FeaturedLatestNews

ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପର ଟେଣ୍ଡର ବାତିଲ୍

ଭୁବନେଶ୍ବର (ସଂକେତ ଟିଭି): ଭୁବନେଶ୍ବର ମେଟ୍ରୋ ରେଳ ପ୍ରକଳ୍ପର ପୁରାତନ ଟେଣ୍ଡରକୁ ଓଡ଼ିଶା ସରକାର ବାତିଲ୍ କରିଛନ୍ତି। ଏହି ଟେଣ୍ଡର ପୂର୍ବତନ ସରକାରଙ୍କ ଦ୍ୱାରା ସିଇଆଇଜିଆଇଏଲ୍ ଇଣ୍ଡିଆ ଲିମିଟେଡ୍ ଏବଂ ଦିଲ୍ଲୀ ମେଟ୍ରୋ ରେଲ୍ କର୍ପୋରେସନ୍ ଲିମିଟେଡ୍ (ଡିଏମଆର୍ସି)କୁ ଦିଆଯାଇଥିଲା। ମାତ୍ର, ଏହି ଦୁଇ କମ୍ପାନୀ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ସତ୍ତ୍ୱେ ନିୟମ ଅନୁଯାୟୀ କ୍ଷତିପୂରଣ ଦେଇନାହାଁନ୍ତି।

ଏଥିସହିତ, ଏହି ଦୁଇ କମ୍ପାନୀ ମେଟ୍ର ପ୍ରକଳ୍ପକୁ ନଷ୍ଟ କରିବାର ଅଭିଯୋଗ ମଧ୍ୟ ରହିଛି। ଏହି ପରିସ୍ଥିତିରେ ରାଜ୍ୟ ସରକାର କଠୋର ପଦକ୍ଷେପ ନେଇ ଟେଣ୍ଡର ବାତିଲ୍ କରିଛନ୍ତି ବୋଲି କୁହାଯାଉଛି।

ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଉପ-କମିଟିର ପ୍ରଥମ ବୈଠକ ଲୋକ ସେବା ଭବନରେ ଅନୁଷ୍ଠିତ ହୋଇଥିଲା। ମିଳିଥିବା ସୂଚନା ଅନୁଯାୟୀ, ଏହି ବୈଠକରେ ମେଟ୍ର ରେଳ ପ୍ରକଳ୍ପ ସମ୍ପର୍କରେ କୌଣସି ସ୍ପଷ୍ଟ ନିଷ୍ପତ୍ତି ନିଆଯାଇନାହିଁ।

ମେଟ୍ର ରେଳ ଏଲିଭେଟେଡ୍ କରିଡର୍ ରୂପେ ନିର୍ମିତ ହେବ କି ଅଣ୍ଡରଗ୍ରାଉଣ୍ଡ ହେବ, କେଉଁ ଅଞ୍ଚଳ ମାଧ୍ୟମରେ ଏହା ଚାଲିବ ଇତ୍ୟାଦି ବିଷୟରେ କୌଣସି ସ୍ପଷ୍ଟତା ମିଳିନାହିଁ। ଏହି ବୈଠକରେ ମେଟ୍ର ପ୍ରକଳ୍ପଠାରୁ ଅଧିକ ଭୁବନେଶ୍ବରର ଯାନଜଟ କମାଇବା, ଟ୍ରାଫିକ୍ ପରିଚାଳନା ସୁଗମ କରିବା, ରେଳ-ରାସ୍ତା ସଂଯୋଗ, ପୂର୍ତ୍ତ ବିଭାଗର ନୂତନ ରାସ୍ତା ଏବଂ ଫ୍ଲାଇଓଭର୍ ପ୍ରକଳ୍ପ ଆଦି ଉପରେ ଆଲୋଚନା ହୋଇଥିଲା।

ଆଗାମୀ ୨୦ ବର୍ଷ ପାଇଁ ଭୁବନେଶ୍ବରର ଯାନଯାତାନୁକୂଳ ଭିତ୍ତିଭୂମି କିପରି ଗଠିତ ହେବ ତାହା ନେଇ ମଧ୍ୟ ଚର୍ଚ୍ଚା ହୋଇଥିଲା।