ଦୋଳ ପୂର୍ଣ୍ଣିମା (ମାର୍ଚ୍ଚ ୩)ରେ ଚନ୍ଦ୍ରଗ୍ରହଣ; ଶ୍ରୀମନ୍ଦିରରେ ରାତି ୩ଟାରୁ ବଦଳିବ ନୀତି
ପୁରୀ(ସଂକେତ ଟିଭି): ଆସନ୍ତା ଦୋଳ ପୂର୍ଣ୍ଣିମା (ମାର୍ଚ୍ଚ ୩) ଦିନ ଚନ୍ଦ୍ରଗ୍ରହଣ ପଡୁଥିବାରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତିକାନ୍ତିରେ ବ୍ୟାପକ ପରିବର୍ତ୍ତନ ହେବାକୁ ଯାଉଛି। ଗ୍ରହଣର ପ୍ରଭାବ ଯୋଗୁଁ ପୂର୍ବଦିନ ରାତି ୩ଟାରୁ ହିଁ ମନ୍ଦିରର ଦୈନନ୍ଦିନ ନୀତିର ସମୟସାରଣୀ ବଦଳିଯିବ। ଏହି ବ୍ୟତିକ୍ରମୀ ନୀତି ପାଇଁ ଆସନ୍ତା ୨୪ ତାରିଖରେ ଛତିଶା ନିଯୋଗର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ, ଯେଉଁଠାରେ ନୀତି ନିର୍ଘଣ୍ଟର ଚୂଡ଼ାନ୍ତ ସମୟ ସାରଣୀ ସ୍ଥିର କରାଯିବ।
ପଞ୍ଜିକା ଅନୁଯାୟୀ, ମାର୍ଚ୍ଚ ୩ ଦିନ ଅପରାହ୍ନ ୩ଟା ୨୦ ମିନିଟ୍ ୧୭ ସେକେଣ୍ଡରେ ଚନ୍ଦ୍ରଗ୍ରହଣ ସ୍ପର୍ଶ ହେବ ଏବଂ ସନ୍ଧ୍ୟା ୬ ଟା ୪୭ ମିନିଟ୍ ୧୩ ସେକେଣ୍ଡରେ ଗ୍ରହଣ ମୋକ୍ଷ ହେବ। ଶାସ୍ତ୍ର ବିଧି ଅନୁଯାୟୀ, ଗ୍ରହଣ ସ୍ପର୍ଶର ୯ ଘଣ୍ଟା ପୂର୍ବରୁ ଦେବନୀତି ଓ ପାକତ୍ୟାଗ ନିଷେଧ ହୋଇଥାଏ। ତେଣୁ ମାର୍ଚ୍ଚ ୩ ତାରିଖ ସକାଳ ୬ଟା ୮ ମିନିଟ୍ରେ ସୂର୍ଯ୍ୟୋଦୟ ସମୟରୁ ଏହି ନିଷେଧ ଲାଗୁ ହେବ। ଫଳରେ ପୂର୍ବଦିନ ରାତି ୩ଟାରୁ ଶ୍ରୀମନ୍ଦିରରେ ମଙ୍ଗଳା ଆଳତି ଓ ଅବକାଶ ନୀତି ଶେଷ କରି ଦେବନୀତି ବନ୍ଦ କରାଯିବ। ତେବେ ଏହି ସମୟରେ ଭକ୍ତମାନେ ରତ୍ନସିଂହାସନରେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ।
ଜଗନ୍ନାଥ ସଂସ୍କୃତି ପ୍ରଚାରକ ପଣ୍ଡିତ ପଦ୍ମନାଭ ତ୍ରିପାଠୀ ଶର୍ମାଙ୍କ କହିବା ଅନୁଯାୟୀ, ଗ୍ରହଣ ସମୟରେ ବିଶେଷ ନୀତି ପାଳନ କରାଯିବ। ଗ୍ରହଣ ସ୍ପର୍ଶ ପରେ ଗ୍ରହଣ ସ୍ନାନ, ରୋଷହୋମ, ଦ୍ବାରପାଳ ପୂଜା, ସୂର୍ଯ୍ୟପୂଜା ଓ ଗ୍ରହଣ ପୂଜା ନୀତି ସମ୍ପନ୍ନ ହେବ। ଏହାପରେ ମହାପ୍ରଭୁଙ୍କୁ ଖଇକୋରା ଭୋଗ ଲାଗି କରାଯିବ। ଗ୍ରହଣ ମୋକ୍ଷ ପରେ ଠାକୁରଙ୍କ ଚଳନ୍ତି ପ୍ରତିମା ଦୋଳଗୋବିନ୍ଦ, ଭୂଦେବୀ ଓ ଶ୍ରୀଦେବୀ ଦୋଳ ବିମାନରେ ଦୋଳବେଦୀକୁ ବିଜେ କରିବେ। ସେଠାରେ ତିନି ଧୂପ, ରାଜନୀତି, ବନ୍ଦାପନା ଓ ଅନ୍ୟାନ୍ୟ ନୀତି ଅନୁଷ୍ଠିତ ହେବ। ଏହି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ସୁନାବେଶ (ରାଜରାଜେଶ୍ଵର ବେଶ) ହେବ। ଫଳରେ ଭକ୍ତମାନେ ଦୋଳପୂର୍ଣ୍ଣିମା ରାତିରେ ଦୋଳବେଦୀରେ ଠାକୁରଙ୍କ ଦର୍ଶନ ସହିତ ରତ୍ନସିଂହାସନରେ ସୁନାବେଶର ମଧ୍ୟ ଦର୍ଶନ କରିପାରିବେ।
ଏହି ବ୍ୟତିକ୍ରମୀ ନୀତି ଯୋଗୁଁ ମହାପ୍ରସାଦ ବ୍ୟବସ୍ଥାରେ ମଧ୍ୟ ପରିବର୍ତ୍ତନ ହେବ। ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗ ସଭାପତି ପଦ୍ମନାଭ ମହାସୁଆର କହିଛନ୍ତି, ଗ୍ରହଣ ଯୋଗୁଁ ସକାଳ ଧୂପ ଶେଷ ହେବାକୁ ସନ୍ଧ୍ୟା ୭ଟା ହୋଇଯିବ। ତେଣୁ ଯେଉଁ ଭକ୍ତମାନେ ମହାପ୍ରସାଦ ନେବାକୁ ଚାହିଁବେ, ସେମାନେ ସନ୍ଧ୍ୟାରେ ସକାଳ ଧୂପର ପ୍ରସାଦ ସହିତ ଶୁଖିଲି ଭୋଗ ନେଇପାରିବେ। କିନ୍ତୁ ବରାଦି ଭୋଗ ବାହାରିବାରେ ବିଳମ୍ବ ହେବାର ସମ୍ଭାବନା ଥିବାରୁ ଚନ୍ଦ୍ରଗ୍ରହଣ ଦିନ ଭକ୍ତଙ୍କ ପାଇଁ ବରାଦି ଭୋଗ ବ୍ୟବସ୍ଥା କରାଯିବ ନାହିଁ।
