FeaturedGeneralLatest

ଝଡ଼ତୋଫାନରେ ଫସିଲା ସିଙ୍ଗାପୁର ଏୟାରଲାଇନ୍ସ ବିମାନ; ଜଣେ ଯାତ୍ରୀ ମୃତ, ୩୦ ଆହତ

ନୂଆଦିଲ୍ଲୀ (ସଂକେତ ଟିଭି) : ଲଣ୍ଡନରୁ ସିଙ୍ଗାପୁର ଯାଉଥିବା ସିଙ୍ଗାପୁର ଏୟାରଲାଇନ୍ସର ଏକ ବିମାନ ୭୭୭-୩୦୦ଇଆରକୁ ମଝି ଆକାଶରେ ଝଡତୋଫାନର ସାମ୍ନା କରିବାକୁ ପଡିଛି । ଏହି ସମୟରେ ଝଟକା ଯୋଗୁଁ ଜଣେ ଯାତ୍ରୀଙ୍କ ମୃତ୍ୟୁ ହେବା ସହ ୩୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ଏୟାର ଟର୍ବୁଲାନ୍ସ ମଧ୍ୟରେ ପ୍ଲେନକୁ ବ୍ୟାଂକକରେ ଜରୁରିକାଳୀନ ଲ୍ୟାଣ୍ଡିଂ କରାଇବାକୁ ପଡିଛି । ଏହି ସମୟରେ ବିମାନରେ ୨୧୧ ଯାତ୍ରୀ ଏବଂ ୧୮ ଜଣ ବିମାନ ସଦସ୍ୟ ଥିଲେ ।

ସିଙ୍ଗାପୁର ଏୟାରଲାଇନର ବୋଇଂ ୭୭୭-୩୦୦ଇଆର୍ ବିମାନ ମଙ୍ଗଳବାର ଲଣ୍ଡନରୁ ଉଡାଣ ଭରିଥିଲା । ସନ୍ଧ୍ୟା ୬ଟା ୧୦ ମିନିଟ୍ ସମୟରେ ସିଙ୍ଗାପୁରର ଚାଙ୍ଗି ବିମାନବନ୍ଦରରେ ଏହା ଅବତରଣ କରିଥାନ୍ତା । କିନ୍ତୁ ଯାତ୍ରା ସମୟରେ ଏହା ବହୁତ ଜୋରରେ ହଲିବାକୁ ଲାଗିଥିଲା । ଏହାକୁ ୩ଟା ୪୫ ମିନିଟ୍ ସମୟରେ ଜରୁରିକାଳୀନ ଅବତରଣ କରାଯାଇଥିଲା । ସେତେବେଳକୁ ଜଣେ ଯାତ୍ରୀ ପ୍ରାଣ ହରାଇସାରିଥିଲେ । ଏହା ପରେ ଅନ୍ୟ ଆହତଙ୍କୁ ତୁରନ୍ତ ଚିକିତ୍ସା ପାଇଁ ପଠାଯାଇଥିଲା ।

ଗୋଟିଏ ବିମାନ ଆକାଶରେ ଉଡ଼ୁଥିବାବେଳେ ତାହାର ଡେଣାରେ ଅନିୟନ୍ତ୍ରିତଭାବେ ପବନ ମାଡ଼ ହେଲେ ବିମାନରେ ଏୟାର ଟର୍ବୁଲାନ୍ସ ହୋଇଥାଏ । ଏହି କାରଣରୁ ବିମାନଟି ନିର୍ଦ୍ଧାରିତ ଉଚ୍ଚତାରୁ ଉପରକୁ ଓ ତଳକୁ ଗତି କରିବା ଆରମ୍ଭ କରିଦିଏ, ଯାହା ଫଳରେ ଯାତ୍ରୀମାନେ ଆତଙ୍କିତ ହେବା ଆରମ୍ଭ କରିଦିଅନ୍ତି । ଏହି ଅସ୍ଥିରତା ପାଣିପାଗ ସହିତ ମଧ୍ୟ ଜଡିତ ହୋଇପାରେ । ଆକାଶରେ କଳାବାଦଲ ରହିବା ସହ ବଜ୍ରପାତ ସମୟରେ ବି ବିମାନରେ ଏୟାର ଟର୍ବୁଲାନ୍ସ ହୋଇଥାଏ ।