EducationFeaturedLatestNews

ଶିକ୍ଷା ନୀତିରେ ବଡ଼ ପରିବର୍ତ୍ତନ: ଫେରିଲା ପାସ୍ ଫେଲ୍ ବ୍ୟବସ୍ଥା

ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟରେ ପିଲାମାନେ ଏବେଠାରୁ ଷ୍ଟାଣ୍ଡାର୍ଡ ନଥିବା ପର୍ଯ୍ୟନ୍ତ ଏକା କ୍ଲାସ୍ରେ ରହିବେ ବୋଲି ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ଜଣାଇଛନ୍ତି। ପୂର୍ବତନ ସରକାରଙ୍କ ଅମଳରେ ପାସ୍-ଫେଲ୍ ବ୍ୟବସ୍ଥା ନଥିବା ବେଳେ, ବର୍ତ୍ତମାନର ସରକାର ଏହି ବ୍ୟବସ୍ଥା ପୁନର୍ବାର ଆରମ୍ଭ କରିଛନ୍ତି। ଏହି ନୀତି ଅନୁଯାୟୀ, ଯଦି କୌଣସି ପିଲା କ୍ଲାସ୍ରେ ଫେଲ୍ ହୁଏ, ତାକୁ ଅଳ୍ପ କିଛି ଦିନ ମଧ୍ୟରେ ପୁନର୍ବାର ପରୀକ୍ଷା ଦେଇ ପାସ୍ କରିବାକୁ ହେବ। କେବଳ ପାସ୍ କରିବା ପରେ ହିଁ ସେ ଉଚ୍ଚତର ଶ୍ରେଣୀକୁ ଯାଇପାରିବେ।

ମନ୍ତ୍ରୀଙ୍କ ମତରେ, ବିଗତ ବର୍ଷଗୁଡ଼ିକରେ ପାସ୍-ଫେଲ୍ ବ୍ୟବସ୍ଥା ନଥିବାରୁ ପିଲାମାନେ କ୍ଲାସ୍ ରେ କ’ଣ ଶିଖୁଛନ୍ତି ତାହା ଠିକ୍ ଭାବରେ ଜାଣି ହୋଇପାରୁ ନଥିଲା। ଏହି ଅଭାବକୁ ଦୂର କରିବା ପାଇଁ ବର୍ତ୍ତମାନର ସରକାର ଶିକ୍ଷା ବ୍ୟବସ୍ଥାରେ ଏହି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିଛନ୍ତି। ପାସ୍-ଫେଲ୍ ବ୍ୟବସ୍ଥା ଲାଗୁ ହେବା ପରେ ପ୍ରତ୍ୟେକ ଛାତ୍ରଛାତ୍ରୀର ମାନକ (ଷ୍ଟାଣ୍ଡାର୍ଡ) ସ୍ପଷ୍ଟ ଭାବରେ ଜଣାପଡ଼ିବ ବୋଲି ସେ କହିଛନ୍ତି।

ଏହି ପ୍ରସଙ୍ଗରେ ମନ୍ତ୍ରୀ ଶିକ୍ଷକମାନଙ୍କୁ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଆହ୍ୱାନ ଦେଇଛନ୍ତି। ସେମାନଙ୍କୁ ଅନୁରୋଧ କରିଛନ୍ତି ଯେ ଯେପରି ଶିକ୍ଷକମାନେ ପାଠ୍ୟପଦାର୍ଥ ଶିଖାଇବାରେ କୌଣସି ଅବହେଳା ନା କରନ୍ତି। ଶ୍ରୀ ଗଣ୍ଡ କହିଛନ୍ତି ଯେ ପିଲାମାନେ ଯେପରି ସରକାରୀ ବିଦ୍ୟାଳୟମାନଙ୍କରେ ଉତ୍ସାହର ସହିତ ପଢ଼ିବେ, ସେଥିପାଇଁ ସରକାର ଏସବୁ ନୂତନ ବ୍ୟବସ୍ଥା କରୁଛନ୍ତି।