ଓଡ଼ିଶାର ୪ ରାଜ୍ୟସଭା ଆସନ ପାଇଁ ମାର୍ଚ୍ଚ ୧୬ରେ ନିର୍ବାଚନ, ଇସିଆଇ କଲା ତାରିଖ ଘୋଷଣା
ଭୁବନେଶ୍ୱର(ସଂକେତ ଟିଭି): ଆସନ୍ତା ଏପ୍ରିଲ ମାସରେ ଓଡ଼ିଶା ସମେତ ୧୦ ରାଜ୍ୟର ୩୭ ରାଜ୍ୟସଭା ଆସନ ଖାଲି ହେବାକୁ ଯାଉଛି । ଏହି ପୃଷ୍ଠଭୂମିରେ ଭାରତୀୟ ନିର୍ବାଚନ କମିଶନ (ଇସିଆଇ) ମାର୍ଚ୍ଚ ୧୬ ତାରିଖରେ ରାଜ୍ୟସଭା ନିର୍ବାଚନ ପାଇଁ ବିଧିବଦ୍ଧ ଭାବେ ପ୍ରେସ୍ ନୋଟ୍ ଜାରି କରି ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଘୋଷଣା କରିଛି । ଏହି ନିର୍ବାଚନ ମଧ୍ୟରେ ଓଡ଼ିଶାର ୪ଟି ରାଜ୍ୟସଭା ଆସନ ପାଇଁ ମଧ୍ୟ ଭୋଟ୍ ଗ୍ରହଣ କରାଯିବ ।
ରାଜ୍ୟସଭା ନିର୍ବାଚନ କାର୍ଯ୍ୟସୂଚୀ:
ନିର୍ବାଚନ କମିଶନଙ୍କ ଘୋଷିତ କାର୍ଯ୍ୟସୂଚୀ ଅନୁଯାୟୀ:
- ବିଜ୍ଞପ୍ତି ପ୍ରକାଶନ: ଫେବୃଆରୀ ୨୬, ୨୦୨୬ (ଗୁରୁବାର)
- ନାମାଙ୍କନ ଦାଖଲର ଶେଷ ତାରିଖ: ମାର୍ଚ୍ଚ ୫, ୨୦୨୬ (ଗୁରୁବାର)
- ନାମାଙ୍କନ ଯାଞ୍ଚ: ମାର୍ଚ୍ଚ ୬, ୨୦୨୬ (ଶୁକ୍ରବାର)
- ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ: ମାର୍ଚ୍ଚ ୯, ୨୦୨୬ (ସୋମବାର)
- ନିର୍ବାଚନ (ଭୋଟ୍ ଗ୍ରହଣ): ମାର୍ଚ୍ଚ ୧୬, ୨୦୨୬ (ସୋମବାର) ସକାଳ ୯ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ
- ଭୋଟ୍ ଗଣତି: ମାର୍ଚ୍ଚ ୧୬, ୨୦୨୬ ସନ୍ଧ୍ୟା ୫ଟାରେ
- ନିର୍ବାଚନ ପ୍ରକ୍ରିୟା ସମାପ୍ତି: ମାର୍ଚ୍ଚ ୨୦, ୨୦୨୬
ଓଡ଼ିଶାରେ କାହାର କାର୍ଯ୍ୟକାଳ ହେବ ଶେଷ?
