EducationFeaturedLatestNews

ମହିଳା ସୁରକ୍ଷା: ଶିକ୍ଷାନୁଷ୍ଠାନରେ ୧୮୧ ହେଲ୍ପଲାଇନ୍ ନମ୍ବର ପ୍ରଦର୍ଶନ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ବର (ସଂକେତ ଟିଭି): ବାଲେଶ୍ଵର ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଛାତ୍ରୀ ଆତ୍ମହତ୍ୟା ଏବଂ ସମ୍ବଲପୁରସ୍ଥିତ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ବିଏଡ୍ ଛାତ୍ରୀଙ୍କ ସହ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କର ଘଟଣା ପରେ ରାଜ୍ୟ ସରକାର ସତର୍କ ହୋଇ ପ୍ରତିକାରମୂଳକ ପଦକ୍ଷେପ ନେଇଛନ୍ତି। ଶିକ୍ଷାନୁଷ୍ଠାନଗୁଡ଼ିକରେ ମହିଳାମାନେ ଯେପରି ନିର୍ଯାତନାର ଶିକାର ନହୁଅନ୍ତି, ସେଥିପାଇଁ ଆବଶ୍ୟକ ନିର୍ଦ୍ଦେଶାବଳୀ ଜାରି କରାଯାଇଛି।

ରାଜ୍ୟର ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ବିଶ୍ୱବିଦ୍ୟାଳୟ, ସରକାରୀ ମହାବିଦ୍ୟାଳୟ, ଅନୁଦାନପ୍ରାପ୍ତ ଏବଂ ବେସରକାରୀ ମହାବିଦ୍ୟାଳୟ ପରିସରରେ ମୁଖ୍ୟ ସ୍ଥାନଗୁଡ଼ିକରେ ମହିଳା ସହାୟତା ହେଲ୍ପଲାଇନ୍ ନମ୍ବର ୧୮୧ ସ୍ପଷ୍ଟ ଭାବରେ ପ୍ରଦର୍ଶିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିପାଇଁ ସମସ୍ତ ରେଜିଷ୍ଟାର ଏବଂ ଅଧ୍ୟକ୍ଷଙ୍କୁ ଚିଠି ଜାରି କରାଯାଇଛି।

ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଜାରି କରାଯାଇଥିବା ଚିଠିରେ କାର୍ଯ୍ୟସ୍ଥଳରେ ମହିଳାଙ୍କ ଯୌନ ଉତ୍ପୀଡନ (ନିବାରଣ, ନିଷେଧ ଓ ପ୍ରତିକାର) ଅଧିନିୟମ, ୨୦୧୩ (POSH Act) ଏବଂ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC) ଦ୍ୱାରା ଜାରି ନିର୍ଦ୍ଦେଶାବଳୀକୁ କଠୋର ଭାବେ ପାଳନ କରିବାକୁ କୁହାଯାଇଛି। ଏଥିସହିତ, ଶିକ୍ଷାନୁଷ୍ଠାନଗୁଡ଼ିକରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟର ସମସ୍ତ ଛାତ୍ର-ଛାତ୍ରୀ, ଶିକ୍ଷକ, ଅଣଶିକ୍ଷକ କର୍ମଚାରୀ ଏବଂ ଆଭ୍ୟନ୍ତରୀଣ ଅଭିଯୋଗ କମିଟିର ସଦସ୍ୟମାନେ ଯୋଗଦେବେ। ସେଠାରେ POSH ଆଇନ୍ର ନିୟମାବଳୀ କଡ଼ାକଡ଼ି ଭାବେ ପାଳନ କରିବାକୁ ଶପଥ ନେବାକୁ କୁହାଯାଇଛି। କାର୍ଯ୍ୟକ୍ରମ ଆୟୋଜନ ସମ୍ପର୍କିତ ସମ୍ପୂର୍ଣ୍ଣ ବିବରଣୀ ଆସନ୍ତା ୩ ଦିନ ମଧ୍ୟରେ ଉଚ୍ଚଶିକ୍ଷା ବିଭାଗକୁ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।