ଏହା ଭାରତ, ନର୍ଥ କୋରିଆ ନୁହେଁ: ଗିରଫଦାରୀକୁ ନେଇ ରାହୁଲଙ୍କ ମୋଦିଙ୍କୁ ଟାର୍ଗେଟ
ନୂଆଦିଲ୍ଲୀ (ସଂକେତ ଟିଭି):‘ଇଣ୍ଡିଆ ଏଆଇ ଇମ୍ପାକ୍ଟ’ ଶିଖର ସମ୍ମିଳନୀ ଅବସରରେ କଂଗ୍ରେସ ଯୁବ ମୋର୍ଚ୍ଚା ପକ୍ଷରୁ କରାଯାଇଥିବା ‘ସାର୍ଟଲେସ୍’ ପ୍ରଦର୍ଶନକୁ ନେଇ ହୋଇଥିବା ଗିରଫଦାରୀ ଏବେ ତୀବ୍ର ବିବାଦ ସୃଷ୍ଟି କରିଛି। ଏହି ଘଟଣାକୁ କେନ୍ଦ୍ର କରି କଂଗ୍ରେସ ନେତା ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ଉପରେ ଶାନ୍ତିପୂର୍ଣ୍ଣ ଅସହମତିକୁ ଦମନ କରିବାର ଗମ୍ଭୀର ଅଭିଯୋଗ ଆଣିଛନ୍ତି।
ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟ ସେୟାର କରି ରାହୁଲ ଗାନ୍ଧି କହିଛନ୍ତି ଯେ, ଯଦି କେହି ସାମ୍ବିଧାନିକ ଉପାୟରେ କ୍ଷମତାସୀନ ଲୋକଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରନ୍ତି, ତେବେ ତାଙ୍କ ପାଇଁ ଜେଲ ଯିବା ନିଶ୍ଚିତ। ତାଙ୍କ ଲେଖାକୁ ଆହୁରି ତୀକ୍ଷ୍ଣ କରି ସେ କହିଛନ୍ତି ଯେ ଭାରତରେ ‘କମ୍ପ୍ରମାଇଜଡ୍ ପିଏମ୍’ (ବୁଝାମଣାକାରୀ ପ୍ରଧାନମନ୍ତ୍ରୀ)ଙ୍କ ଶାସନରେ ଶାନ୍ତିପୂର୍ଣ୍ଣ ବିରୋଧ ପ୍ରଦର୍ଶନ କରିବା ହିଁ ସବୁଠୁ ବଡ଼ ‘ଅପରାଧ’ରେ ପରିଣତ ହୋଇଛି।
ଏହି ପୋଷ୍ଟରେ ରାହୁଲ ଗାନ୍ଧି ଆହୁରି ମଧ୍ୟ ଲେଖିଛନ୍ତି ଯେ ବିଶ୍ୱର ସର୍ବବୃହତ ଗଣତନ୍ତ୍ର ଭାରତକୁ ଧିରେ ଧିରେ ଏପରି ଏକ ଦିଗକୁ ଠେଲି ନିଆଯାଉଛି ଯେଉଁଠାରେ ଅସହମତିକୁ ‘ଦେଶଦ୍ରୋହ’ ଓ ପ୍ରଶ୍ନ କଲେ ତାକୁ ‘ଷଡ଼ଯନ୍ତ୍ର’ ଭାବେ ବିବେଚନା କରାଯାଉଛି। ସେ ସିଧାସଳଖ ପ୍ରଧାନମନ୍ତ୍ରୀଙ୍କୁ ଉଦ୍ଦେଶ୍ୟ କରି ଲେଖିଛନ୍ତି, “ମୋଦି ଜୀ, ଏହା ନର୍ଥ କୋରିଆ ନୁହେଁ, ଏହା ଭାରତ। ଯେତେବେଳେ ଶାସନ ନିଜକୁ ରାଷ୍ଟ୍ର ଭାବିବା ଆରମ୍ଭ କରେ ଏବଂ ଅସହମତିକୁ ଶତ୍ରୁ ବୋଲି ଗ୍ରହଣ କରେ, ସେତେବେଳେ ଗଣତନ୍ତ୍ର ମରିଯାଏ।”
ସୂଚନାଯୋଗ୍ୟ, ଦିଲ୍ଲୀର ଭାରତ ମଣ୍ଡପମ୍ରେ ଆୟୋଜିତ ‘ଇଣ୍ଡିଆ ଏଆଇ ଇମ୍ପାକ୍ଟ’ ସମ୍ମିଳନୀ ସମୟରେ ଭାରତୀୟ ଯୁବ କଂଗ୍ରେସ (ଆଇୱାଇସି) କର୍ମୀମାନେ ଏକ ‘ସାର୍ଟଲେସ୍’ ବିରୋଧ ପ୍ରଦର୍ଶନ କରିଥିଲେ। ଏହି ଘଟଣାରେ ଆଇୱାଇସି ଅଧ୍ୟକ୍ଷ ଉଦୟଭାନୁ ଚିବଙ୍କ ସମେତ ମୋଟ ୮ ଜଣ କାର୍ଯ୍ୟକର୍ତ୍ତାଙ୍କୁ ଗିରଫ କରାଯାଇଛି। ପୋଲିସ ଚିବଙ୍କୁ ଏହି ବିରୋଧ ପ୍ରଦର୍ଶନର ମାଷ୍ଟରମାଇଣ୍ଡ୍ ବୋଲି କହି ତାଙ୍କୁ ରିମାଣ୍ଡରେ ନେଇଛି।
ଏହା ପୂର୍ବରୁ ମଧ୍ୟ ରାହୁଲ ଗାନ୍ଧି ଗିରଫ କାର୍ଯ୍ୟକର୍ତ୍ତାଙ୍କ ସମର୍ଥନରେ ସୋସିଆଲ ମିଡିଆରେ ‘ବବର ସେର’ କମ୍ରେଡ୍ ବୋଲି ଉଲ୍ଲେଖ କରି ପୋଷ୍ଟ କରିଥିଲେ। ସେ ସେଥିରେ କହିଥିଲେ ଯେ ସେ ଯୁବ କଂଗ୍ରେସର ସହଯୋଗୀଙ୍କୁ ନେଇ ଗର୍ବିତ, ଯେଉଁମାନେ ‘ବୁଝାମଣାକାରୀ ପ୍ରଧାନମନ୍ତ୍ରୀ’ଙ୍କ ବିରୋଧରେ ଦେଶହିତ ପାଇଁ ନିର୍ଭୀକ ହୋଇ ପ୍ରଦର୍ଶନ କରିଛନ୍ତି। ରାହୁଲ ଗାନ୍ଧି ଆହୁରି ମଧ୍ୟ ଗୁରୁତ୍ୱାରୋପ କରି କହିଛନ୍ତି ଯେ ଶାନ୍ତିପୂର୍ଣ୍ଣ ବିରୋଧ ପ୍ରଦର୍ଶନ ଏକ ଗଣତାନ୍ତ୍ରିକ ଅଧିକାର, ଏବଂ ସରକାରଙ୍କ ବିରୋଧରେ ପ୍ରଶ୍ନ ଉଠାଇବାକୁ ଅପରାଧ ମନେକରାଯିବା ଉଚିତ ନୁହେଁ।
