FeaturedLatestNews

ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି-ମଣତି: ୧୯୭୮ ତାଲିକା ସହ ମେଳ କରାଯିବ, ପ୍ରସ୍ତୁତି ଶେଷ

ଭୁବନେଶ୍ୱର(ସଂକେତ ଟିଭି): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରର ରତ୍ନଭଣ୍ଡାରରେ ଥିବା ସୁନା ଅଳଙ୍କାର ଓ ମୋତିମାଣିକ୍ୟର ଗଣତି-ମଣତି ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ସୋମବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଏହି ପ୍ରକ୍ରିୟାକୁ ଶୀଘ୍ର ଆରମ୍ଭ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି।

ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢୀ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଏହା ସମ୍ପର୍କରେ ଏକ ବିସ୍ତୃତ ଉପସ୍ଥାପନା ରଖିଥିଲେ। ସୂଚନାଯୋଗ୍ୟ, ୧୯୭୮ ମସିହା ପରେ ଏହା ପ୍ରଥମ ଥର ହେବ ଯେ ରତ୍ନଭଣ୍ଡାରରେ ଥିବା ଅଳଙ୍କାରର ବ୍ୟାପକ ଗଣତି-ମଣତି କରାଯିବ।

ସୂଚନାନୁସାରେ, ଗଣତି-ମଣତିର ସମସ୍ତ ପୂର୍ବ ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇସାରିଛି। ବାହାର ଓ ଭିତର ରତ୍ନଭଣ୍ଡାରର ମରାମତି ଓ ସଂରକ୍ଷଣ କାର୍ଯ୍ୟ ଶେଷ ହୋଇଛି। ଏହି କାର୍ଯ୍ୟ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ (ASI) ଦ୍ୱାରା ୯୫ ଦିନ ଓ ୩୩୩ ଘଣ୍ଟାର ଶ୍ରମରେ ସମ୍ପୂର୍ଣ୍ଣ କରାଯାଇଛି। ବର୍ତ୍ତମାନ ଗଣତି-ମଣତି ପାଇଁ ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି।

ବୈଠକରେ ଆଲୋଚନା ଅନୁସାରେ, ଗଣତି-ମଣତି ପାଇଁ ଏକ ବିସ୍ତୃତ ମାନକ କାର୍ଯ୍ୟବିଧି (SOP) ଶ୍ରୀମନ୍ଦିର ପରିଚାଳନା କମିଟି ପ୍ରସ୍ତୁତ କରିଛି। ରାଜ୍ୟ ସରକାରଙ୍କ ଅନୁମୋଦନ ମିଳିବା ପରେ ଏହି ପ୍ରକ୍ରିୟା ଆରମ୍ଭ ହେବ। କଡ଼ା ସୁରକ୍ଷା ମଧ୍ୟରେ ସମ୍ପୂର୍ଣ୍ଣ ସ୍ୱଚ୍ଛତାର ସହ ଏହି କାର୍ଯ୍ୟ ସମ୍ପାଦନ କରାଯିବ।

ଏହି ଗଣତି-ମଣତି ସମୟରେ ବର୍ତ୍ତମାନର ଅଳଙ୍କାରଗୁଡ଼ିକୁ ୧୯୭୮ ମସିହାରେ ପ୍ରସ୍ତୁତ କରାଯାଇଥିବା ତାଲିକା ସହିତ ମେଳ କରାଯିବ। ଏହା ଫଳରେ ଏକ ଚୁଡ଼ାନ୍ତ ତଥ୍ୟ ପ୍ରସ୍ତୁତ କରାଯାଇପାରିବ। ଏହାସହିତ, ସମ୍ପୂର୍ଣ୍ଣ ପ୍ରକ୍ରିୟାର ଫଟୋଗ୍ରାଫି କରାଯିବ ଏବଂ ଏକ ଡିଜିଟାଲ୍ କାଟାଲଗ୍ ମଧ୍ୟ ପ୍ରସ୍ତୁତ କରାଯିବ ବୋଲି ବୈଠକରେ ଆଲୋଚନା ହୋଇଛି।

ବୈଠକରେ ଆଗାମୀ ରଥଯାତ୍ରା ପ୍ରସ୍ତୁତି ନେଇ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିଲା। ରଥ ନିର୍ମାଣ ପାଇଁ ଆବଶ୍ୟକ ଫାସି କାଠ ଓ ଚନ୍ଦନ କାଠର ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ବନପ୍ରକଳ୍ପ ଜରିଆରେ ଏହି ଗଛଗୁଡ଼ିକ ଲଗାଇବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।

ଏହି ଉଚ୍ଚସ୍ତରୀୟ ବୈଠକରେ ପୂର୍ତ୍ତ ଓ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ପ୍ରକାଶ ମିଶ୍ର, ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶାଶ୍ୱତ ମିଶ୍ର, ଆଇନ ବିଭାଗର ପ୍ରମୁଖ ଶାସନ ସଚିବ ଡ. ପବିତ୍ର ମୋହନ ସାମଲ ଏବଂ ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ପ୍ରମୁଖ ଉପସ୍ଥିତ ଥିଲେ।