CulturalFeaturedLatestNews

ଶ୍ରୀମନ୍ଦିରରେ ୧୫ ସେପ୍ଟେମ୍ବରଠାରୁ ଆରମ୍ଭ ହେବ ଧାଡି ଦର୍ଶନ

ଭୁବନେଶ୍ୱର (ସଂକେତ ଟିଭି): ଶ୍ରୀଜଗନ୍ନାଥ ମନ୍ଦିରରେ ଶୃଙ୍ଖଳିତ ଧାଡି ଦର୍ଶନ ବ୍ୟବସ୍ଥା ଆଗାମୀ ୧୫ ସେପ୍ଟେମ୍ବରଠାରୁ ଆରମ୍ଭ ହେବ ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଘୋଷଣା କରିଛନ୍ତି। ମନ୍ଦିରର ମ୍ୟାନେଜିଙ୍ଗ କମିଟି ଗଠନ ସରିବା ପରେ ପ୍ରଥମ ମିଟିଂରେ ଏହି ଚୂଡାନ୍ତ ନିଷ୍ପତ୍ତି ନିଆଯିବ। ମନ୍ଦିର ପ୍ରଶାସନ ଏଥିପାଇଁ ପ୍ରସ୍ତୁତି ଶେଷ କରିଛି ଏବଂ ୩ ରୁ ୪ ଦିନ ମଧ୍ୟରେ କମିଟି ଗଠନ ଶେଷ ହୋଇଯିବା ପରେ ବୈଠକ ବସି ଧାଡି ଦର୍ଶନ ଆରମ୍ଭ କରିବାକୁ ଚୂଡାନ୍ତ ନିଆଯିବ।

ଶ୍ରୀମନ୍ଦିରରେ ଭିତର ଦର୍ଶନ ପାଇଁ ଧାଡି ବ୍ୟବସ୍ଥା କରିବାକୁ ପ୍ରାୟ ଏକ ବର୍ଷ ଧରି ଯୋଜନା ଚାଲିଥିଲା। ଏହା ଏପର୍ଯ୍ୟନ୍ତ ଆରମ୍ଭ ହୋଇନଥିବାରୁ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ରହିଥିଲା। ଆସନ୍ତା କାର୍ତ୍ତିକ ମାସରେ ଲକ୍ଷ ଲକ୍ଷ ଭକ୍ତ ପୁରୀ ଆସିବାରୁ ଶୀଘ୍ର ଧାଡି ଦର୍ଶନ ବ୍ୟବସ୍ଥା ଆରମ୍ଭ କରିବା ଦାବି ଜୋର ଧରିଥିଲା। ମନ୍ଦିର ପରିସର ବାହାରେ ଧାଡି ବ୍ୟବସ୍ଥା ଥିଲେ ମଧ୍ୟ, ମୁଖ୍ୟ ମନ୍ଦିର ଭିତରେ ଏହି ବ୍ୟବସ୍ଥା ଅନୁପସ୍ଥିତ ରହିଥିଲା।

ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଗତ ଜାନୁଆରି ମାସରେ ଏହି ବ୍ୟବସ୍ଥା ଆରମ୍ଭ ହେବ ବୋଲି ଘୋଷଣା କରିଥିଲେ ମଧ୍ୟ, ଏହା ବିଳମ୍ବିତ ହୋଇଥିଲା। ଜାନୁଆରିର ଘୋଷଣାର ଆଠ ମାସ ପରେ ଏହା କାର୍ଯ୍ୟକାରୀ ହେବାକୁ ଯାଉଛି। ଏହି ନୂତନ ବ୍ୟବସ୍ଥା ଅନୁଯାୟୀ, ଭକ୍ତମାନେ ସାତପାହାଚ ଦ୍ୱାର ଦେଇ ମନ୍ଦିରକୁ ପ୍ରବେଶ କରି ଦର୍ଶନ କରିବା ପରେ ଘଣ୍ଟି ଦ୍ୱାର ଓ ଗାରଦ ଦ୍ୱାର ଦେଇ ବାହାରିବାକୁ ପାରିବେ। ଘଣ୍ଟି ଦ୍ୱାର ଦେଇ ମୁଖ୍ୟତଃ ମହିଳା ଓ ବରିଷ୍ଠ ନାଗରିକମାନେ ଏବଂ ଗାରଦ ଦ୍ୱାର ଦେଇ ପୁରୁଷମାନେ ପ୍ରସ୍ଥାନ କରିବେ।