FeaturedGeneralLatestPolitics

ବନ୍ଧୁ ନୁହଁ, ଚାକର ଭଳି ଭାରତକୁ ବ୍ୟବହାର କରୁଛନ୍ତି ଟ୍ରମ୍ପ : ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ(ସଂକେତ ଟିଭି): ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରଙ୍କୁ ‘ଚାକର’ଭଳି ବ୍ୟବହାର କରୁଥିବା ପରୋକ୍ଷରେ ଇଙ୍ଗିତ କରିଛନ୍ତି ଲୋକସଭା ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ। ସଂସଦରେ କେନ୍ଦ୍ର ସରକାରଙ୍କୁ ମର୍ମଭେଦୀ ବାଣ ମାରି ଶ୍ରୀ ଗାନ୍ଧୀ କହିଛନ୍ତି ଯେ, ଯଦି ଇଣ୍ଡିଆ ମେଣ୍ଟ ସରକାରରେ ଥାଆନ୍ତା, ତେବେ ଟ୍ରମ୍ପଙ୍କୁ ବାଣିଜ୍ୟ ଡିଲ୍ର ମୁଲଚାଲ ଏକ ବନ୍ଧୁ ଭଳି କରାଯାଇଥାଆନ୍ତା, ଚାକର ଭଳି ନୁହେଁ।

ରାହୁଲ ଗାନ୍ଧୀ ଆମେରିକା ସହ ଭାରତର ବାଣିଜ୍ୟ ଡିଲ୍କୁ ସମ୍ପୂର୍ଣ୍ଣ ଏକପାଖିଆ ବୋଲି ଅଭିହିତ କରିଛନ୍ତି। ଏହି ଡିଲ୍ ପାଇଁ ଟ୍ରମ୍ପଙ୍କୁ ସର୍ତ୍ତ ରଖିବାକୁ ସୁଯୋଗ ଦେଇଥିବାରୁ ସେ କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଶାସକଦଳର ତୀବ୍ର ବିରୋଧ ସତ୍ତ୍ୱେ ନିଜ ଦୃଢ଼ତା ଜାରି ରଖି ସେ ତିନୋଟି ଗୁରୁତ୍ୱପୂର୍ଣ୍ଣ ପଏଣ୍ଟ ଉପରେ ଗୁରୁତ୍ୱାରୋପ କରିଛନ୍ତି।

ରାହୁଲ କହିଛନ୍ତି, “ଯଦି ଇଣ୍ଡିଆ ମେଣ୍ଟ ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ ଆଲୋଚନା କରିଥାଆନ୍ତା, ତେବେ ଆମେ ପ୍ରଥମେ କହିଥାନ୍ତୁ: ‘ଯଦି ଆପଣ ଆପଣଙ୍କ ଡଲାରକୁ ସୁରକ୍ଷିତ ରଖିବାକୁ ଚାହାଁନ୍ତି, ତେବେ ଆମକୁ ବନ୍ଧୁ ବନାନ୍ତୁ। ଆପଣଙ୍କ ଡଲାରକୁ ସୁରକ୍ଷା ଦେଇପାରୁଥିବା ସବୁଠୁ ବଡ଼ ସମ୍ପତ୍ତି ଭାରତୀୟଙ୍କ ପାଖରେ ଅଛି। ଯଦି ଆପଣ ଏହି ଡାଟା ଚାହୁଁଛନ୍ତି, ତେବେ ସମକକ୍ଷ ଭଳି କଥା ହୁଅନ୍ତୁ, ଚାକର ପରି ନୁହେଁ।’”

ଟ୍ରେଡ୍ ଡିଲ୍ ବେଳେ ଭାରତ ଋଷରୁ ତେଲ କିଣିବ ନାହିଁ ବୋଲି ଟ୍ରମ୍ପଙ୍କ ଘୋଷଣାକୁ ନେଇ ରାହୁଲ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି, “ଭାରତକୁ ନିଜର ଶକ୍ତି ସୁରକ୍ଷା ପ୍ରତି ଧ୍ୟାନ ଦେବାର ଥିଲା। କିନ୍ତୁ ସରକାର ସେଥିରେ ବିଫଳ ହୋଇଛନ୍ତି।”

କୃଷକଙ୍କ ସମସ୍ୟା ଉଠାଇ ରାହୁଲ କହିଛନ୍ତି, “ଆମେ ରାଷ୍ଟ୍ରପତିଙ୍କୁ କହିଥାନ୍ତୁ, ଆପଣଙ୍କର ଭୋଟର ବେସ୍ ଅଛି, ଆପଣ ନିଜ କୃଷକଙ୍କୁ ସୁରକ୍ଷା ଦିଅନ୍ତି। ଠିକ୍ ସେହିପରି ଆମକୁ ମଧ୍ୟ ନିଜ କୃଷକଙ୍କୁ ସୁରକ୍ଷା ଦେବାକୁ ପଡ଼ିବ। ଏହି ଡିଲ୍ ରେ ଆମେ ପାକିସ୍ତାନ ସହ ସମକକ୍ଷ ହେବୁ ନାହିଁ।”