FeaturedLatestNews

ଭୀଷଣ ରୂପ ନେଇଛି ବାତ୍ୟା ରେମାଲ, ଉତ୍ତର ଓଡିଶାରେ ପ୍ରବଳ ବର୍ଷା ଆଶଂକା

ଭୁବନେଶ୍ୱର (ସଂକେତ ଟିଭି) : ବାଂଲାଦେଶ ଓ ପଶ୍ଚିମବଙ୍ଗ ଉପକୂଳରେ ରହିଛି ବାତ୍ୟା ‘ରେମାଲ’ । ଏହା ତୀବ୍ର ବାତ୍ୟାର ରୂପ ନେଇ ସାରିଛି । ଆଜି ମଧ୍ୟରାତ୍ରୀରେ ଏହା ବାଂଲାଦେଶ ଓ ପଶ୍ଚିମବଙ୍ଗ ଉପକୂଳକୁ ଅତିକ୍ରମ କରିବାର ସମ୍ଭାବନା ରହିଛି । ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜରେ ପ୍ରବଳ ବର୍ଷା ସମ୍ଭାବନା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଉପକୂଳ ଓଡିଶାରେ ମଧ୍ୟ ଆଜି କିଛି ସ୍ଥାନରେ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ୪୮ ଘଣ୍ଟା ପରେ ରାଜ୍ୟରେ ପାରା ବଢିବ ବୋଲି ଆକଳନ ହୋଇଛି । ସେପଟେ ‘ରେମାଲ’ର ପ୍ରଭାବ ଓଡ଼ିଶାରେ ଏହାର ସିଧା ପ୍ରଭାବ ନପଡ଼ିଲେ ମଧ୍ୟ ଉପକୂଳ ଜିଲ୍ଲା ଗୁଡିକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ଏ ନେଇ ସ୍ବତନ୍ତ୍ର ରିଲିଫ କମିଶନର ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଓ କେନ୍ଦ୍ରାପଡା ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବର୍ଷା ସହ ପବନ ବହିବାର ଆଶଙ୍କା ଥିବାରୁ ପରିସ୍ଥିତିର ମୁକାବିଲା ପାଇଁ ଓଡ୍ରାଫ ଓ ଅଗ୍ନିଶମ କର୍ମଚାରୀଙ୍କୁ ମୁତୟନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ୨୭ ତାରଖ ଯାଏଁ ସମୁଦ୍ରରେ ମାଛ ମାରିବା ଉପରେ ପ୍ରତିବନ୍ଧକ ଲଗାଯାଇଛି ।

ସେପଟେ ବାଂଲାଦେଶର ଦକ୍ଷିଣ ଓ ଦକ୍ଷିଣ ପଶ୍ଚିମ ଖେପୁପରାରେ ଏହା କେନ୍ଦ୍ରୀଭୂତ ହେଉଛି। ଲ୍ଯାଣ୍ଡଫଲ ବେଳେ ପବନର ଗତି ଘଣ୍ଟାକୁ ୧୧୦ରୁ ୧୨୦ କିଲୋମିଟର ରହିବ। କେତେକାଂଶରେ ଏହା ୧୩୫ କିଲୋମିଟର ହେବ ବୋଲି ସୂଚନା ମିଳିଛି। ସମୁଦ୍ରରେ ଦେଢ ମିଟର ଉଚ୍ଚର ଜୁଆର ଉଠିବା ଆଶଙ୍କା ରହିଛି। 

ଆସାମ, ମେଘାଳୟ, ମଣିପୁର, ଅରୁଣାଚଳ ପ୍ରଦେଶ ଓ ନାଗାଲାଣ୍ଡରେ ପ୍ରବଳ ବର୍ଷା ଆଶଙ୍କା କରାଯାଇଛି। ଦୀଘା ସମୁଦ୍ରକୂଳରେ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି। ଦୋକାନ ବଜାର ବନ୍ଦ ଲାଗି ନିର୍ଦ୍ଦେଶ ଦିଆଯାଇଥିବାବେଳେ ସମୁଦ୍ରରେ ସ୍ନାନ ଲାଗି ପର୍ଯ୍ୟଟକଙ୍କୁ ବାରଣ କରାଯାଇଛି। ବାତ୍ଯା ଆଶଙ୍କା ଥିବାରୁ ଏହାର ପ୍ରଭାବ ବିମାନ ବନ୍ଦର ଓ ଷ୍ଟେସନରେ ପଡିଛି। କେତେକ ବିମାନର ଉଡାଣ ବାତିଲ କରାଯାଇଥିବା ବେଳେ କିଛି ଟ୍ରେନର ଯାତାୟତକୁ ବାତିଲ କରାଯାଇଛି।