ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ଅର୍ଥନୈତିକ କରିଡରର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର (ସଂକେତ ଟିଭି): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନସ୍ଥିତ କନ୍ଭେନ୍ସନ୍ ସେଣ୍ଟରରେ ଆୟୋଜିତ ଏକ ବିଶେଷ କାର୍ଯ୍ୟକ୍ରମରେ ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ଅର୍ଥନୈତିକ କରିଡର (BCPPER) ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି କରିଡରକୁ ଓଡ଼ିଶା ଭିଜନ ୨୦୪୭ର ମୁଖ୍ୟ ବୃଦ୍ଧି ଇଞ୍ଜିନ୍ ବୋଲି କୁହାଯାଇଛି ।
ପୁରୀ, ଖୋର୍ଦ୍ଧା, କଟକ ଓ ଜଗତସିଂହପୁର ଜିଲ୍ଲା ଅନ୍ତର୍ଭୁକ୍ତ ଏହି କରିଡର ୧୧,୮୯୨ ବର୍ଗ କିଲୋମିଟର୍ ଅଞ୍ଚଳ ବ୍ୟାପୀ । ୨୦୨୫ରେ ଏହି ଅଞ୍ଚଳର ଅବଦାନ ରାଜ୍ୟର ସମୁଦାୟ ଜିଡିପିର ୧୯% ଥିଲା, ଯାହାର ମୂଲ୍ୟ ପ୍ରାୟ ୨୨.୩୮ ବିଲିୟନ ଡଲାର୍ । ୨୦୪୭ ସୁଦ୍ଧା ଏହି ଅବଦାନକୁ ୧୫ ଗୁଣା ବୃଦ୍ଧି କରି ୫୦୦ ବିଲିୟନ ଡଲାର୍ କରିବା ଲକ୍ଷ୍ୟ ରଖାଯାଇଛି । ଯୋଜନାରେ ୮୦ଟି ପ୍ରକଳ୍ପ ଏବଂ ୩୦ଟି ଢାଞ୍ଚାଗତ ନୀତି ସ୍ଥାନ ପାଇଛି ।
ଉଦଘାଟନୀ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, “ପୁରୀର ସାଂସ୍କୃତିକ ଗାରିମା, ପାରାଦୀପର ବନ୍ଦର, ଭୁବନେଶ୍ୱରର ଆଇଟି ଶିକ୍ଷା ହବ୍ ଏବଂ କଟକର ଐତିହ୍ୟ ଏହି ଅଞ୍ଚଳକୁ ଏକ ବିଶେଷ ପରିଚୟ ଦେବ । ଆମେ ଅର୍ଥନୈତିକ କ୍ଷେତ୍ରରେ ଦ୍ରୁତ ଗତିରେ ଆଗେଇବୁ । ପ୍ରତ୍ୟେକ ଯୋଜନା ସହରୀ ବିକାଶ ସହ ସମନ୍ୱିତ ହେବା ଜରୁରୀ ।”
୨୦୨୬-୨୭ ବଜେଟ୍ରେ କେନ୍ଦ୍ର ସରକାର ପ୍ରସ୍ତାବିତ ‘ସିଟି ଇକୋନୋମିକ୍ ରିଜିଅନ୍’ ତାଲିକାରେ BCPPER କରିଡର ସ୍ଥାନ ପାଇଛି । ପ୍ରତ୍ୟେକ ଏହିଭଳି ଅଞ୍ଚଳ ପାଇଁ କେନ୍ଦ୍ର ସରକାର ୫ ହଜାର କୋଟି ଟଙ୍କା ଯୋଗାଇବେ ବୋଲି ଘୋଷଣା କରାଯାଇଛି ।
ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି ଯେ ଏହି ଯୋଜନା ରାଜ୍ୟର ଭବିଷ୍ୟତ ଗଠନରେ ନିର୍ଣ୍ଣାୟକ ହେବ ଏବଂ ଅନ୍ୟ ସହରଗୁଡ଼ିକ ପାଇଁ ମଧ୍ୟ ଏହି ମାଡେଲ୍ ଅନୁସରଣ କରାଯିବ ।
ନୀତି ଆୟୋଗର ସିଇଓ ଭି.ଭି.ଆର. ସୁବ୍ରବଣ୍ୟମ୍ କହିଛନ୍ତି, “ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶା ପ୍ରତି ଅଛି ଏକ ଗଭୀର ସମ୍ପର୍କ । ଓଡ଼ିଶା ପାଇଁ ‘ବିକଶିତ ଓଡ଼ିଶା’ ଭିଜନ ଦଲିଲକୁ ସ୍ୱୟଂ ପ୍ରଧାନମନ୍ତ୍ରୀ ଉଦ୍ଘାଟନ କରିଥିଲେ, ଯାହା ଅନ୍ୟ ରାଜ୍ୟପାଇଁ ଘଟିନଥିଲା ।”