ଓଡ଼ିଶାରୁ ରାଜ୍ୟସଭାକୁ ପ୍ରତିନିଧିତ୍ୱ କରୁଥିବା ଚାରି ଜଣ ସାଂସଦଙ୍କ କାର୍ଯ୍ୟକାଳ ଆସନ୍ତା ଏପ୍ରିଲ ୨ ତାରିଖରେ ଶେଷ ହେବ। ସେମାନେ ହେଲେ:
- ମମତା ମହାନ୍ତ
- ମୁନା ଖାଁ (ମୁଜିବୁଲା ଖାନ)
- ସୁଜିତ୍ କୁମାର
- ନିରଞ୍ଜନ ବିଶି
ଏହି ଚାରିଜଣଙ୍କ ମଧ୍ୟରୁ ସୁଜିତ୍ କୁମାର ଏବଂ ମମତା ମହାନ୍ତ ପୂର୍ବରୁ ବିଜୁ ଜନତା ଦଳ (ବିଜେଡି) ଛାଡ଼ି ଭାରତୀୟ ଜନତା ପାର୍ଟି (ବିଜେପି)ରେ ଯୋଗ ଦେଇଥିବା ବେଳେ ମୁନା ଖାଁ ଏବଂ ନିରଞ୍ଜନ ବିଶି ବିଜେଡିରୁ ନିର୍ବାଚିତ ହୋଇଥିଲେ।
ରାଜନୈତିକ ସମୀକରଣ ଓ ଗଣିତ:
ରାଜ୍ୟ ବିଧାନସଭାର ସଂଖ୍ୟା ଗରିଷ୍ଠତା ଆଧାରରେ ବିଜେପି ଦୁଇଟି ଏବଂ ବିଜେଡି ଗୋଟିଏ ଆସନ ସହଜରେ ଜିତିବା ନିଶ୍ଚିତ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି। ତେବେ ଚତୁର୍ଥ ଆସନକୁ ନେଇ ରୋଚକ ଲଢ଼େଇ ହେବାର ସମ୍ଭାବନା ରହିଛି। ବିଜେପି, ବିଜେଡି ଓ କଂଗ୍ରେସ କୌଣସି ଦଳର ଏହି ଆସନ ପାଇଁ ଆବଶ୍ୟକ ସଂଖ୍ୟା ନାହିଁ। ତେଣୁ ଚତୁର୍ଥ ଆସନକୁ ନେଇ ଏହି ତିନି ଦଳ ମଧ୍ୟରେ ରଣନୈତିକ ସମୀକରଣ ଓ ଦଳବଦଳ ରାଜନୀତି ଜୋର୍ ଧରିପାରେ। ଏହି ପରିପ୍ରେକ୍ଷୀରେ କଂଗ୍ରେସର ପ୍ରଦେଶ ଅଧ୍ୟକ୍ଷ ଭକ୍ତ ଚରଣ ଦାସ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ୍ କରି ସମର୍ଥନ ଲୋଡ଼ିବାକୁ ସମୟ ମାଗିଛନ୍ତି।
ରାଜ୍ୟ ବିଜେପି ସଭାପତିଙ୍କ ପ୍ରତିକ୍ରିୟା:
ରାଜ୍ୟସଭା ନିର୍ବାଚନ ପ୍ରସଙ୍ଗରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି ଯେ, ପ୍ରାର୍ଥୀ ଚୂଡ଼ାନ୍ତ କରିବାର ସମ୍ପୂର୍ଣ୍ଣ ଦାୟିତ୍ବ ଦଳର ସଂସଦୀୟ ବୋର୍ଡ଼ର ରହିଛି। ସେ କହିଛନ୍ତି, “ଆମ ଦଳର ପ୍ରାର୍ଥୀ ନେଇ ସଂସଦୀୟ ବୋର୍ଡ ନିଷ୍ପତି ନେବ। ସମ୍ଭାବ୍ୟ ପ୍ରାର୍ଥୀ ବାବଦରେ ରାଜ୍ୟ ବିଜେପିରେ ଚର୍ଚ୍ଚା ଆଲୋଚନା କରାଯିବ। କେନ୍ଦ୍ରର ନିଷ୍ପତି ଅନୁସାରେ ପ୍ରାର୍ଥୀ ଘୋଷଣା ହେବ।”
କେଉଁ କେଉଁ ରାଜ୍ୟରେ ହେବ ନିର୍ବାଚନ?
ଓଡ଼ିଶା ବ୍ୟତୀତ ଅନ୍ୟ ରାଜ୍ୟ ଯେଉଁଠାରେ ରାଜ୍ୟସଭା ନିର୍ବାଚନ ଅନୁଷ୍ଠିତ ହେବ ସେଗୁଡ଼ିକ ହେଲା:
- ମହାରାଷ୍ଟ୍ର: ୭ଟି ଆସନ
- ତାମିଲନାଡୁ: ୬ଟି ଆସନ
- ପଶ୍ଚିମବଙ୍ଗ: ୫ଟି ଆସନ
- ବିହାର: ୫ଟି ଆସନ
- ଆସାମ: ୩ଟି ଆସନ
- ତେଲେଙ୍ଗାନା: ୨ଟି ଆସନ
- ଛତିଶଗଡ଼: ୨ଟି ଆସନ
- ହରିଆଣା: ୨ଟି ଆସନ
- ହିମାଚଳ ପ୍ରଦେଶ: ୧ଟି ଆସନ
ଏହି ପୃଷ୍ଠଭୂମିରେ ଓଡ଼ିଶାର ଚାରି ଆସନ ପାଇଁ କିଏ ପ୍ରାର୍ଥୀ ହେବେ ଏବଂ ଚତୁର୍ଥ ଆସନ କାହା ଝୋଲିରେ ପଡ଼ିବ, ତାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି।
