ଦୁଇ ଦିନିଆ ଗସ୍ତରେ ଇସ୍ରାଏଲ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ନୂଆଦିଲ୍ଲୀ(ସଂକେତ ଟିଭି): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଦୁଇ ଦିନିଆ ଇସ୍ରାଏଲ ଗସ୍ତ କ୍ରମେ ଆଜି ତେଲ ଅଭିଭ ବିମାନବନ୍ଦରରେ ପହଞ୍ଚିଛନ୍ତି। ୨୦୧୭ ପରେ ଏହା ତାଙ୍କର ପ୍ରଥମ ଇସ୍ରାଏଲ ଗସ୍ତ ହୋଇଥିବାବେଳେ ବିମାନବନ୍ଦରରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି। ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଏବଂ ତାଙ୍କ ପତ୍ନୀ ସାରା ବିଶେଷ ଭାବରେ ବିମାନବନ୍ଦରରେ ଉପସ୍ଥିତ ରହି ପିଏମ ମୋଦୀଙ୍କୁ ସ୍ୱାଗତ ଜଣାଇଥିଲେ। ପ୍ରୋଟୋକଲ ଭାଙ୍ଗି ନେତାନ୍ୟାହୁ ନିଜେ ବିମାନବନ୍ଦରରେ ପହଞ୍ଚି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଆଲିଙ୍ଗନ କରି ସ୍ୱାଗତ କରିଥିଲେ। ଏହି ଅବସରରେ ପିଏମ ମୋଦୀଙ୍କୁ ବିମାନବନ୍ଦରରେ ଗାର୍ଡ ଅଫ ଅନର ମଧ୍ୟ ପ୍ରଦାନ କରାଯାଇଥିଲା।
ପ୍ରଧାନମନ୍ତ୍ରୀ ମୋଦୀ ଆଜି ଇସ୍ରାଏଲର ସଂସଦ ‘ନେସେଟ’କୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି। ଏହା ସହିତ ସେ ଜେରୁସାଲେମ ମଧ୍ୟ ଗସ୍ତ କରିବେ। ଉଲ୍ଲେଖଯୋଗ୍ୟ, ଇସ୍ରାଏଲ ସଂସଦକୁ ସମ୍ବୋଧିତ କରିବାରେ ପ୍ରଧାନମନ୍ତ୍ରୀ ମୋଦୀ ହେଉଛନ୍ତି ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ। ନେତାନ୍ୟାହୁଙ୍କ ନିମନ୍ତ୍ରଣକ୍ରମେ ଇସ୍ରାଏଲ ଗସ୍ତରେ ଯାଇଥିବା ପିଏମ ମୋଦୀ ରାଷ୍ଟ୍ରପତି ଇସାକ ହରଜୋଗଙ୍କ ସହିତ ମଧ୍ୟ ସାକ୍ଷାତ କରିବେ। ଆଜି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ସହିତ ପିଏମ ମୋଦୀଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ଦ୍ୱିପାକ୍ଷିକ ବୈଠକ ହେବ ଏବଂ ଏହା ପରେ ନେତାନ୍ୟାହୁ ପିଏମ ମୋଦୀଙ୍କ ସମ୍ମାନାର୍ଥେ ଏକ ରାତ୍ରିଭୋଜନର ଆୟୋଜନ କରିଛନ୍ତି।
ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ଗସ୍ତକୁ ଦୁଇ ଦେଶର ସମ୍ପର୍କ ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଥିବାବେଳେ ଇସ୍ରାଏଲର କିଛି ବିରୋଧୀ ଦଳ ପିଏମ ମୋଦୀଙ୍କ ସଂସଦୀୟ ସମ୍ବୋଧନକୁ ବହିଷ୍କାର କରିବାକୁ ଧମକ ଦେଇଛନ୍ତି। ତେବେ ପ୍ରଶାସନିକ ସ୍ତରରେ ଏହି ଗସ୍ତକୁ ଅତି ମହତ୍ତ୍ୱପୂର୍ଣ୍ଣ ଭାବେ ଦେଖାଯାଉଛି। ୯ ବର୍ଷ ପରେ ଇସ୍ରାଏଲ ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ଗସ୍ତ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ, ପ୍ରତିରକ୍ଷା ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ସହଯୋଗର ନୂତନ ଦ୍ୱାର ଖୋଲିବ ବୋଲି ଆଶା କରାଯାଉଛି।
