ବନ୍ୟା ପ୍ରଭାବିତ ଅଞ୍ଚଳକୁ ଆକାଶମାର୍ଗରୁ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର (ସଂକେତ ଟିଭି): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ବନ୍ୟା ପ୍ରଭାବିତ ଅଞ୍ଚଳକୁ ଆକାଶମାର୍ଗରୁ ପରିଦର୍ଶନ କରିଛନ୍ତି। ତାଙ୍କ ସହ ରାଜସ୍ୱ ମନ୍ତ୍ରୀ ଏବଂ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବାଲେଶ୍ୱର, ଭଦ୍ରକ ଏବଂ ଯାଜପୁର ଜିଲ୍ଲାର ୮ଟି ବ୍ଲକ୍ ବନ୍ୟାରେ ପ୍ରଭାବିତ ହୋଇଛି।
ବାଲେଶ୍ୱର ଜିଲ୍ଲାର ବସ୍ତା, ବାଲିଆପାଳ, ଭୋଗରାଇ ଏବଂ ଜଳେଶ୍ୱର ବ୍ଲକ୍, ଭଦ୍ରକ ଜିଲ୍ଲାର ଧାମନଗର ଏବଂ ଭଣ୍ଡାରୀପୋଖରୀ ବ୍ଲକ୍, ଏବଂ ଯାଜପୁର ଜିଲ୍ଲାର ଯାଜପୁର ଏବଂ ଦଶରଥପୁର ବ୍ଲକ୍ ବନ୍ୟାରେ ପ୍ରଭାବିତ ହୋଇଛନ୍ତି। କେନ୍ଦୁଝର ଜିଲ୍ଲା ମାତ୍ର ନ୍ୟୁନତମ ପ୍ରଭାବିତ ହୋଇଛି।
ମୋଟ ୮୧ଟି ଗାଁର ୩୦,୦୦୦ ଲୋକ ବନ୍ୟାରେ ପ୍ରଭାବିତ ହୋଇଛନ୍ତି। ସରକାର ପ୍ରଭାବିତ ଲୋକଙ୍କୁ ୧୦,୦୦୦ ଲୋକଙ୍କୁ ଦୁଇଟି ବେଳା ରନ୍ଧା ଖାଦ୍ୟ ଯୋଗାଇ ଦେଉଛନ୍ତି ଏବଂ ଆଗାମୀ ୭ ଦିନ ପର୍ଯ୍ୟନ୍ତ ଏହା ଜାରି ରଖାଯିବ। ଯେଉଁମାନଙ୍କ ଘର ନଷ୍ଟ ହୋଇଛି, ସେମାନଙ୍କୁ କ୍ଷତିପୂରଣ ଦିଆଯିବ। ପୂର୍ଣ୍ଣ ନଷ୍ଟ ଘର ପାଇଁ ନୂଆ ଘର ଏବଂ ଆଂଶିକ ନଷ୍ଟ ଘର ପାଇଁ ମରାମତି ଖର୍ଚ୍ଚ ସରକାର ବହନ କରିବେ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ, ସାପ କାମୁଡ଼ା ଔଷଧ ମହଜୁଦ୍ ରଖିବା ପାଇଁ ହସ୍ପିଟାଲଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି। ପଶୁ ମୃତ୍ୟୁ ହୋଇଥିଲେ ସେଥିପାଇଁ ମଧ୍ୟ ସହାୟତା ଯୋଗାଇ ଦିଆଯିବ। ତଳିଆ ଅଞ୍ଚଳରେ ଜମା ହୋଇଥିବା ପାଣି ଦୁଇ ଦିନ ମଧ୍ୟରେ ନିୟନ୍ତ୍ରଣକୁ ଆସିବ ବୋଲି ଆଶା କରାଯାଉଛି।
ଶେଷରେ ମୁଖ୍ୟମନ୍ତ୍ରୀ ଜୋର୍ ଦେଇ କହିଛନ୍ତି ଯେ ସରକାର ଜିରୋ କାଜୁଆଲ୍ଟି (ଶୂନ୍ୟ କ୍ଷତି) ଲକ୍ଷ୍ୟ ନେଇ କାମ କରୁଛନ୍ତି ଏବଂ ପ୍ରତ୍ୟେକ ପ୍ରଭାବିତ ପରିବାରକୁ ସମୟୋଚିତ ସହାୟତା ପ୍ରଦାନ କରାଯିବ।
