BusinessFeaturedLatestNews

ଆସନ୍ତା କାଲି ଭାରତ ବନ୍ଦ: ଦେଶବ୍ୟାପୀ ଚକା ଜାମ୍ ପାଇଁ ବଡ଼ ପ୍ରସ୍ତୁତି

ନୂଆଦିଲ୍ଲୀ(ସଂକେତ ଟିଭି): ଆସନ୍ତାକାଲି (୧୨ ଫେବୃଆରୀ) ଦେଶବ୍ୟାପୀ ‘ଭାରତ ବନ୍ଦ’ ଡାକରା ଦିଆଯାଇଛି। କେନ୍ଦ୍ରୀୟ ଶ୍ରମିକ ସଂଗଠନ ଏବଂ ବିଭିନ୍ନ କୃଷକ ସଂଗଠନର ମିଳିତ ତତ୍ତ୍ୱାବଧାନରେ ଏହି ବନ୍ଦ କାର୍ଯ୍ୟକାରୀ ହେବ। ସଂଗଠନ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏଥିରେ ପ୍ରାୟ ୩୦ କୋଟିରୁ ଅଧିକ ଶ୍ରମିକ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି।

INTUC, AITUC, HMS, CITU ସମେତ ୧୦ଟି ପ୍ରମୁଖ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଏହି ଧର୍ମଘଟର ନେତୃତ୍ୱ ନେଉଛନ୍ତି। ଏହାସହ ସଂଯୁକ୍ତ କିଷାନ ମୋର୍ଚ୍ଚା, ଅଲ୍ ଇଣ୍ଡିଆ କିଷାନ ସଭା ଏବଂ ଭାରତୀୟ କିଷାନ ୟୁନିଅନ୍ ଭଳି ପ୍ରମୁଖ ଚାଷୀ ସଂଗଠନ ଏହି ବନ୍ଦକୁ ସମର୍ଥନ ଜଣାଇଛନ୍ତି। ବ୍ୟାଙ୍କ କର୍ମଚାରୀ ସଂଘ ମଧ୍ୟ ଏହି ଆନ୍ଦୋଳନରେ ସାମିଲ ହେବେ।

ଶ୍ରମିକ ଓ କୃଷକ ସଂଗଠନଗୁଡ଼ିକ କେନ୍ଦ୍ର ସରକାରଙ୍କ ବିଭିନ୍ନ ନୀତିକୁ ବିରୋଧ କରି ଏହି ବନ୍ଡ ଡାକରା ଦେଇଛନ୍ତି। ସେମାନଙ୍କର ପ୍ରମୁଖ ଦାବି ଗୁଡ଼ିକ ହେଲା:

  • ଚାରୋଟି ଶ୍ରମ କୋଡ୍ ତୁରନ୍ତ ପ୍ରତ୍ୟାହାର କରାଯାଉ।
  • ଭାରତ-ଆମେରିକା ବାଣିଜ୍ୟ ଚୁକ୍ତିକୁ ବିରୋଧ।
  • MGNREGA (ମନରେଗା)ର ସୁରକ୍ଷା ଏବଂ ଗ୍ରାମୀଣ ରୋଜଗାର ଯୋଜନାରେ ପରିବର୍ତ୍ତନକୁ ବିରୋଧ।
  • ବିଦ୍ୟୁତ ସଂଶୋଧନ ବିଲ୍ ପ୍ରତ୍ୟାହାର।
  • ସର୍ବନିମ୍ନ ମଜୁରୀ ବୃଦ୍ଧି।
  • ଚାଷୀଙ୍କ ପାଇଁ MSP (ନ୍ୟୂନତମ ସମର୍ଥନ ମୂଲ୍ୟ)ର ଆଇନଗତ ଗ୍ୟାରେଣ୍ଟି।
  • ଘରୋଇକରଣ ନୀତି ବନ୍ଦ କରିବା।

କେଉଁ କେଉଁ ସେବା ପ୍ରଭାବିତ ହେବ?

ବନ୍ଦ ଫଳରେ ଦେଶବ୍ୟାପୀ ସାର୍ବଜନୀନ ପରିବହନ, ବସ୍, ଟ୍ରେନ୍, ସରକାରୀ ଅଫିସ୍, ସ୍କୁଲ-କଲେଜ ଏବଂ ବଜାର ବନ୍ଦ ରହିବାର ସମ୍ଭାବନା ରହିଛି। ବ୍ୟାଙ୍କିଙ୍ଗ୍ ସେବା ବାଧାପ୍ରାପ୍ତ ହେବ ଏବଂ ଟଙ୍କା କାରବାର ପ୍ରଭାବିତ ହୋଇପାରେ। ତେବେ ଡାକ୍ତରଖାନା ଏବଂ ଅନ୍ୟାନ୍ୟ ଜରୁରୀ ସେବା ଚାଲୁ ରହିବ। ପରିସ୍ଥିତିକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ସ୍କୁଲ-କଲେଜ ଛୁଟି ଘୋଷଣା କରାଯାଇପାରେ।