LatestNewsPolitics

ବିଜେଡି ଓଡିଶାରେ ଲୁଟ୍ ତରାଜ୍ ଚଳାଇଛି : ପ୍ରଧାନମନ୍ତ୍ରୀ ମୋଦୀ

କଟକ (ସଂକେତ ଟିଭି): ବିଜେଡିର କଳାଚିଠା ଏବେ ଲୋକଙ୍କ ସାମ୍ନାକୁ ଆସିଛି। ବିଜେଡିର ଭ୍ରଷ୍ଟାଚାରୀ ରାକେଟକୁ ନେଇ ଲୋକ ଅତିଷ୍ଠ ହେଲେଣି। ଜୁନ୍ ୧୦ରେ ଓଡ଼ିଶାରେ ବିଜେପିର ମୁଖ୍ୟମନ୍ତ୍ରୀ ଶପଥ ନେବା ନିଶ୍ଚିତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଟକରେ ଆୟୋଜିତ ସାଧାରଣ ସଭାରେ ଏଭଳି କହିଛନ୍ତି ।

ମୋଦୀ କହିଛନ୍ତି, ବିଜେଡି ଓଡ଼ିଶାକୁ ଲ୍ୟାଣ୍ଡ, ସ୍ୟାଣ୍ଡ, କୋଇଲା ମାଫିଆ ଦେଇଛି। କଂଗ୍ରେସ ସରକାର ସମୟରେ ପୁରୁଣା ଖଣି ଉତ୍ତୋଳନ ନୀତିରେ ମାତ୍ର ୫୦୦୦ କୋଟି ମିଳୁଥିଲା । କିନ୍ତୁ ମୋଦୀ ସରକାରରେ ଏହା ୫୦ ହଜାର କୋଟିକୁ ବୃଦ୍ଧି ପାଇଛି। ଡିଏମଏଫ ଜରିଆରେ ୨୬ ହଜାର କୋଟି ଟଙ୍କା ମିଳିଛି। ଏଠାରେ ରାସ୍ତା,ବିଜୁଳି, ହସ୍ପିଟାଲ, ସ୍କୁଲରେ ଅବ୍ୟବସ୍ଥା ରହିଛି। ତେଣୁ ଦିଲ୍ଲୀରୁ ଆସିଥିବା ଟଙ୍କା କୁଆଡେ ଗଲା? ବିଜେଡି ନେତାମାନେ ଆପଣଙ୍କୁ ଲୁଟିବାରେ ଲାଗିଛନ୍ତି। ସେମାନେ କମିସନ୍ ନ ମିଳିବା ଯାଏ ପ୍ରକଳ୍ପ ଅଟକାଇ ରଖୁଛନ୍ତି। ଓଡ଼ିଶାରେ ଚାଲିଥିବା ଏ ଲୁଟତରାଜ ବନ୍ଦ ହେବା ଦରକାର। ଆପଣଙ୍କ ଭୋଟ୍ ବିଜେଡିର ଭ୍ରଷ୍ଟ ସରକାରକୁ ହଟାଇବ। ଆପଣମାନଙ୍କ ଭୋଟ ହିଁ ଏ ଲୁଟତରାଜ ବନ୍ଦ କରିବ। ଆପଣଙ୍କ ଭୋଟ ହିଁ ଓଡ଼ିଶାର ଭାଗ୍ୟ ବଦଳାଇ ପାରିବ।

ମୋଦୀ କହିଛନ୍ତି, ଜଣେ ମାଫିଆ ଅଛନ୍ତି, ଯିଏ ପ୍ରତି ସେକ୍ଟର ଉପରେ କବ୍‌ଜା କରି ବସିଛନ୍ତି। ଜୁନ୍‌ ୧୦ରେ ବିଜେପି ସରକାର ଆସିଲେ ଏ ମାଫିଆର ଅଣ୍ଟା ଭଙ୍ଗାଯିବ। ଏବେ ବିଜେପିକୁ ଦାୟିତ୍ବ ଦିଅନ୍ତୁ। ଆମକୁ ନିବେଶ ଦରକାର। ବିଜେପିର ତାକତ୍ ଅଛି। ଏ କାମ ବିଜେପି କରିପାରିବ। ବିଜେପି ହିଁ ଓଡ଼ିଶାକୁ ଶିଖରରେ ପହଞ୍ଚାଇପାରିବ। ଓଡ଼ିଶାର ସଂସ୍କୃତି ବୁଝୁନଥିବା ଲୋକ କିଭଳି ଏହାର ନେତୃତ୍ବ ନେବ।

ମୋଦୀ କହିଛନ୍ତି ଯେ ଆପଣଙ୍କୁ ମୋଦି ଗ୍ୟାରେଣ୍ଟି ଦେଇ ଯାଉଛି, ଆପଣ ଏଠାରେ ବିଜେପି ସରକାରକୁ କ୍ଷମତାକୁ ଆଣନ୍ତୁ । ଓଡିଶାର ପୁଅ କିମ୍ବା ଝିଅ ହିଁ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବେ । ତାରିଖ କହି ସାରିଛି, ମନେ ଅଛି କି ନାହିଁ । ୧୦ ଜୁନରେ ଓଡିଶାରେ ‘ଡବଲ ଇଞ୍ଜିନ’ ସରକାରର ଶପଥ ଗ୍ରହଣ ସମାରୋହ ହେବ । ଏକବିଂଶ ଶତାବ୍ଦୀରେ ଓଡିଶାକୁ ଦ୍ରୁତ ବିକାଶମୁଖୀ ସରକାର ଦରକାର ।