୧୭ରେ ହେବ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଗୁରୁତ୍ବପୂର୍ଣ୍ଣ ବୈଠକ
ଭୁବନେଶ୍ୱର(ସଂକେତ ଟିଭି): ରାଜ୍ୟରେ ଆସନ୍ତା ୧୭ ତାରିଖରେ ଭାରତୀୟ ଜନତା ପାର୍ଟି (ବିଜେପି)ର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ରାଜଧାନୀ ସ୍ଥିତ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏହି ବୈଠକରେ ନୂତନ ବିଧାୟକ ଏବଂ ନୂତନ କର୍ମକର୍ତ୍ତାମାନଙ୍କୁ ପ୍ରଶିକ୍ଷଣ ଦିଆଯିବ। ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଆଜି ଏହି ସୂଚନା ଦେଇଛନ୍ତି।
ଶ୍ରୀ ସାମଲ କହିଛନ୍ତି ଯେ, ଦଳୀୟ ସଂଗଠନକୁ ସୁଦୃଢ଼ କରିବା ଏବଂ ଆଗାମୀ ପଞ୍ଚାୟତ ନିର୍ବାଚନ ପୂର୍ବରୁ ସଂଗଠନକୁ ନୂଆ ଢଙ୍ଗରେ ସଜାଡ଼ିବା ପାଇଁ ଏହି ପ୍ରଶିକ୍ଷଣ ଶିବିର ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଏହି କାର୍ଯ୍ୟକ୍ରମ କେବଳ ରାଜ୍ୟ ସ୍ତରରେ ସୀମିତ ନ ରହି ସବୁ ସ୍ତରରେ ଆୟୋଜିତ ହେବ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏଥର ଏହି ପ୍ରଶିକ୍ଷ� ଶିବିରଗୁଡ଼ିକ ଭିନ୍ନ ଧରଣର ହେବ।
ରାଜ୍ୟ ସଭାପତିଙ୍କ ସୂଚନା ଅନୁଯାୟୀ, ପ୍ରଥମ ପର୍ଯ୍ୟାୟରେ ରାଜ୍ୟ ସ୍ତରୀୟ ଶିବିର ହେବ। ଏହାପରେ ଜିଲ୍ଲା ସ୍ତରରେ ଏବଂ ୨୫ ତାରିଖରେ ଜୋନାଲ ସ୍ତରୀୟ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯିବ। ଏହି ଜୋନାଲ ଶିବିରରେ ଝାଡ଼ଖଣ୍ଡ, ସିକ୍କିମ ଓ ଆଣ୍ଡମାନ ନିକୋବର ଦ୍ବୀପପୁଞ୍ଜ ସମେତ ପୂର୍ବାଞ୍ଚଳର ବିଭିନ୍ନ ରାଜ୍ୟର ବିଜେପି ନେତାମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
ତେବେ, ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଯୋଗୁଁ ସେହି ରାଜ୍ୟର ପ୍ରତିନିଧିମାନେ ଏହି ଜୋନାଲ ପ୍ରଶିକ୍ଷଣ ଶିବିରରେ ଯୋଗ ଦେଇ ପାରିବେ ନାହିଁ ବୋଲି ଶ୍ରୀ ସାମଲ ସ୍ପଷ୍ଟ କରିଛନ୍ତି। ଏହି ଜୋନାଲ ପ୍ରଶିକ୍ଷଣ ଶିବିରରେ ବିଜେପିର କେନ୍ଦ୍ରୀୟ ନେତୃତ୍ବଙ୍କ ଯୋଗଦାନ ନେଇ କାର୍ଯ୍ୟକ୍ରମ ରହିଛି।
ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ଓଡ଼ିଶା ଗସ୍ତ ପ୍ରସଙ୍ଗରେ ରାଜ୍ୟ ସଭାପତି କହିଛନ୍ତି ଯେ, ସେ ଖୁବଶୀଘ୍ର ଓଡ଼ିଶା ଆସିବେ। ତେବେ ଏନେଇ ଏପର୍ଯ୍ୟନ୍ତ କୌଣସି ତାରିଖ ନିର୍ଦ୍ଧାରିତ ହୋଇନାହିଁ।
