FeaturedLatestNews

ଓଡ଼ିଶାର ୪ଟି ରାଜ୍ୟସଭା ଆସନ ପାଇଁ ବିଜ୍ଞପ୍ତି ପ୍ରକାଶ: ମାର୍ଚ୍ଚ ୧୬ରେ ଭୋଟ୍ ଗ୍ରହଣ

ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟସଭା ନିର୍ବାଚନ ପାଇଁ ଆଜି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଓଡ଼ିଶାର ୪ଟି ରାଜ୍ୟସଭା ଆସନ ପାଇଁ ଆଗାମୀ ମାର୍ଚ୍ଚ ୧୬ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ। ନିର୍ବାଚନ କାର୍ଯ୍ୟକ୍ରମ ଅନୁଯାୟୀ, ମାର୍ଚ୍ଚ ୫ ତାରିଖ ହେଉଛି ନାମାଙ୍କନ ଦାଖଲର ଶେଷ ତାରିଖ। ନାମାଙ୍କନପତ୍ରଗୁଡ଼ିକର ଯାଞ୍ଚ ମାର୍ଚ୍ଚ ୬ ତାରିଖରେ କରାଯିବ, ଏବଂ ମାର୍ଚ୍ଚ ୯ ତାରିଖ ହେଉଛି ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ଶେଷ ତାରିଖ।

ମାର୍ଚ୍ଚ ୧୬ ତାରିଖ ସକାଳ ୯ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ କରାଯିବ। ଅପରାହ୍ଣରେ ଭୋଟ୍ ଗ୍ରହଣ ଶେଷ ହେବା ପରେ ତୁରନ୍ତ ଭୋଟ୍ ଗଣତି ଆରମ୍ଭ ହୋଇ ଫଳାଫଳ ପ୍ରକାଶ ପାଇବ।

ଏହି ବିଜ୍ଞପ୍ତି ପ୍ରକାଶ ପାଇବା ପରେ ରାଜ୍ୟର ରାଜନୈତିକ ଦଳଗୁଡ଼ିକରେ ତତ୍ପରତା ପ୍ରକାଶ ପାଇଛି। ବିଜେଡି ପକ୍ଷରୁ ରାଜ୍ୟସଭା ନିର୍ବାଚନ ପାଇଁ ଫର୍ମ ସଂଗ୍ରହ କରାଯାଇଛି। ବିଜେଡି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ୬ଟି ସେଟ୍ ଫର୍ମ ନେଇଛନ୍ତି। ଆଜି ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଦଳର ରାଜନୈତିକ ବ୍ୟାପାର କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ, ଯେଉଁଠାରେ ପ୍ରାର୍ଥୀ ଚୟନ ନେଇ ଆଲୋଚନା ହେବାର ସମ୍ଭାବନା ରହିଛି।

ଅନ୍ୟପକ୍ଷରେ, ବିଜେପି ମଧ୍ୟ ନିଜର ପ୍ରାର୍ଥୀ ଚୟନ ପ୍ରକ୍ରିୟା ଆରମ୍ଭ କରିଦେଇଛି। ରାଜ୍ୟ ବିଜେପି ପ୍ରଭାରୀ ବିଜୟ ପାଲସିଂ ତୋମାରଙ୍କ ସୂଚନା ଅନୁଯାୟୀ, ଓଡ଼ିଶାରେ ୪ଟି ରାଜ୍ୟସଭା ଆସନ ଖାଲି ହେବାକୁ ଯାଉଛି, ପାଇଁ ଖୁବଶୀଘ୍ର ପ୍ରାର୍ଥୀ ଘୋଷଣା କରାଯିବ। ଆଗାମୀ ଗୁରୁବାର କିମ୍ବା ଶୁକ୍ରବାର ମଧ୍ୟରେ ଦିଲ୍ଲୀରେ ବିଜେପିର ସଂସଦୀୟ ବୋର୍ଡର ବୈଠକ ବସିବ। ରାଜ୍ୟ କୋର କମିଟିର ସୁପାରିଶ ଆଧାରରେ ଏହି ବୈଠକରେ ହିଁ ପ୍ରାର୍ଥୀଙ୍କ ନାମ ଚୂଡ଼ାନ୍ତ ହେବ ଏବଂ ତାଙ୍କ ନାମ ଘୋଷଣା କରାଯିବ ବୋଲି ଶ୍ରୀ ତୋମାର ସ୍ପଷ୍ଟ କରିଛନ୍ତି।