ଥୀ ଯୁକ୍ତ ୨ ପରୀକ୍ଷା ଦେଇଛନ୍ତି। ଏମାନଙ୍କ ମଧ୍ୟରେ ୩ ଲକ୍ଷ ୬୦ ହଜାର ୧୯୮ ଜଣ ରେଗୁଲାର ଏବଂ ୨୬ ହଜାର ୫୨ ଜଣ ଏକ୍ସ ରେଗୁଲାର ପରୀକ୍ଷାର୍ଥୀ ଅଛନ୍ତି। କଳା ବିଭାଗରେ ୨ ଲକ୍ଷ ୩୫ ହଜାର ୨୧୮ଜଣ ପରୀକ୍ଷାର୍ଥୀ ଥିବାବେଳେ ବିଜ୍ଞାନରେ ୧ ଲକ୍ଷ ୧୬ ହଜାର ୬୨୦, ବାଣିଜ୍ୟରେ ୨୬ ହଜାର ୮୯ ଜଣ ଓ ଧନ୍ଦାମୂଳକରେ ୫ହଜାର ୭୯୧ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି। ମୋଟ ଛାତ୍ରଙ୍କ ମଧ୍ୟରୁ ୧ ଲକ୍ଷ ୯୯ ହଜାର ୩୬୧ଜଣ ଛାତ୍ରୀ ଥିବାବେଳେ ଛାତ୍ରଙ୍କ ସଂଖ୍ୟା ୧ ଲକ୍ଷ ୮୬ ହଜାର ୮୮୯ ରହିଛି।