୪୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ପଞ୍ଝାରେ ସୋର ତହସିଲଦାର
ବାଲେଶ୍ବର (ସଂକେତ ଟିଭି): ବାଲେଶ୍ୱର ଜିଲ୍ଲା ସୋର ତହସିଲର ଭାରପ୍ରାପ୍ତ ତହସିଲଦାର ଦୈତାରୀ ମଲ୍ଲିକ ଓ ତାଙ୍କ ସହଯୋଗୀଙ୍କୁ ୪୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ବିଭାଗ ମାଡ଼ି ବସିଛି। ଗୁରୁବାର ଦିନ ଏହି ଘଟଣା ଘଟିଥିବା ବେଳେ ଟ୍ରକ୍ ଛାଡ଼ ପାଇଁ ଏହି ଲାଞ୍ଚ ନିଆଯାଉଥିଲା।
ସୂଚନା ଅନୁଯାୟୀ, ପୂର୍ବରୁ ସୋର ପୌରପାଳିକା ପଠାଣ ମହଲାର ଖାନ କାଦ୍ରୀଙ୍କ ଦୁଇଟି ଏବଂ ତାଙ୍କ ଭିଣୋଇଙ୍କ ତିନୋଟି ଟ୍ରକ୍କୁ ଭାରପ୍ରାପ୍ତ ତହସିଲଦାର ଦୈତାରୀ ମଲ୍ଲିକ ଜବତ କରିଥିଲେ। ଜବତ ଏହି ଟ୍ରକ୍ଗୁଡ଼ିକୁ ଖଣି ବିଭାଗକୁ ନ ଦେଇ ଥାନାକୁ ହସ୍ତାନ୍ତର କଲେ ଟ୍ରକ୍ ସହଜରେ ଛାଡ଼ ହୋଇଯିବ ଏବଂ ଖଣି ବିଭାଗର ଜରିମାନାରୁ ରକ୍ଷା ମିଳିବ ବୋଲି ପ୍ରଲୋଭନ ଦେଖାଇ ଦୈତାରୀ ୧ ଲକ୍ଷ ଟଙ୍କା ଲାଞ୍ଚ ଦାବି କରିଥିଲେ।
ପରବର୍ତ୍ତୀ ସମୟରେ ସୋର ଟ୍ରକ୍ ସଂଘର ସଦସ୍ୟ ଦୟାନିଧି ଜେନାଙ୍କ ମଧ୍ୟସ୍ଥତାରେ ଏହି ଲାଞ୍ଚ ରାଶି ୪୦ ହଜାର ଟଙ୍କାରେ ସ୍ଥିରୀକୃତ ହୋଇଥିଲା। ଗୁରୁବାର ଏହି ୪୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଟିମ୍ ଉଭୟ ଦୈତାରୀ ମଲ୍ଲିକ ଓ ଦୟାନିଧି ଜେନାଙ୍କୁ ରଙ୍ଗେ ହାତେ ଧରିଥିଲା।
ପ୍ରଥମେ ଭିଜିଲାନ୍ସ ଟିମ୍ ଦୈତାରୀ ମଲ୍ଲିକଙ୍କୁ ତାଙ୍କ ଭଡ଼ା ଘରୁ ଧରିଥିଲା। ଏହାପରେ ଦୟାନିଧି ଜେନାଙ୍କୁ ଉତ୍ତରେଶ୍ୱର ଅଞ୍ଚଳରୁ ଅଟକ ରଖାଯାଇଥିଲା। ଦୈତାରୀ ମଲ୍ଲିକ ଦୀର୍ଘଦିନ ଧରି ସୋର ତହସିଲରେ ଭାରପ୍ରାପ୍ତ ତହସିଲଦାର ଭାବରେ କାର୍ଯ୍ୟ କରୁଥିଲେ। ଏହାସହ ସେ ସୋର ଉପନିବନ୍ଧକ କାର୍ଯ୍ୟାଳୟରେ ମଧ୍ୟ ଭାରପ୍ରାପ୍ତ ଅଧିକାରୀ ଭାବରେ କିଛି ଦିନ କାର୍ଯ୍ୟ କରିଥିଲେ। ତହସିଲ କାର୍ଯ୍ୟାଳୟ ପଛପଟେ ଥିବା ବଢ଼େଇ ସାହିରେ ସେ ଭଡ଼ା ଘରେ ରହୁଥିଲେ, ଯେଉଁଠାରେ ଭିଜିଲାନ୍ସ ଚଢ଼ାଉ କରି ଲାଞ୍ଚ ଟଙ୍କା ଜବତ କରିଛି।
