ଖରିଫ ଋତୁରେ ୩୮ଟି ଆଧୁନିକ ମଣ୍ଡି ଖୋଲିବେ ରାଜ୍ୟ ସରକାର, କ୍ୟାବିନେଟ୍ରେ ଅନୁମୋଦନ
ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟ ସରକାର ଚଳିତ ଖରିଫ ଋତୁରେ ବିଭିନ୍ନ ଜିଲ୍ଲାରେ ୩୮ଟି ଆଧୁନିକ ମଣ୍ଡି ଖୋଲିବେ। କ୍ୟାବିନେଟ୍ ବୈଠକରେ ଏହି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଏହି ମଣ୍ଡିଗୁଡ଼ିକରେ ଚାଷୀମାନଙ୍କ ପାଇଁ ବିଶ୍ରାମ, ପାନୀୟଜଳ, ଶୌଚାଳୟ, ପାର୍କିଂ ଇତ୍ୟାଦି ସୁବିଧା ରହିବ। ଏହି ପ୍ରକଳ୍ପରେ ମୋଟ ୩୦୦ କୋଟି ଟଙ୍କା ଖର୍ଚ୍ଚ ହେବ, ଯାହାର ଅର୍ଦ୍ଧେକ (୧୫୦ କୋଟି) ଆରଏମ୍ସି ଏବଂ ଅନ୍ୟ ଅର୍ଦ୍ଧେକ ରାଜ୍ୟ ସରକାର ବହନ କରିବେ।
ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ କୃଷି, ଅର୍ଥ, ସ୍ୱାସ୍ଥ୍ୟ, ପରିବହନ, ସଂସ୍କୃତି ଓ ସମବାୟ ବିଭାଗରୁ ୭ଟି ପ୍ରସ୍ତାବ ଅନୁମୋଦିତ ହୋଇଛି। କ୍ୟାବିନେଟ୍ ପରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।
ଶ୍ରୀ ଆହୁଜା କହିଛନ୍ତି, ବିଜୁ ପଟ୍ଟନାୟକ ବିମାନବନ୍ଦରକୁ ଆଞ୍ଚଳିକ ହବ୍ ଭାବେ ଗଠନ କରାଯିବ। ବିମାନ ରକ୍ଷଣାବେକ୍ଷଣା ପାଇଁ ସରକାର ୪୦% ସବସିଡିରେ ଜମି ରେଣ୍ଟ ଦେବେ। ଏହି ପ୍ରକଳ୍ପ ପାଇଁ ଏମ୍ଏସ୍ ଏୟାର୍ୱାର୍କସ୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ କମ୍ପାନିକୁ ଚୟନ କରାଯାଇଛି।
ରାଜ୍ୟ ସରକାର ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ପ୍ରୋତ୍ସାହନ ଦେବାକୁ ଏକ ସ୍ୱତନ୍ତ୍ର ସଂଗ୍ରହାଳୟ କ୍ୟାଡର ଗଠନ କରିବେ। ବର୍ତ୍ତମାନ ୧୭ଟି ସଂଗ୍ରହାଳୟ ଥିବା ବେଳେ ଆଗାମୀ ଦିନରେ ଆହୁରି ୩୯ଟି ପ୍ରତିଷ୍ଠା କରାଯିବ।
ସହରାଞ୍ଚଳରେ ଏଲ୍ଇଡି ଲାଇଟ ଲଗାଇବା ପାଇଁ ୩୫୦ କୋଟି ଟଙ୍କା ଖର୍ଚ୍ଚ ହେବ। ସମ୍ବଲପୁରବାସୀଙ୍କୁ ୨୪ ଘଣ୍ଟା ପାଣି ଯୋଗାଣ ପାଇଁ ହୀରାକୁଦ ଡ୍ୟାମ୍ରୁ ପାଣି ଅଣାଯିବ, ଯାହାପାଇଁ ୩୮୨ କୋଟି ଟଙ୍କା ବ୍ୟୟ ହେବ।
ରାଜ୍ୟରେ ଥିବା ୮ଟି ସରକାରୀ ନର୍ସିଂ କଲେଜ ଓ ୨୧ଟି ଏଏନ୍ଏମ୍ ସେଣ୍ଟର ସହିତ ଆଉ ୭ଟି ନୂଆ କଲେଜ ଖୋଲାଯିବ ଏବଂ ନର୍ସିଂ ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଅଣାଯିବ।
