ଚେନ୍ନାଇ ତାପଜ ବିଦ୍ୟୁତ୍ କେନ୍ଦ୍ରରେ ଭୟଙ୍କର ଦୁର୍ଘଟଣା: ୯ ଶ୍ରମିକ ମୃତ, ୧୦ ଆହତ
ଚେନ୍ନାଇ (ସଂକେତ ଟିଭି) ଉତ୍ତର ଚେନ୍ନାଇ ତାପଜ ବିଦ୍ୟୁତ୍ କେନ୍ଦ୍ରର ନିର୍ମାଣ ସ୍ଥଳୀରେ ମଙ୍ଗଳବାର ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ନିର୍ମାଣାଧୀନ ଏକ ଆର୍ଚ ଭୁଶୁଡ଼ି ପଡ଼ିବାରୁ ୯ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି ଏବଂ ଅନ୍ୟ ୧୦ ଜଣ ଆହତ ହୋଇଛନ୍ତି। ଏହି ଘଟଣା ଏନ୍ନୋର୍ ଅଞ୍ଚଳରେ ଘଟିଥିଲା।
ପ୍ରାଥମିକ ସୂଚନା ଅନୁଯାୟୀ, ପ୍ରାୟ ୩୦ ଫୁଟ୍ ଉଚ୍ଚତାରୁ ଆର୍ଚ ଖସିପଡ଼ି ଶ୍ରମିକମାନଙ୍କ ଉପରେ ପଡ଼ିଥିଲା। ଏହି ଘଟଣାରେ ଅନେକ ଶ୍ରମିକ ଇଟା ଓ କାନ୍କ୍ରିଟ୍ ର ଭଗ୍ନାବଶେଷ ତଳେ ଚାପି ହୋଇଯାଇଥିଲେ। ଘଟଣା ସ୍ଥଳୀରେ ତୁରନ୍ତ ଉଦ୍ଧାରକାରୀ ଦଳ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରାଯାଇଥିଲା।
ଆହତ ଶ୍ରମିକଙ୍କୁ ଚେନ୍ନାଇ ସ୍ଥିତ ଷ୍ଟାନଲୀ ସରକାରୀ ଡାକ୍ତରଖାନାକୁ ନେଇ ଯାଇ ଚିକିତ୍ସା କରାଯାଉଛି। ତାମିଲନାଡ଼ୁ ବିଦ୍ୟୁତ୍ ବୋର୍ଡ୍ର ସଚିବ ଏବଂ ତାମିଲନାଡ଼ୁ ଜେନେରେସନ୍ ଆଣ୍ଡ ଡିଷ୍ଟ୍ରିବ୍ୟୁସନ୍ କର୍ପୋରେସନ୍ ଲିମିଟେଡ୍ (TANGEDCO)ର ଅଧ୍ୟକ୍ଷ ଡ଼ାକ୍ତର ଜେ ରାଧାକୃଷ୍ଣନ୍ ଆହତମାନଙ୍କୁ ଦେଖା କରିବା ପାଇଁ ଡାକ୍ତରଖାନାକୁ ଗସ୍ତ କରିଛନ୍ତି ଏବଂ ପରିସ୍ଥିତି ପର୍ଯ୍ୟବେକ୍ଷଣ କରିଛନ୍ତି। ଦୁର୍ଘଟଣାର କାରଣ ଅଧିକ ତଦନ୍ତ ଚାଲିଛି।
