ଅନଲାଇନ୍ ରେ ବିକ୍ରି ହେଉଛି ମହାପ୍ରସାଦ: କଡ଼ା କାର୍ଯ୍ୟାନୁଷ୍ଠାନ ଦାବି
ପୁରୀ (ସଂକେତ ଟିଭି): ଶ୍ରୀଜଗନ୍ନାଥ ମନ୍ଦିରର ମହାପ୍ରସାଦକୁ ଅନଲାଇନରେ ବିକ୍ରି କରାଯାଉଥିବାର ଅଭିଯୋଗ ଆସିଛି। ଏହାକୁ ଲୋକଙ୍କ ଧାର୍ମିକ ଭାବନାକୁ କୁଠାରଘାତ ବୋଲି ବିବେଚନା କରାଯାଉଛି। ବ୍ରହ୍ମପୁରସ୍ଥିତ ‘ଇଜି ଏସେନଶିଆଲ’ ନାମକ ଏକ ଫୁଡ୍ ଡେଲିଭରି ଆପ୍ ମାଧ୍ୟମରେ ମହାପ୍ରସାଦ ଅର୍ଡର ନେଇ ବିକ୍ରି କରାଯାଉଥିବା ସୋସିଆଲ ମିଡ଼ିଆରେ ବିଜ୍ଞାପିତ ହୋଇଛି। ଏହି ଆପ୍ ମାଧ୍ୟମରେ ଅନ୍ୟ ମନ୍ଦିରର ପ୍ରସାଦ, ରୋଷେଇ ସାମଗ୍ରୀ, ପନିପରିବା, କ୍ଷୀର ଓ ମାଂସ ମଧ୍ୟ ଯୋଗାଣ କରାଯାଉଥିବାର ଜଣାଯାଏ।
ଶ୍ରୀମନ୍ଦିର ସେବାୟତ ଏବଂ ଜଗନ୍ନାଥ ପ୍ରେମୀମାନେ ଏହାକୁ ମହାପ୍ରସାଦର ଗାରିମା ଓ ପବିତ୍ରତାକୁ ଆଘାତ ବୋଲି କହିଛନ୍ତି। ସେମାନେ ଦାବି କରିଛନ୍ତି ଯେ, ଏଭଳି ବେଆଇନ କାର୍ଯ୍ୟ କରୁଥିବା ସଂସ୍ଥା ବିରୋଧରେ ଶ୍ରୀମନ୍ଦିର ପ୍ରଶାସନ କଡ଼ା କାର୍ଯ୍ୟାନୁଷ୍ଠାନ ନେଉ। ମହାପ୍ରସାଦକୁ ସାଧାରଣ ଖାଦ୍ୟ ପରି ବିଚାର କରାଯାଇପାରିବ ନାହିଁ ଏବଂ ଏହା ମାଛ, ମାଂସ ସହିତ ମିଶ୍ରିତ ହେବାର ଆଶଙ୍କା ରହିଛି।
ଗତ ୨୦୧୮ ମସିହାରେ ଶ୍ରୀମନ୍ଦିର ପ୍ରଶାସନ ମହାପ୍ରସାଦର ଅନଲାଇନ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇଥିଲେ। ହେଲେ, ବର୍ତ୍ତମାନ ମଧ୍ୟ ଅନେକ ୱେବ୍ସାଇଟ୍ ଏବଂ ଆପ୍ ମାଧ୍ୟମରେ ମହାପ୍ରସାଦ ବିକ୍ରି ହେଉଥିବାର ଦେଖାଯାଉଛି। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ କାହିଁକି କଡ଼ା ପଦକ୍ଷେପ ନେଉନାହାନ୍ତି, ତାହା ନେଇ ପ୍ରଶ୍ନ ଉଠିଛି।
ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମହାପ୍ରସାଦର ଅନଲାଇନ ବିକ୍ରିକୁ ନିଷେଧ କରିଛନ୍ତି। ସେ କହିଛନ୍ତି, “ମହାପ୍ରସାଦର ପବିତ୍ରତା ଅନନ୍ୟ। ଏହାକୁ ଅନଲାଇନ୍ରେ ବିକ୍ରି କରିବା ଉଚିତ ନୁହେଁ। ଭକ୍ତମାନେ ପୁରୀ ଆସି ମହାପ୍ରସାଦ ଗ୍ରହଣ କରନ୍ତୁ।” ସରକାର ଏବଂ ମନ୍ଦିର ପ୍ରଶାସନ ଏହି ବ୍ୟବସ୍ଥାକୁ ସମର୍ଥନ କରୁନାହାନ୍ତି।
