କଂଗ୍ରେସର ଓଡିଶା ବନ୍ଦ ଯୋଗୁଁ ଜୀବନ ଯାତ୍ରା ବ୍ୟାହତ
ଭୁବନେଶ୍ବର (ସଂକେତ ଟିଭି): ବାଲେଶ୍ୱରର ଫକୀର ମୋହନ କଲେଜ ଛାତ୍ରୀଙ୍କ ନ୍ୟାୟ ଦାବିକୁ ନେଇ କଂଗ୍ରେସ ଏବଂ ସାତଟି ବିରୋଧୀ ଦଳ ଡାକରା ଦେଇଥିବା ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଗୁରୁବାର ରାଜ୍ୟର ପ୍ରମୁଖ ସହରଗୁଡ଼ିକରେ ଜୀବନଯାତ୍ରାକୁ ବ୍ୟାହତ କରିଥିଲା। ଏହି ବନ୍ଦ ସମୟରେ ଯାନବାହାନ, ବଜାର ଏବଂ ଶିକ୍ଷାନୁଷ୍ଠାନ ଆଦି ବନ୍ଦ ରହିଥିବା ଦେଖାଯାଇଥିଲା। ଏହି ଆନ୍ଦୋଳନ ସକାଳ ୬ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଜାରି ରହି ରହିଥିଲା ।
ବାଲେଶ୍ୱରସ୍ଥିତ ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଗତ ୧୨ ତାରିଖରେ ଜଣେ ଛାତ୍ରୀ ଆତ୍ମହତ୍ୟା କରିବା ଏବଂ ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟଣାକୁ କେନ୍ଦ୍ରକରି କଂଗ୍ରେସ ଏହି ବନ୍ଦ ଡାକରା ଦେଇଥିଲା। କଂଗ୍ରେସ କର୍ମୀମାନେ ନ୍ୟାୟ ଦାବିରେ ରାସ୍ତା ଓ ରେଳ ଚଳାଚଳ ବନ୍ଦ ରଖିଥିଲେ।
କଂଗ୍ରେସର ପ୍ରଦେଶ କମିଟି ସଭାପତି ଭକ୍ତ ଚରଣ ଦାସ ରାଜ୍ୟ ସରକାରଙ୍କୁ କଠୋର ସମାଲୋଚନା କରି କହିଛନ୍ତି, “ଦୋଷୀଙ୍କୁ ସରକାର ଛାଡ଼ି ଦେଉଛନ୍ତି। ଏସପି ଓ ଆଇଆଇସିଙ୍କୁ କାହିଁକି ଛାଡ଼ାଗଲା? ଉଚ୍ଚଶିକ୍ଷା ମନ୍ତ୍ରୀ ଓ ସାଂସଦ ମଧ୍ୟ ଦୋଷୀ ହେବା ଉଚିତ୍। ସରକାରଙ୍କୁ କେହି ମାନୁନାହାନ୍ତି।” ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ ପୁଲିସ ସରକାରଙ୍କ ନିର୍ଦ୍ଦେଶ ମାନୁନାହାଁନ୍ତି।
ଏହି ବନ୍ଦକୁ ସମସ୍ତ ବାମପନ୍ଥୀ ଦଳ, ଯେପରିକି ସିପିଆଇ, ସିପିଆଇ(ଏମ୍), ସିପିଆଇ(ଏମ୍ଏଲ୍), ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକ୍, ଏନ୍ସିପି, ଏସ୍ପି ଏବଂ ଆର୍ଜେଡି ସମର୍ଥନ ଯୋଗାଇଛନ୍ତି। ବନ୍ଦ ଯୋଗୁଁ ଶିକ୍ଷାନୁଷ୍ଠାନ, ପେଟ୍ରୋଲ ପମ୍ପ ଏବଂ ଦୋକାନବଜାର ବନ୍ଦ ରହିଥିଲା।
ଏହି ଆନ୍ଦୋଳନ ଫଳରେ ରାଜ୍ୟର ବିଭିନ୍ନ ସହରରେ ଜନଜୀବନ ପ୍ରଭାବିତ ହୋଇଥିବା ଦେଖାଯାଇଥିଲା। ଲୋକଙ୍କୁ ଯାନବାହାନ ସମସ୍ୟା ସହିତ ମୁକାବିଲା କରିବାକୁ ପଡ଼ିଛି ଏବଂ ବଜାରଗୁଡ଼ିକ ଶୂନ୍ୟ ପଡ଼ିଥିବା ଦେଖାଯାଇଥିଲା। ପୁଲିସ କର୍ତ୍ତୃପକ୍ଷ ଆନ୍ଦୋଳନକାରୀଙ୍କ ଉପରେ କଠୋର ନଜର ରଖିଥିଲେ।
