CrimeFeaturedLatestNews

ଦିବ୍ୟାଙ୍ଗ ମହିଳାଙ୍କୁ ଅପହରଣ କଲା ଟ୍ରକ୍‌ ଡ୍ରାଇଭର, ସିସିଟିଭି ଫୁଟେଜ୍ ଭାଇରାଲ୍

ଭଦ୍ରକ (ସଂକେତ ଟିଭି): ଭଦ୍ରକ ଅଞ୍ଚଳରେ ଏକ ଘୃଣ୍ୟ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି । ଗୁରୁବାର ରାତିରେ ପ୍ରବଳ ବର୍ଷାର ସୁଯୋଗ ନେଇ ଜଣେ ଟ୍ରକ୍‌ ଡ୍ରାଇଭାର ଜଣେ ଦିବ୍ୟାଙ୍ଗ ମହିଳାଙ୍କୁ ଅପହରଣ କରିନେଇଛନ୍ତି । ଏହି ଘଟଣାର ସିସିଟିଭି ଫୁଟେଜ୍ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିବାରୁ ଜିଲ୍ଲାରେ ଆକ୍ରୋଶ ଓ ଚର୍ଚ୍ଚା ରଚିଛି ।

ଘଟଣାଟି ଘଟିଛି ଭଦ୍ରକ ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥ ଉପରେ ଥିବା ଚରମ୍ପା ଫାଣ୍ଡି ଛକ ନିକଟରେ । ବିଳମ୍ବିତ ରାତିରେ ବର୍ଷାରୁ ରକ୍ଷା ପାଇବା ପାଇଁ ଜଣେ ଦିବ୍ୟାଙ୍ଗ ମହିଳା ଏକ ଦୋକାନ ବାରଣ୍ଡାରେ ଅଟକି ରହିଥିଲେ । ଏହି ସମୟରେ ସେଇ ରାସ୍ତା ଦେଇ ଯାଉଥିବା ଏକ ଟ୍ରକ୍‌ର ଡ୍ରାଇଭାର ତାଙ୍କୁ ଦେଖି ଗାଡ଼ି ଅଟକାଇଥିଲେ ଏବଂ ତାଙ୍କ ନିକଟକୁ ଯାଇ ଜୋରଜବରଦସ୍ତ ଭାବେ ତାଙ୍କୁ ଉଠାଇନେଇ ଟ୍ରକ୍‌ ଭିତରେ ଭର୍ତ୍ତି କରି ଅଜ୍ଞାତ ଦିଗକୁ ପଳାୟନ କରିଛନ୍ତି । ଏହି ସମ୍ପୁର୍ଣ୍ଣ ଘଟଣା ସିସିଟିଭି କ୍ୟାମେରାରେ ଧରାପଡ଼ିଛି ।

ଏହି ଘଟଣା ପ୍ରକାଶ ପାଇବା ପରେ ଭଦ୍ରକ ପୋଲିସ୍ ସକ୍ରିୟ ହୋଇଛି । ଭଦ୍ରକ ଟାଉନ୍ ଥାନାରେ ଏହି ଘଟଣା ଉପରେ ମାମଲା ଦର୍ଜ କରାଯାଇଛି । ଅପହୃତ ମହିଳାଙ୍କୁ ଉଦ୍ଧାର କରିବା ପାଇଁ ପୋଲିସ୍ ଜୋରଦାର ତଦନ୍ତ ଆରମ୍ଭ କରିଛି । ଟୋଲଗେଟ୍ ସମେତ ବିଭିନ୍ନ ସ୍ଥାନରେ ସିସିଟିଭି ଫୁଟେଜ୍ ସହାୟତାରେ ସନ୍ଧାନ ଚାଲିଛି ଏବଂ ସନ୍ଦେହଜନକ ଟ୍ରକ୍‌କୁ ଖୋଜିବା ପାଇଁ ଜିଲ୍ଲାର ବିଭିନ୍ନ ଟ୍ରକ୍‌ ଆସୋସିଏସନ୍ ଏବଂ ଡ୍ରାଇଭାର ସଂଘର ସାହାଯ୍ୟ ମଧ୍ୟ ଲୋଡ଼ା ଯାଇଛି । ଭଦ୍ରକ ଅତିରିକ୍ତ ଏସ୍‌ପି ଶ୍ରୀ ଅରୂପ ଅଭିଷେକ ବେହେରା ନିଶ୍ଚିତ କରିଛନ୍ତି ଯେ ଘଟଣାଟିକୁ ଗୁରୁତ୍ୱପୂର୍ଣ୍ଣ ଭାବରେ ନେଇ ତଦନ୍ତ ଚାଲିଛି ଏବଂ ଶୀଘ୍ର ଅପରାଧୀକୁ ଧରାଯିବ ।