ଟ୍ରକ୍-ପୋଲିସ୍ ଭ୍ୟାନ୍ ମୁହାଁମୁହିଁ ଧକ୍କା, ୫ ପୋଲିସ୍ କର୍ମଚାରୀ ମୃତ
ଝାରସୁଗୁଡ଼ା (ସଂକେତ ଟିଭି) : ଝାରସୁଗୁଡ଼ା ସଦର ଥାନା ସମ୍ମୁଖରେ ଆଜି (ରବିବାର) ଭୋର ସମୟରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏକ ଦ୍ରୁତଗାମୀ ଟ୍ରଲର ବିପରୀତ ଦିଗରୁ ଆସି ଏକ ପୋଲିସ୍ ଭ୍ୟାନ୍କୁ ମୁହାଁମୁହିଁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ପାଞ୍ଚ ଜଣ ପୋଲିସ୍ କର୍ମଚାରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି।
ଧକ୍କା ଏତେ ଭୟଙ୍କର ଥିଲା ଯେ ପୋଲିସ୍ ବୋଲେରୋ ଗାଡ଼ିଟି ସମ୍ପୂର୍ଣ୍ଣ ଚୁରମାର ହୋଇଯାଇଥିଲା। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଓ ପୋଲିସ୍ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଥିଲେ। ଗାଡ଼ି ଭିତରୁ ମୃତଦେହ ଗୁଡ଼ିକୁ ବାହାର କରାଯିବା ସହ ଗୁରୁତର ଆହତମାନଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରବର୍ତ୍ତୀ ସମୟରେ ଆହତମାନଙ୍କୁ ବୁର୍ଲା ଏବଂ ବରଗଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି।
ମୃତ ପୋଲିସ୍ କର୍ମଚାରୀମାନେ ହେଲେ:
- ହୋମଗାର୍ଡ ଭକ୍ତ ମିର୍ଦ୍ଧା
- କନଷ୍ଟେବଳ କାଶୀରାମ ଭୋଇ
- କନଷ୍ଟେବଳ ଦେବଦତ୍ତ ସା
- ହାବିଲଦାର ଲିଙ୍ଗରାଜ ଧୂରୁଆ
- କନଷ୍ଟେବଳ ନିରଞ୍ଜନ କୁଜୁର
ଏହି ମର୍ମନ୍ତୁଦ ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ ତାଙ୍କ ସୋସିଆଲ ମିଡିଆ ଏକ୍ସ ହ୍ୟାଣ୍ଡଲରେ ଲେଖିଛନ୍ତି, “ଝାରସୁଗୁଡ଼ାରେ ଘଟିଥିବା ଏକ ଦୁଃଖଦ ସଡ଼କ ଦୁର୍ଘଟଣାରେ ୫ ଜଣ କର୍ତ୍ତବ୍ୟରତ ପୋଲିସ କର୍ମଚାରୀଙ୍କ ଅକାଳ ବିୟୋଗ ବିଷୟରେ ଜାଣି ମୁଁ ଗଭୀର ଭାବେ ଦୁଃଖିତ ଓ ମର୍ମାହତ। ଏହି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୋର ଗଭୀର ସମବେଦନା ଜଣାଉଛି।”
ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ମଧ୍ୟ ଏହି ଘଟଣାକୁ ହୃଦୟ ବିଦାରକ ବୋଲି ବର୍ଣ୍ଣନା କରିଛନ୍ତି। ସେ ଜାତୀୟ ରାଜପଥ ୪୯ର ପ୍ରଶସ୍ତିକରଣ ନିମନ୍ତେ କେନ୍ଦ୍ର ସରକାର ଅର୍ଥ ଅନୁମୋଦନ କରିସାରିଥିବା ଏବଂ ଶୀଘ୍ର କାର୍ଯ୍ୟ ଆରମ୍ଭ ହେବ ବୋଲି କହିଛନ୍ତି।
ଝାରସୁଗୁଡ଼ା ଅତିରିକ୍ତ ଏସପି ମଧୁସ୍ମିତା ମିଶ୍ର କହିଛନ୍ତି, ଦୁର୍ଘଟଣା ଘଟାଇଥିବା ଟ୍ରକ୍ ଡ୍ରାଇଭରକୁ ଅଟକ ରଖାଯାଇଛି, ଯିଏ ନିଜେ ଆହତ ହୋଇଛି ଏବଂ ଚିକିତ୍ସାଧୀନ ଅଛି। ବରିଷ୍ଠ ପୋଲିସ୍ ଅଧିକାରୀମାନେ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ଏକ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଜାରି ରହିଛି।
