FeaturedGeneralLatest

ହେଲିକପ୍ଟର କ୍ରାସରେ ଇରାନ ରାଷ୍ଟ୍ରପତି ମୃତ

ନୂଆଦିଲ୍ଲୀ (ସଂକେତ ଟିଭି): ହେଲିକପ୍ଟର ଦୁର୍ଘଟଣାରେ ଇରାନ ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କ ମୃତ୍ୟୁ ହୋଇଛି । ତାଙ୍କ ସହ ହେଲିକପ୍ଟରରେ ଯାତ୍ରା କରୁଥିବା ବୈଦେଶିକ ମନ୍ତ୍ରୀ ହୋସେନ ଅମିର୍ ଅବଦୋଲ୍ଲାହାନଙ୍କ ଏବଂ ଅନ୍ୟ ଅଧିକାରୀମାନେ ମଧ୍ୟ ପ୍ରାଣ ହରାଇଛନ୍ତି ।

ସମାଚାର ଏଜେନ୍ସି ରୟଟର୍ସ ଜଣେ ଇରାନୀ ଅଧିକାରୀଙ୍କ ବୟାନକୁ ଆଧର କରି କହିଛି, ରେସକ୍ୟୁ ଟିମ୍ ରାଷ୍ଟ୍ରପତିଙ୍କ ହେଲିକପ୍ଟର ଦୁର୍ଘଟଣାସ୍ଥଳୀରେ ପହଞ୍ଚିଛନ୍ତି । ସେଠାରୁ ବିମାନର ଧ୍ବଂସାବଶେଷକୁ ଠାବ କରାଯାଇଛି । କ୍ରାସ ପରେ ହେଲେକପ୍ଟରଟି ସମ୍ପୂର୍ଣ୍ଣ ଭାବେ ଜଳିଯାଇଥିବା ଦେଖାଯାଇଛି । ଦୁର୍ଘଟଣାସ୍ଥଳରୁ ରଇସିଙ୍କ ସମେତ ଅନ୍ୟମାନଙ୍କ ମୃତଦେହ ଉଦ୍ଧାର ହୋଇଛି । ଡ୍ରୋନ ଜରିଆରେ ହେଲିକପ୍ଟରଟିକୁ ଠାବ କରାଯାଇଛି ।

ଉଲ୍ଲେଖଯୋଗ୍ୟ ଯେ, ଆଜରବାଇଜାନ ଓ ଇରାନ ସୀମାନ୍ତ ଆରସ ନଦୀରେ ଏକ ସେତୁ ଉଦଘାଟନ କାର୍ଯ୍ୟକ୍ରମ ଥିଲା । ଏଥିରେ ଆଜରବାଇଜାନର ରାଷ୍ଟ୍ରପତି ଇଲହାମ ଅଲିୟେଭ ଓ ଇରାନର ରାଷ୍ଟ୍ରପତି ଇବ୍ରାହିମ ରଇସି ଯୋଗ ଦେଇଥିଲେ । ସେଠାରୁ ରଇସି ଫେରିବା ସମୟରେ ରାଜଧାନୀ ତେହରାନରୁ ପ୍ରାୟ ୬୦୦ କିଲୋମିଟର ଉତ୍ତର-ପଶ୍ଚିମ ଜୋଲଫା ସହ ସୀମାନ୍ତରେ ଏହି ଦୁର୍ଘଟଣା ଘଟିଥିଲା । ଘନ କୁହୁଡି ଯୋଗୁଁ ହେଲିକପ୍ଟରଟି ପାହାଡରେ ମାଡ ହେବା ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଅନ୍ତର୍ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।

ସେନାବାହିନୀ, ଇସଲାମିକ ରିଭୋଲ୍ୟୁସନ ଗାର୍ଡ କର୍ପସ ପକ୍ଷରୁ ସର୍ଚ୍ଚ ଅପରେସନ କରାଯାଇଥିଲା । ତେବେ ବର୍ଷା ଓ କୁହୁଡି ଯୋଗୁଁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା । ସେପଟେ ସାରା ଦେଶରେ ରାଷ୍ଟ୍ରପତି ଏବଂ ହେଲିକପ୍ଟରରେ ଥିବା ଅନ୍ୟମାନଙ୍କ ସୁରକ୍ଷା ପାଇଁ ପ୍ରାର୍ଥନା ହୋଇଥିଲା ।