ପାକିସ୍ତାନକୁ ୬୧ ରନରେ ହରାଇଲା ଭାରତ, ସୁପର-୮ରେ ପ୍ରବେଶ
କଲୋମ୍ବୋ (ସଂକେତ ଟିଭି): ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଶୋଚନୀୟ ଭାବେ ୬୧ ରନରେ ପରାସ୍ତ କରି ଭାରତ ଟି-୨୦ ବିଶ୍ଵକପ୍ ୨୦୨୬ର ସୁପର-୮ ପର୍ଯ୍ୟାୟରେ ପ୍ରବେଶ କରିଛି। ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିବା ଏହି ମହାମୁକାବିଲାରେ ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରି ୧୭୫ ରନ୍ ସଂଗ୍ରହ କରିଥିଲା। ଜବାବରେ ପାକିସ୍ତାନ ୧୮ ଓଭରରେ ମାତ୍ର ୧୧୪ ରନ୍ରେ ଅଲଆଉଟ୍ ହୋଇଯାଇଥିଲା। ଏହି ବିଜୟ ସହ ଟି-୨୦ ବିଶ୍ଵକପରେ ପାକିସ୍ତାନ ବିପକ୍ଷରେ ଭାରତର ବିଜୟ ରେକର୍ଡ ୮-୧କୁ ବୃଦ୍ଧି ପାଇଛି।
ଭାରତର ବିଜୟର ମୁଖ୍ୟ ବିନ୍ଧାଣି ସାଜିଥିଲେ ଇଶାନ କିଶନ ଓ ଭାରତୀୟ ବୋଲରମାନେ। ଟସ୍ ହାରି ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରିତ ହୋଇଥିବା ଭାରତର ଆରମ୍ଭ ନିରାଶାଜନକ ଥିଲା। ପ୍ରଥମ ଓଭରରେ ଅଭିଷେକ ଶର୍ମା ଖାତା ଖୋଲିପାରି ନଥିଲେ। ଏହାପରେ ଇଶାନ କିଶନ ପାକିସ୍ତାନୀ ବୋଲରଙ୍କ ଉପରେ ପାଲଟା ଆକ୍ରମଣ କରି ଦଳୀୟ ସ୍କୋରକୁ ୧୫୦ ପାର୍ କରାଇଥିଲେ।
ମାତ୍ର ୨୭ ବଲରେ ଅର୍ଦ୍ଧଶତକ ହାସଲ କରିଥିବା ଇଶାନ ୪୦ ବଲ୍ରୁ ୧୦ ଚୌକା ଓ ୩ ଛକା ସହାୟତାରେ ୭୭ ରନ୍ କରି ଆଉଟ୍ ହୋଇଥିଲେ। ତାଙ୍କୁ ତିଳକ ବର୍ମା ଦ୍ବିତୀୟ ଓ୍ଵିକେଟ୍ ପାଇଁ ୮୭ ରନ୍ର ଭାଗୀଦାରି କରି ସହଯୋଗ କରିଥିଲେ। ତିଳକ ୨୪ ବଲ୍ରୁ ୧୫ ରନ୍ କରିଥିଲେ। ଶେଷରେ ସୂର୍ଯ୍ୟକୁମାର ଯାଦବ (୩୨ ରନ୍) ଓ ଶିବମ ଦୁବେଙ୍କ (୧୭ ବଲ୍ରୁ ୨୭ ରନ୍) ଛୋଟ ଛୋଟ ଯୋଗଦାନ ବଳରେ ଭାରତ ୭ ଓ୍ଵିକେଟ୍ ହରାଇ ୧୭୫ ରନ୍ କରିପାରିଥିଲା।
୧୭୬ ରନର ବିଜୟ ଲକ୍ଷ୍ୟ ପିଛା କରିବାକୁ ଓହ୍ଲାଇଥିବା ପାକିସ୍ତାନ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ହାର୍ଦ୍ଦିକ ପାଣ୍ଡ୍ୟା ପ୍ରଥମ ଓଭରରେ ସାହିବଜାଦା ଫରହାନ (୦)ଙ୍କୁ ପାଭିଲିୟନ ପଠାଇଥିଲେ। ଦ୍ବିତୀୟ ଓଭର ବୋଲିଂ କରିଥିବା ଯଶପ୍ରୀତ ବୁମରା ପାକିସ୍ତାନକୁ ଡବଲ ଝଟକା ଦେଇ ସାଇମ ଆୟୁବ (୬) ଓ ଅଧିନାୟକ ସଲମାନ ଆଘା (୪)ଙ୍କୁ ଆଉଟ୍ କରିଥିଲେ।
ନିଜର ଖରାପ ଫର୍ମ ଜାରି ରଖି ବାବର ଆଜମ ମାତ୍ର ୫ ରନ୍ କରି ଅକ୍ଷର ପଟେଲଙ୍କ ବଲ୍ରେ ବୋଲ୍ଡ ହୋଇଯାଇଥିଲେ। ୩୪ ରନ୍ରେ ୪ ଓ୍ଵିକେଟ୍ ହରାଇ ପାକିସ୍ତାନ ସଙ୍କଟରେ ପଡ଼ିଯାଇଥିଲା। ଉସ୍ମାନ ଖାନ ୩୪ ବଲ୍ରୁ ୪ଟି ଚୌକା ଓ ଗୋଟିଏ ଛକା ସହାୟତାରେ ୪୪ ରନ୍ କରି ଲଢ଼ିଥିଲେ, ହେଲେ ଅନ୍ୟ ପ୍ରାନ୍ତରୁ ସାଥ୍ ନ ପାଇବାରୁ ପାକିସ୍ତାନ ୧୧୪ ରନ୍ରେ ଅଲଆଉଟ୍ ହୋଇଯାଇଥିଲା।
ଭାରତ ପକ୍ଷରୁ ହାର୍ଦ୍ଦିକ ପାଣ୍ଡ୍ୟା, ଯଶପ୍ରୀତ ବୁମରା, ଅକ୍ଷର ପଟେଲ ଓ ବରୁଣ ଚକ୍ରବର୍ତ୍ତୀ ୨ଟି ଲେଖାଏଁ ଓ୍ଵିକେଟ୍ ନେଇଥିଲେ। କୁଲଦୀପ ଯାଦବ ଓ ତିଳକ ବର୍ମାଙ୍କ ନାମରେ ଗୋଟିଏ ଲେଖାଏଁ ଓ୍ଵିକେଟ୍ ରହିଛି।
